ଭୁବନେଶ୍ବର: କାହାର ଅତି ଖରାପ ସମୟ ଚାଲିଥିଲେ ବା କିଏ ବୁଦ୍ଧିଭ୍ରଷ୍ଟ କର୍ମ କଲେ; ଆମ ପାଟିରୁ ଆପେ ବାହାରିଯାଏ, କ’ଣ ଶନିଦଶା ପଡ଼ିଛି ନା କ’ଣ? ଶନି ମହାଗ୍ରହ... କର୍ମଫଳର ଦେବତା। ମନ୍ଦ କର୍ମକୁ ଅତି ମନ୍ଦ ଓ ଭଲକୁ ଆହୁରି ଭଲ ଦେବାରେ ଶନି ମହାଦେବ ବେଶ୍‌ ନ୍ୟାୟସଙ୍ଗତ। ନରଙ୍କ ଭିତରେ ଶନିଙ୍କ ନ୍ୟାୟକୁ ନେଇ ଭାରି ଭୟ। ଏଣୁ ଶନି ମହାମେଳାଠାରୁ ଆରମ୍ଭ କରି ବହୁ ପୂଜା, ଉପାସନା ଦ୍ବାରା ଶନିକୁ ସନ୍ତୁଷ୍ଟ କରି ରଖିବାକୁ ଉଦ୍ୟମ ହୁଏ। ଏହି କ୍ରମରେ ରାଜଧାନୀବାସୀଙ୍କ ରିଷ୍ଟ ଖଣ୍ଡନ ପାଇଁ ଭୁବନେଶ୍ବରର ବାଣୀବିହାର ଛକ ଉପରେ ପ୍ରତିଷ୍ଠା ହୋଇଛି ‘ଶନିଶ୍ଚର ମହାଗ୍ରହ ମନ୍ଦିର’।

Advertisment

୧୯୭୮ ମସିହାର କଥା। ବାଲେଶ୍ବରର ଜଣେ ପୂଜକ ରମେଶ ମହାପାତ୍ର ଆସି ବାଣୀବିହାର ଶୁକବିହାର ବସ୍ତିରେ ରହୁଥିଲେ। ଦିନେ ତାଙ୍କୁ ଶନିଦେବଙ୍କର ସ୍ବପ୍ନାଦେଶ ହୋଇଥିଲା। ସେଠାରେ ତାଙ୍କର ଏକ ମନ୍ଦିର ନିର୍ମାଣ ପାଇଁ ଶନିଦେବ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‌ସ୍ବର୍ଗତ ମହାପାତ୍ର ମଧ୍ୟ ଦେଖିଥିଲେ ଯେ ଭୁବନେଶ୍ବରରେ ଶନିମନ୍ଦିର ନାହିଁ। ଏଣୁ ବାଣୀବିହାର ଛକ ପାଖରେ ଥିବା ଏକ ବିଶାଳ ପଡ଼ିଆ ମଝିରେ ଗ୍ରାମ‌ଦେବତାଙ୍କ ଶୈଳୀରେ ଇଟାରେ ଏକ ଛୋଟ ମନ୍ଦିର ଉଠା‌ଇ ସେ ଶିଳା ରୂପରେ ଶନିଦେବଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। କିଛି ବର୍ଷ ପରେ ସ୍ଥାନୀୟ କେତେକ ଲୋକ ଏକାଠି ହୋଇ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣର ନିଷ୍ପତ୍ତି ନେଇଥିଲେ। କେତେ ଜଣ ମୁରବିଶ୍ରେଣୀୟ ଲୋକଙ୍କୁ ନେଇ ଗଠନ ହୋଇଥିଲା ‘ଶନିଶ୍ଚର ସାଂସ୍କୃତିକ ପୂଜା ପରିଷଦ’। କିଛି କିଛି ଅନୁଦାନ ସଂଗ୍ରହ କରି ୧୯୮୨ ମସିହାରେ ମନ୍ଦିରର ଶୁଭ ପଡ଼ିଥିଲା। ସେହିବର୍ଷ ହିଁ ମାଘ ସପ୍ତମୀରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଥିଲା।

ଶ୍ରୀ ଶ୍ରୀ ଶନିଶ୍ଚର ମହାଗ୍ରହ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ରଞ୍ଜନ କୁମାର ସାମଲ କହିଛନ୍ତି, ମନ୍ଦିର ନିର୍ମାଣ ସମୟରେ ମୁଖ୍ୟ ମନ୍ଦିରରେ ଶନି ମହାଗ୍ରହଙ୍କ ସହ ରାହୁ ଓ କେତୁ ମଧ୍ୟ ଅଧିଷ୍ଠିତ। ତିନି ପ୍ରତିମୂର୍ତ୍ତି କଳା ମୁଗୁନିପଥରରେ ନିର୍ମିତ ହୋଇଥିବା ବେଳେ ଉଚ୍ଚତା ୨ ଫୁଟ ରହିଛି। ମନ୍ଦିର ପ୍ରବେଶ ପଥରେ ଶନିଙ୍କ ବାହନ ବିରାଜମାନ ହୋଇଛନ୍ତି। ତିନିଗ୍ରହ ସୁନା ପାଣି ଦିଆ ରୂପା ଚକ୍ଷୁ ପରିଧାନ କରିଛନ୍ତି। ମନ୍ଦିର ପରିସରରେ ୨୦୦୦ ମସିହା ଆଡ଼କୁ ଦକ୍ଷିଣକାଳୀ ମନ୍ଦିର ମଧ୍ୟ ସ୍ଥାପିତ ହୋଇଥିଲା। ମା’ଙ୍କ ମୂର୍ତ୍ତି ବି କଳା ମୁଗୁନିପଥରରେ ନିର୍ମିତ ହୋଇଛି। ତେବେ ମନ୍ଦିରରେ ଶନି ମହାଗ୍ରହଙ୍କୁ ଲାଗି ହେଉଥିବା ପ୍ରସାଦ ଏହି ମନ୍ଦିରର ଅନ୍ୟତମ ଆକର୍ଷଣ। ସକାଳୁ ଦେବଦେବୀଙ୍କୁ ବାଳଭୋଗରେ ଉଖୁଡ଼ା, ନଡ଼ିଆ, କଦଳୀ ଓ ଖଇପୂଜା ହୋଇଥାଏ। ମଧ୍ୟାହ୍ନରେ ଖେଚୁଡ଼ି ଓ ଚାଉଳ ଖିରି ସାଙ୍ଗକୁ ସଂଧ୍ୟାରେ ବି ବାଳଭୋଗ ଏବଂ ରାତିରେ କାକରା ଓ ଖିରି ଭୋଗ ଲାଗିଥାଏ।

ଏତଦ୍‌ବ୍ୟତୀତ ଏଠାରେ ଭକ୍ତମଣ୍ଡଳୀ ପାଇଁ ପ୍ରତିଦିନ ପ୍ରସାଦସେବନର ବ୍ୟବସ୍ଥା ମଧ୍ୟ ହୋଇଥାଏ। ମନ୍ଦିରର ପ୍ରତିଷ୍ଠା ଦିବସ ମାଘସପ୍ତମୀ, ଅକ୍ଷୟତୃତୀୟା ପରର ପ୍ରଥମ ଶନିବାର ଶନିଦେବଙ୍କ ଜନ୍ମଦିନ ହୋଇଥିବା ବେଳେ ଏହି ଦୁଇଦିନକୁ ମନ୍ଦିରରେ ମହାରୋହରେ ପାଳନ କରାଯ‌ାଏ। ଏଥିସହ ମନ୍ଦିର ଭିତରେ ମା’ ବିରାଜମାନ କରିଥିବାରୁ ଦୀପାବଳି ଓ କାଳୀପୂଜାରେ ମହାଯଜ୍ଞର ଆୟୋଜନ ହୋଇଥାଏ। କାର୍ତ୍ତିକ ଓ ବୈଶାଖରେ ଭକ୍ତମାନେ ଶନି ମାନସିକ ମେଳା ରଖୁଥିବା ବେଳେ ଏହି ମେଳା ବି ବେଶ୍‌ଜାକଜମକରେ ମନ୍ଦିରରେ ଅନୁଷ୍ଠିତ ହୁଏ। ୨୦୧୭ ମସିହାରେ ଏହି ମନ୍ଦିର ରାଜ୍ୟ ଦେବୋତ୍ତର ବିଭାଗ ଅଧୀନକୁ ଚାଲିଯାଇଥିଲା। ଏବେ ବିଭାଗ ଦ୍ବାରା ସ୍ବୀକୃତ ‘ଶ୍ରୀ ଶ୍ରୀ ଶନିଶ୍ଚର ମହାଗ୍ରହ ମନ୍ଦିର ଟ୍ରଷ୍ଟ’ ଦ୍ବାରା ପରିଚାଳିତ ହେଉଛି। ବର୍ତ୍ତମାନ ତିନିମହଲା ବିଶିଷ୍ଟ ଏହି ମନ୍ଦିର ନିର୍ମାଣ ପାଇଁ ୨ କୋଟି ଟଙ୍କାର ଏକ ପ୍ଲାନ୍‌ ଦେବୋତ୍ତର ବିଭାଗ ମଞ୍ଜୁର କରିଛି। ମନ୍ଦିରର ତଳ ଓ ମଝି ମହଲା କାମ ପାଖାପାଖି ଶେଷ ହେବାକୁ ଆସୁଥିବା ବେଳେ ୨୦୨୬ ସୁଦ୍ଧା ମନ୍ଦିର ନୂଆ ରୂପରେ ଉଭା ହେବ ବୋଲି ଶ୍ରୀ ସାମଲ କହିଛନ୍ତି।