ସଂକଟରେ ଶଙ୍କର: କାଠଗଣ୍ଡିରେ ଗୋଡ଼ ପଶିଯିବାରୁ ପଡ଼ିଗଲା

ମେଣ୍ଢାଶାଳ: ଗତକାଲି ଦନ୍ତା ହାତୀ ଶଙ୍କର ଅବସ୍ଥା ସାଂଘାତିକ ହୋଇ ପଡ଼ିଥିଲା। କାଠଗଣ୍ଡିରେ ଗୋଡ଼ ପଶିଯିବାରୁ ସେ କଚାଡ଼ି ହୋଇ ପଡ଼ିବା ପରେ ଆଉ ଉଠି ପାରିନଥିଲା ଓ ଅସୁସ୍ଥ ହୋଇ ପଡ଼ିଥିଲା। ଦୀର୍ଘ ପ୍ରାୟ ୧୨ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି ଓ ଚିକିତ୍ସା ପରେ ତା’ର ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଛି। ଏବେ ତାକୁ ନନ୍ଦନକାନନର ଡାକ୍ତରୀ ଦଳଙ୍କ ନଜରରେ ରଖାଯାଇଛି।

ସୂଚନାନୁସାରେ ଏବେ ଚନ୍ଦକା ଅଭୟାରଣ୍ୟକୁ ବାହାରୁ କିଛି ହାତୀ ଦଳ ଆସିଛନ୍ତି। ତେଣୁ କୁମାରଖୁଣ୍ଟିରେ ରଖାଯାଇଥିବା ଶଙ୍କର ପ୍ରତି ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ତାକୁ ଏବେ କାଠଗଣ୍ଡି ଘେରା କୋରାଲ ଭିତରେ ରଖିଛି। ଗତକାଲି କୌଣସି କାରଣରୁ ଶଙ୍କରର ଗୋଡ଼ କାଠଗଣ୍ଡି ଭିତରେ ପଶି ଯାଇଥିଲା ଓ ଗୋଡ଼କୁ ବାହାର କରିବାକୁ ଉଦ୍ୟମ କରିବା ଭିତରେ ସେ କଚାଡ଼ି ହୋଇ ତଳେ ପଡ଼ି ଯାଇଥିଲା। ଏହା ପରେ ସେ ଆଉ ଉଠି ପାରିନଥିଲା। ଖବର ପାଇ ଚନ୍ଦକା ଡିଏଫ୍ଓ ତାକୁ ଜଗି ରହିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାତି ହୋଇଯାଇଥିବାରୁ ଶଙ୍କରକୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ତେଣୁ ରାତି ସାରା ମାହୁନ୍ତ ଓ ବନ କର୍ମଚାରୀମାନେ ତାକୁ ଜଗି ରହିଥିଲେ। ଆଜି ସକାଳୁ ସକାଳୁ ଡିଏଫଓଙ୍କ ସହ ଓୟୁଏଟିର ବିଶିଷ୍ଟ ଚିକିତ୍ସକ ପ୍ରଫେସର ଇନ୍ଦ୍ରମଣି ନାଥ, ନନ୍ଦନକାନନ ମୁଖ୍ୟ ଡାକ୍ତର ଆଲୋକ ଦାସ, ଡା. ଶରତ କୁମାର ସାହୁ ଓ ଡାକ୍ତର ଗୁପ୍ତାଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ କୁମାରଖୁଣ୍ଟିରେ ପହଞ୍ଚିଥିଲେ। ଶଙ୍କରକୁ କୋରାଲ ଭିତରୁ ବାହାର କରିବା ପାଇଁ ଯୋଜନା କରାଯାଇଥିଲା। ଶଙ୍କରର ଗୋଡ଼ ରହିଯାଇଥିବା ଦୁଇ କାଠଗଣ୍ଡିକୁ ସତର୍କତାର ସହ କଟା ଯାଇଥିଲା। ତଥାପି ଶଙ୍କର ଉଠି ପାରିନଥିଲା। ରାତି ସାରା ପଡ଼ି ପଡ଼ି ଅସୁସ୍ଥ ହୋଇ ପଡ଼ିଥିବାରୁ ‌ଉଠିବା ପାଇଁ ସେ ବଳ ଖଟାଇ ପାରିନଥିଲା। ତେଣୁ ଗୋଟିଏ ଜେସିବି ସାହାଯ୍ୟରେ ଶଙ୍କରକୁ ଉଠାଇ ଠିଆ କରାଯାଇଥିଲା। ଏହା ପରେ ତାକୁ ସାଲାଇନ୍ ଓ ଆଣ୍ଟିବାୟୋଟିକ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଏବେ ତା ଅବସ୍ଥା ଭଲ ଅଛି ବୋଲି ଡିଏଫ୍ଓ କେଦାର କୁମାର ସ୍ବାଇଁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ବର୍ଷ ହେବ ଶଙ୍କର କୁମାରଖୁଣ୍ଟିରେ ନିର୍ବାସନରେ ରହିଛି। କୁମ୍‌କି ପ୍ରଶିକ୍ଷଣ ପାଇଁ ଆସିଥିବା ଶଙ୍କର ମାହୁନ୍ତ ମାରିବା ପରେ ତାକୁ ଏକାକୀ କୁମାରଖୁଣ୍ଟିରେ ରଖାଯାଇଛି।

ସମ୍ବନ୍ଧିତ ଖବର