ଏନଟାଇଟେଲମେଣ୍ଟ ସାର୍ଟିଫିକେଟ୍‌ ପାଇଲେ ଘର ଛାଡ଼ିବେ

Advertisment

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ପିପିପି ମୋଡ୍‌ରେ ହେବାକୁ ଥିବା ସବୁଠୁ ବଡ଼ ଗୃହ ପ୍ରକଳ୍ପ ‘ଶାନ୍ତିନଗର ଆବାସ ଯୋଜନା’ ନେଇ ଆଜି ଶାନ୍ତି ପଲ୍ଲୀ ବାସିନ୍ଦାଙ୍କୁ ସଚେତନ କରାଇଛି। କିପରି ଏହି ଯୋଜନା ହେବ, ବସ୍ତିବାସିନ୍ଦାଙ୍କୁ କ’ଣ କ’ଣ ସୁବିଧା ସୁଯୋଗ ମିଳିବ ସେନେଇ ବୁଝାଇଛନ୍ତି। କିନ୍ତୁ ବସ୍ତି ବାସିନ୍ଦା କର୍ତ୍ତୃପକ୍ଷଙ୍କ ଅଫର୍‌ ସ୍ୱୀକାର କରିବାକୁ ନାରାଜ।

ବସ୍ତି ବାସିନ୍ଦା ଆଜି ସଭାରେ କହିଛନ୍ତି ଯେ, ଆମେ ପୂରା ବସ୍ତି ଛାଡ଼ିବୁନି। ଯେତିକି କାମ କରିବ ସେତିକି ଆଗ ଭାଙ୍ଗ। ଏମିତିରେ କାମ କରିବାକୁ ଅସୁବିଧା ହେବ ବୋଲି କର୍ତ୍ତୃପକ୍ଷ କହିବାରୁ ନିଷ୍ପତ୍ତି ହୋଇଛି ଯେ, ପ୍ରଥମେ ଅଧା ବସ୍ତି ଖାଲି ହେବ। ସେଠାରେ ଗୃହ ପ୍ରକଳ୍ପ ନିର୍ମାଣ ହେବା ପରେ ବାକି ବସ୍ତି ଭଙ୍ଗାଯିବ। କେଉଁ ଅଞ୍ଚଳ ଆଗ ଉଚ୍ଛେଦ ହେବ ସେନେଇ ଶୁକ୍ରବାର ବିଏମ୍‌ସି, ବିଡିଏ ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କର ଏକ ଟିମ୍‌ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ଯେଉଁ ଅଞ୍ଚଳରେ ବସ୍ତି ଉଚ୍ଛେଦ ହେବ ସେମାନେ ସେହି ବସ୍ତିରେ ଅନ୍ୟତ୍ର ସ୍ଥାନାନ୍ତର ହେବେ ବୋଲି ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଘର ଛାଡ଼ିବା ପୂର୍ବରୁ ବିଡିଏ କର୍ତ୍ତୃପକ୍ଷ ତାଙ୍କୁ ଏନଟାଇଟେଲ୍‌ମେଣ୍ଟ ସାର୍ଟିଫିକେଟ ଦେବେ। ଏହି ସାର୍ଟିଫିକେଟରେ ପରବର୍ତ୍ତୀ ସମୟରେ କର୍ତ୍ତୃପକ୍ଷ ଘର ଯୋଗାଇବେ ବୋଲି ଉଲ୍ଲେଖ ରହିବ।

ଆଜି ଶାନ୍ତି ପଲ୍ଲି ବସ୍ତିରେ ଆୟୋଜିତ ସଚେତନତା ସଭାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଏମ୍‌ସି କମିସନର୍‌ କ୍ରିଷନ କୁମାର ପ୍ରମୁଖ ଯୋଗଦେଇ ଲୋକଙ୍କୁ ପ୍ରକଳ୍ପ ସମ୍ବନ୍ଧରେ ବୁଝାଇଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ, ମହିଷାଖାଲ ବସ୍ତି ଉଚ୍ଛେଦ ବେଳେ ଲୋକ ବିରୋଧ କରିଥିଲେ। କିନ୍ତୁ ଏବେ ଆଧୁନିକ ଘର ଅତ୍ୟାଧୁନିକ ସୁବିଧା ସୁଯୋଗ ପାଉଛନ୍ତି। ଶାନ୍ତି ପଲ୍ଲୀରେ ସବୁଠୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ଲୋକଙ୍କ ମତାମତକୁ ପ୍ରାଥମିକତା ଦେବା ସହ ସମସ୍ତଙ୍କ ହିତକୁ ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ସେହିପରି କମିସନର କହିଥିଲେ ଯେ, ଘର ଖାଲି କରିବା ପରେ ପ୍ରକଳ୍ପ ସମାପ୍ତ ହେବା ଯାଏ ଲୋକଙ୍କୁ ଟ୍ରାନ୍‌ଜିଟ୍‌ ଘର ଅଥବା ଭଡ଼ା ଘରେ ରହିବା ପାଇଁ ଆଇନ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆଜିର କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଏବଂ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ।

ଶାନ୍ତି ପଲ୍ଲୀ କେମିତି ହେବ ଶାନ୍ତି ନଗର

୧୯ ଏକର ଜମିରେ ଥିବା ଶାନ୍ତିପଲ୍ଲୀର ୧୦ଏକର ଜମିରେ ୨୨୦୦ଟି ଘର ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଘର ଏବଂ ଘରୋଇ ସଂସ୍ଥାର ବାଣିଜ୍ୟିକ ପ୍ରକଳ୍ପ ନିର୍ମାଣ ହେବ। ପ୍ରକଳ୍ପ ଅଂଚଳର ୬୫ ପ୍ରତିଶତ ଜାଗା ବସ୍ତି ଥଇଥାନ ପାଇଁ ରହିବ ଏବଂ ବାକି ସ୍ଥାନରେ ବାଣିଜ୍ୟିକ ବ୍ୟବହାର ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସୁବିଧା ସୁଯୋଗ ରହିବ। ଏହି ପ୍ରକଳ୍ପ ପାଇଁ ୯୦କୋଟି ୨୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବାବେଳେ ୩୦ମାସ ମଧ୍ୟରେ କାର୍ଯ୍ୟ ସରିବ। ଘରୋଇ ସଂସ୍ଥା ଏହି ସ୍ଥାନରେ ୩୫% ଅର୍ଥାତ ସାଢ଼େ ୩ ଏକର ଜାଗାରେ ବାଣିଜ୍ୟିକ ପ୍ରକଳ୍ପ ନିର୍ମାଣ କରିବ। ଏଥିରେ କମ୍ୟୁନିଟି ହଲ୍‌, ସପିଂ କରିବା ସ୍ଥାନ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ରହିବ। ବସ୍ତି ବାସିନ୍ଦା ଦେଢ଼ ଲକ୍ଷ ଟଙ୍କା ଦେଇ ଘର ପାଇପାରିବେ। ଏଥିପାଇଁ ବି ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ। ସଂପୂର୍ଣ୍ଣ ଅତ୍ୟାଧୁନିକ ସୁବିଧା ସୁଯୋଗରେ ଶାନ୍ତି ପଲ୍ଲୀ ଶାନ୍ତିନଗରରେ ପରିଣତ ହେବ।