ଭୁବନେଶ୍ବର: ଭୁବନେଶ୍ବରର କଳେବର ବୃଦ୍ଧି ସହ ଉନ୍ନତ ସହର ଗଠନ ଲକ୍ଷ୍ୟରେ ରାଜଧାନୀ ଛାତି ଉପରେ ଥିବା ବସ୍ତି ସବୁ ଉଚ୍ଛେଦ ହେଲା। ପ୍ରତିବଦଳରେ ବସ୍ତିବାସିନ୍ଦା ଥଇଥାନ ଯୋଜନାରେ ଅତ୍ୟାଧୁନିକ ଘର ବି ଯୋଗାଇ ଦିଆଗଲା। କିନ୍ତୁ ଉଚ୍ଛେଦ ଜାଗାକୁ ଦଖଲକୁ ନିଆଗଲାନି କି ସେହିସ୍ଥାନରେ ଯେଉଁ ଉନ୍ନୟନ ପ୍ରକଳ୍ପ କଥା କୁହାଯାଉଥିଲା କରାଗଲାନି। ଫଳସ୍ବରୂପ ଯେଉଁ ବସ୍ତିକୁ ଉଚ୍ଛେଦ କରାଯାଇଥିଲା, ତାହା ପୁଣି ଥରେ ବସ୍ତିବାସିନ୍ଦାଙ୍କ ଦଖଲକୁ ଚାଲିଗଲାଣି। ବିଏମ୍‌ସିର ୩୪ ନମ୍ବର ୱାର୍ଡରେ ଥିବା ଶାନ୍ତିପଲ୍ଲୀ ବସ୍ତିରେ ପୁଣିଥରେ ବସ୍ତି ଗଢ଼ି ଉଠିଲାଣି। ଅପରପକ୍ଷେ ବାହାରୁ ଆସୁଥିବା ଲୋକେ ଏଠାରେ ନିଶା କାରବାର ସହ ଅପରାଧିକ କାର୍ଯ୍ୟରେ ବି ଲିପ୍ତ ରହିଲେଣି ବୋଲି ଶାନ୍ତିପଲ୍ଲୀ ବସ୍ତି ଉନ୍ନୟନ କମିଟି ଅଭିଯୋଗ କରିଛି। ଏପରିକି ଯେଉଁମାନେ ଘର ପାଇଛନ୍ତି, ସେମାନେ ଭଙ୍ଗା ଘରକୁ ମରାମତି କରି ଅବା ନୂଆ ଘର କରି ଏହାକୁ ଭଡ଼ା ଦେଇଥିବା କମିଟି ଅଭିଯୋଗ କରିଛି।

Advertisment

ଭୁବନେଶ୍ବର ଟାଉନ୍ ସେଣ୍ଟର୍‌ ପ୍ରକଳ୍ପର ପ୍ରଥମ ପ୍ରକଳ୍ପ ଥିଲା ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କ ପାଇଁ ‘କେଶରୀ ରେସିଡେନ୍ସି ଆବାସ ଯୋଜନା’। ସରକାର ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାର ଆଇଏସ୍‌ଏସ୍‌ଆର୍‌ (ଇନ୍ ସିତୁ ସ୍ଲମ ରିଡେଭଲପ୍‌ମେଣ୍ଟ)ରେ ଏହି ଘର ସବୁ କରିଥିଲେ। ଶାନ୍ତିପଲ୍ଲୀ ବେହେରାସାହି, ନବୀନ ବସ୍ତି ସହ ଯୋଗାଶ୍ରମ ଛକ, ପେଟ୍ରୋଲ ପମ୍ପ ପାଖକୁ ଲାଗି ଥିବା କିଛି ବସ୍ତିବାସିନ୍ଦାଙ୍କ ମିଶାଇ ୮୪୦ଜଣ ବସ୍ତିବାସିନ୍ଦା ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଉଚ୍ଛେଦ ପରେ ପ୍ରାୟ ୧୦ ଏକର ଜାଗାରେ ପ୍ରକଳ୍ପ କାମ ଆରମ୍ଭ ହେଲା। ପ୍ରକଳ୍ପ ଶେଷ ପରେ ୨୦୨୩ ମସିହା ନଭେମ୍ବରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କଲେ। ୮୪୦ଜଣରୁ ପ୍ରଥମ ପର୍ଯ୍ୟାୟରେ ୩୧୪ଜଣଙ୍କୁ ଘର ଯୋଗାଇ ଦିଆଗଲା। ପରେ ଅନ୍ୟମାନଙ୍କୁ ମିଶାଇ ଅଦ୍ୟାବଧି ୫୬୦ଜଣଙ୍କୁ ଘର ଯୋଗାଇ ଦିଆଯାଇଛି। ପର୍ଯ୍ୟାୟକ୍ରମେ ବାକି ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ବୋଲି କୁହାଯାଇଛି, କିନ୍ତୁ ଅଦ୍ୟାବଧି ଦିଆଯାଇନି।

ଶାନ୍ତିପଲ୍ଲୀ ବସ୍ତି
ଭଙ୍ଗାଘରକୁ ଗଢ଼ି ଭଡ଼ା ଲଗାଇଲେଣି
ରହିଲେଣି ବାହାର ଲୋକ, ପାଲଟିଲାଣି ନିଶାର ପେଣ୍ଠସ୍ଥଳୀ

ପୂର୍ବତନ କର୍ପୋରେଟର୍ ଭାନୁପ୍ରିୟା ଦାସ ଅଭିଯୋଗ କରିଛନ୍ତି, ୨୦୧୮ ମସିହାରେ ଶାନ୍ତିପଲ୍ଲୀ ବସ୍ତିର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ସର୍ତ୍ତାବଳୀ ଅନୁସାରେ ଯେଉଁମାନେ ୨୦୧୩ ଜୁନ୍ ପୂର୍ବରୁ ବସ୍ତିରେ ରହିଥିବେ, ଭୁବନେଶ୍ବରରେ ଘର ନ ଥିବ, ବାର୍ଷିକ ଆୟ ୨.୨୫ଲକ୍ଷରୁ ଅଧିକ ହୋଇନଥିବ, ସେମାନଙ୍କୁ ହିତାଧିକାରୀ ଭାବେ ଚୟନ କରାଯାଇଥିଲା। କିନ୍ତୁ ଘର ବାଣ୍ଟିଲା ବେଳେ ବ୍ୟାପକ ଅନିୟମିତତା କରାଗଲା। ତାଲିକା ବାହାରୁ ଓ ଯେଉଁମାନେ ବସ୍ତିରେ ରହୁନଥିଲେ, ସେମାନଙ୍କୁ ହିତାଧିକାରୀ ଦର୍ଶାଇ ଘର ଦିଆଗଲା। ଏଣୁ ଅନେକ ଯୋଗ୍ୟ ହିତାଧିକାରୀ ଏବେ ବି ଘର ପାଇନାହାନ୍ତି। ସେପଟେ ଯେଉଁ ବସ୍ତି ଉଚ୍ଛେଦ ହୋଇଥିଲା, ସରକାର ତାକୁ ନିଜ ଦଖଲକୁ ନ ନେବାରୁ ବାହାର ଲୋକେ ପୁଣି ଜବରଦଖଲ କରି ବସ୍ତି ଗଢ଼ିଲେଣି। ଯେଉଁମାନଙ୍କ ଘର ଅଧାଭଙ୍ଗା ଥିଲା, ସେମାନେ ଘରକୁ ପୁଣି ଗଢ଼ି ସାରି ଭଡ଼ାରେ ଲଗେଇଲେଣି। ଶାନ୍ତିପଲ୍ଲୀ ବସ୍ତି ଉନ୍ନୟନ କମିଟି ସଭାପତି କ୍ଷେତ୍ରବାସୀ ବେହେରା, ସଂପାଦକ ପ୍ରକାଶ ନାୟକ, ସଂଯୋଜକ ନରହରି ପ୍ରଧାନ କହିଛନ୍ତି, ଶାନ୍ତିପଲ୍ଲୀ ବସ୍ତି ଆବାସ ପ୍ରକଳ୍ପରେ ପ୍ରାୟ ୧୮୦ଜଣ ଅଯୋଗ୍ୟଙ୍କୁ ଘର ଦିଆଯାଇଛି। ଏବେ ବି ବହୁ ଯୋଗ୍ୟ ହିତାଧିକାରୀ ଟଙ୍କା ଜମା ଦେଇ ଘର ଅପେକ୍ଷାରେ ରହିଛନ୍ତି। ସେପଟେ ଯେଉଁମାନଙ୍କ ଘର ଭଙ୍ଗାଯାଇ ଆବାସ ପ୍ରକଳ୍ପରେ ଥଇଥାନ କରାଯାଇଥିଲା, ସେମାନେ ପୁଣି ଘର ତିଆରି କରି ବାହାର ଲୋକଙ୍କୁ ଭଡ଼ା ଦେଲେଣି। ବାକି ଯେଉଁ ଜାଗା ଖାଲି ପଡ଼ିଥିଲା, ତାକୁ ବାହାର ଲୋକ ମାଡ଼ି ବସିଲେଣି। ଏବେ ଶାନ୍ତିପଲ୍ଲୀ ବସ୍ତି ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶା କାରବାରର ଆଡ଼ାସ୍ଥଳୀ ପାଲଟିଛି ବୋଲି କମିଟି ଅଭିଯୋଗ କରିଛନ୍ତି। ସେପଟେ ଯେଉଁମାନଙ୍କୁ ଘର ମିଳିଛି, ତାର ଆକାର ୩୪୦ ବର୍ଗଫୁଟ ରହିବ ବୋଲି କୁହାଯାଇଥିଲା। କିନ୍ତୁ ଦେଲା ବେଳକୁ ୨୨୦ ବର୍ଗଫୁଟର ଘର ଦିଆଗଲା। ଯେଉଁଠି ରହିବା କଷ୍ଟକର। ଏହା ବିରୋଧରେ ଆମେ କୋର୍ଟର ଦ୍ବାରସ୍ଥ ହୋଇଛୁ ବୋଲି କମିଟି କହିଛି।