ନେପାଳରୁ ଆସିଛି ୭ ହଜାର ଶାଳଗ୍ରାମ, ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି ଶୋଭାଯାତ୍ରାରେ ଆସିବ

ଭୁବନେଶ୍ବର : ନେପାଳର ମୁକ୍ତିନାଥ ଓ କାଳୀଗଣ୍ଡୁକି ଭଳି ପ୍ରସିଦ୍ଧ ମନ୍ଦିରରୁ ଆସିଛି ୭ ହଜାର ଦିବ୍ୟ ଶାଳଗ୍ରାମ। ସନ୍ଥ ସ୍ବାମୀ ଦିବ୍ୟାନନ୍ଦ ଗିରି ଏହି ଶାଳଗ୍ରାମ ସଂଗ୍ରହ କରିଛନ୍ତି। ୨୪ ତାରିଖ ସକାଳେ ଉଦାସୀନ ଆଶ୍ରମରେ ଶାଳଗ୍ରାମ ପହଞ୍ଚିବ। ସେଠାରେ ଯଜ୍ଞାନୁଷ୍ଠାନ ପୂର୍ବକ ଶାଳଗ୍ରାମକୁ ଶୋଧନ ଓ ପୂଜାର୍ଚନା କରାଯାଇ ଶୋଭାଯାତ୍ରାରେ ଭୁବନେଶ୍ବର ଅଣାଯିବ। ଅପରାହ୍‌ଣ ସାଢ଼େ ୪ଟାରେ ବାଣୀବିହାର ଛକଠାରୁ ଶାଳଗ୍ରାମଙ୍କୁ ଶୋଭାଯାତ୍ରାରେ ନିଆଯିବ। ଶୋଭାଯାତ୍ରା ବାଣୀବିହାରରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‌, କଳ୍ପନା ଛକ, ରବି ଟକିଜ୍‌ ଓ ସାମନ୍ତରାପୁର ଦେଇ ନୂଆଗାଁ ପେଟ୍ରୋଲ୍‌ ପମ୍ପ ନିକଟରେ ପହଞ୍ଚିବ। ୨୫ ଓ ୨୬ ତାରିଖ ଦୁଇଦିନ ଧରି ଶାଳଗ୍ରାମ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ। ପ୍ରତିଷ୍ଠା ପରେ ଶାଳଗ୍ରାମଙ୍କୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଦୁଇଦିନ ଶାଳଗ୍ରାମ ପୂଜା ପାଇଁ ରୁଦ୍ରାଭିଷେକ ଅନୁଷ୍ଠିତ ହେବ। ଓଡ଼ିଶା ଇଣ୍ଟରନାସ୍‌ନାଲ୍‌ ସେଣ୍ଟର (ଓଆଇସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ବାମୀ ଦିବ୍ୟାନନ୍ଦ ଗିରିଙ୍କ ତତ୍ତ୍ବାବଧାନରେ ଗତ ୧୫ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିରରୁ ନେପାଳର ପଶୁପତିନାଥ ମନ୍ଦିର ପର୍ଯ୍ୟନ୍ତ ଏକ ମୈତ୍ରୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରା ସମୟରେ ହିଁ ସ୍ବାମୀ ଦିବ୍ୟାନନ୍ଦ ଗିରି ଏହି ଶାଳଗ୍ରାମ ଆଣିଥିଲେ। ନେପାଳ ଯାତ୍ରା ସମୟରେ ଶ୍ରୀଜଗନ୍ନାଥ ଧାମରୁ ଯାଇଥିବା ଚତୁର୍ଦ୍ଧା ମୂର୍ତି ବିଗ୍ରହ ଶ୍ରୀପଶୁପତିନାଥ ମନ୍ଦିରରେ ପୂଜାର୍ଚନା ପାଇଁ ସମର୍ପଣ କରାଯାଇଥିଲା। ଏହି ଚତୁର୍ଦ୍ଧା ମୂର୍ତିର ପ୍ରତିଷ୍ଠା ଡିସେମ୍ବର ମାସରେ ନେପାଳରେ ଅନୁଷ୍ଠିତ ହେବ ବୋଲି ଓଆଇସିର ଅଧ୍ୟକ୍ଷ ପରେଶ ନାୟକ ସୂଚନା ଦେଇଛନ୍ତି। ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ବିଶ୍ବନାଥ ମିଶ୍ର, ଡ.ପ୍ରଫୁଲ୍ଲ ରଥ, ଓଆଇସିର ଜୟପ୍ରକାଶ ମିଶ୍ର ପ୍ରମୁଖ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶାଳଗ୍ରାମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର