ଜର୍ମାନିରେ ପ୍ରଦର୍ଶିତ ହେବ ‘ଶଲା ବୁଢ଼ା’

ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଫିଲ୍ମ ‘ଶଲା ବୁଢ଼ା’ ଜର୍ମାନିରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଇଣ୍ଡୋ-ଜର୍ମାନ ଫିଲ୍ମ ୱିକ୍‌’ରେ ପ୍ରଦର୍ଶିତ ହେବ। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦେଶକ ଜିତେନ୍ଦ୍ର ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରଟି ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଲିନର ଐତିହାସିକ ବେବିଲନ ଥିଏଟର୍‌ରେ ପ୍ରଦର୍ଶିତ କରାଯିବ। ସପ୍ତାହବ୍ୟାପୀ ଚଳଚ୍ଚିତ୍ର ଉତ୍ସବରେ ‘ଶଲା ବୁଢ଼ା’ ଏକାଧିକ ଥର ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ପଶ୍ଚିମ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ବୟାନ କରିଥିବା ଏହି ଫିଲ୍ମ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ ସହ ୭ଟି ବର୍ଗରେ ପୁରସ୍କାର ହାସଲ କରିଥିଲା। ଶଲା ବୁଢ଼ା ଭାରତୀୟ ପାନାରୋମା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ୨୦୧୩ରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଥିଲା। ନିକଟରେ ସବ୍ୟସାଚୀ ମହାପାତ୍ରଙ୍କ ସହ ଜିତେନ୍ଦ୍ର ମିଶ୍ର ହାତ ମିଳାଇବା ସହ ମିଳିତ ଭାବେ କାମ କରିବାକୁ ସମ୍ମତି ଜଣାଇଥିଲେ। ଶ୍ରୀ ମହାପାତ୍ର କହିଛନ୍ତି, ଇଣ୍ଡୋ-ଜର୍ମାନ ଫିଲ୍ମ ୱିକ୍‌ରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବା ଗୌରବର ବିଷୟ। ଜିତେନ୍ଦ୍ରଙ୍କ ସହ ଯାତ୍ରାର ଏହା ପ୍ରଥମ ଓ ଗୁରୁତ୍ବପୂର୍ଣ୍ଣ ମାଇଲ୍‌ ଖୁଣ୍ଟ। ଚଳଚ୍ଚିତ୍ର ଉତ୍ସବ ନିର୍ଦ୍ଦେଶକ ଷ୍ଟେଫାନ ଓଟେନବ୍ରୁଚ୍‌ କହିଛନ୍ତି, ଆମେ ଭାରତର କଳା, ସଂସ୍କୃତି ଓ ପରମ୍ପରାକୁ ଆମ ଉତ୍ସବ ଜରିଆରେ ପ୍ରଚାରପ୍ରସାର କରିବାକୁ ଚାହୁଛୁ। ପ୍ରଥମଥର ପାଇଁ ଓଡ଼ିଶାରୁ ଏକ ଫିଲ୍ମ ଚୟନ ହେବା ଗର୍ବର ବିଷୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର