ଲଜ୍ଜା! ରାଜଧାନୀରେ ୨ ଶିଶୁକନ୍ୟା ବିକ୍ରି, ୧୦ ହଜାରରେ ବିକ୍ରି

ଆଉ ଜଣଙ୍କୁ ବାପା ବିକ୍ରି କରୁଥିଲେ, ମା’ ପଣ୍ଡ କଲେ

ଭୁବନେଶ୍ବର: ମାତ୍ର ଗୋଟିଏ ଦିନ ବ୍ୟବଧାନରେ ରାଜଧାନୀରେ ପୁଣି ଆଉ ଏକ ଶିଶୁକନ୍ୟା ବିକ୍ରି ଘଟଣା ପଦାକୁ ଆସିଛି। ଖଣ୍ଡଗିରି ଅଞ୍ଚଳରେ ୪ ମାସର ଶିଶୁଟିକୁ ୧୦ ହଜାର ଟଙ୍କାରେ ବିକ୍ରି ହେବା ଘଟଣା ଆଲୋଡନ ସୃଷ୍ଟି କରିଛି। ଚାଇଲ୍‌ଡ ଲାଇନ୍‌ ନିର୍ଦେଶକ ବେଣୁଧର ସେନାପତିଙ୍କ ସୂଚନା ଅନୁସାରେ, ଏହି ଶିଶୁକନ୍ୟାଟି ମାତ୍ର ୨୧ ଦିନର ହୋଇଥିବା ବେଳେ ଏହି କାରବାର ହୋଇଥିଲା। ଏହାକୁ ନେଇ କୋର୍ଟ ଦସ୍ତାବେଜ ପ୍ରସ୍ତୁତ ହୋଇଛି। ମାତ୍ର ତାହା ତ୍ରୁଟିପୂର୍ଣ୍ଣ ଥିବା ଜଣାପଡ଼ିଛି। ଏପରିକି ଦସ୍ତାବେଜରେ ଶିଶୁର ଜନ୍ମ ପ୍ରମାଣପତ୍ର ମଧ୍ୟ ଦିଆଯାଇନାହିଁ। ଏଥିସଂକ୍ରାନ୍ତରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ସହିତ ଡିସିପିଙ୍କୁ ସୂଚନା ଦିଆଯାଇଛି। ସିଡବ୍ଲୁସିରେ ଶିଶୁକୁ ହାଜର କରିବା ପରେ ସୁଭଦ୍ରା ମହତାବ ସେବା

ସଦନରେ ରଖାଯାଇଛି। ଗତକାଲି ଏକ ୩ ବର୍ଷିୟା ଶିଶୁକନ୍ୟା ବିକ୍ରି ଉଦ୍ୟମ ଘଟଣା ପଦାରେ ପଡ଼ିଥିଲା। ଶିଶୁଟିକୁ ବାପା ବିକ୍ରି ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ମା’ ଏହାକୁ ପଣ୍ଡ କରି ଦେଇଥିଲେ। ଏଥିସଂକ୍ରାନ୍ତରେ କାହାକୁ ଗିରଫ କରାଯାଇନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା, ଶିଶୁକନ୍ୟା ବିକ୍ରି ପ୍ରକ୍ରିୟାରେ ଜଣେ ନୋଟାରି ସହଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ଶିଶୁକନ୍ୟାଙ୍କ ମା’ ଜଟଣୀରେ ଏବଂ ବାପା ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଅଲଗା ହୋଇରୁହନ୍ତି। ପ୍ରାୟ ୪ ମାସ ପୂର୍ବରୁ ବାପା ଝିଅକୁ ନିଜ ପାଖରେ ରଖିବାକୁ କହି ସ୍ତ୍ରୀ ପାଖରୁ ନେଇ ଆସିଥିଲେ। କିଛି ଦିନ ପୂର୍ବରୁ ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ। ଏଥିପାଇଁ ବେଆଇନ ପୌଷ୍ୟ ଦସ୍ତାବେଜ ମଧ୍ୟ ପ୍ରସ୍ତୁତ କରାଯାଉଥିଲା। ଏପରିକି ଝିଅର ନାଁ ଏବଂ ଧର୍ମ ମଧ୍ୟ ବଦଳାଇ ଦସ୍ତାବେଜ ପ୍ରସ୍ତୁତ କରାଯାଇଥିଲା। ଜଣେ ନୋଟାରି ଏଥିରେ ତାଙ୍କୁ ସହଯୋଗ କରିଥିଲେ। ଏହି ମିଛ ଦସ୍ତାବେଜ ମଧ୍ୟ ଜବତ ହୋଇଛି। ବରଗଡ଼ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ମାମଲା ରୁଜ୍ଜୁ ହୋଇନାହିଁ।

ସମ୍ବନ୍ଧିତ ଖବର