ଜରାଜୀର୍ଣ୍ଣ ଅବସ୍ଥାରେ ଶରତ ପାଇକରାୟ ଷ୍ଟାଡିୟମ୍‌: ଖେଳାଳିଙ୍କ ପାଦ ପଡ଼ୁନି, ଜମୁଛି ଅସାମାଜିକଙ୍କ ଆଡ଼ା

ଜଟଣୀ: ୨୦୦୯ ମସିହାରେ ଉଦ୍‌ଘାଟିତ ହୋଇଥିଲା ଶରତ ପାଇକରାୟ ଷ୍ଟାଡିୟମ୍‌। ପାଖାପାଖି ୧୫ ଏକର ଜମି‌ରେ ତିଆରି ହୋଇଥିବା ଏହି ଷ୍ଟାଡିୟମ୍‌ ଜଟଣୀ ସହରର ସବୁଠୁ ବଡ଼ ତଥା ଏକମାତ୍ର ସର୍ବସାଧାରଣ ଷ୍ଟାଡିୟମ୍‌। କିନ୍ତୁ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ। ଏକଦା ଜଟଣୀ ସହରରେ କ୍ରୀଡ଼ାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗଢ଼ି ଉଠିଥିବା ଏହି ଷ୍ଟାଡିୟମ୍‌ ମାତ୍ର ୧୪ ବର୍ଷ ଭିତରେ ଶୋଚନୀୟ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ଆଉ ‌କ୍ରୀଡ଼ାର ଭିତ୍ତିଭୂମି ହୋଇରହିନାହିଁ। ଏଠାରେ ଆଉ ଖେଳାଳୀମାନଙ୍କ ପାଦ ପଡ଼ୁନାହିଁ। ଦିନ ରାତି, ସକାଳେ ସଂଜେ ଏଠାରେ ନିଶାଡ଼ି ଓ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ଜମୁଛି। ଦୁଇଟିଯାକ ଫାଟକ ଭାଙ୍ଗିରୁଜି ଯାଇଥିବା ବେଳେ ବହୁ ଜାଗାରେ ପାଚେରି ଭୁଶୁଡ଼ିପଡ଼ିଲାଣି। ଦୁଇ ମହଲା ବିଶିଷ୍ଟ ଷ୍ଟାଡିୟମ୍‌ କାର୍ଯ୍ୟାଳୟର କବାଟ ଝରକା ସବୁ ଦୁର୍ବୃତ୍ତମାନେ ତାଡ଼ି ନେଇ ସାରିଲେଣି।

୨୦୦୯ ମସିହା ପୂର୍ବରୁ ଜଟଣୀରେ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମ୍‌ଟିଏ ନଥିଲା। କେବଳ ଥିଲା ଖୋର୍ଦ୍ଧାରୋଡ୍ ରେଳ ଷ୍ଟାଡିୟମ୍। ବିଭିନ୍ନ ପ୍ରତିଯୋଗିତା ପାଇଁ ଜଟଣବାସୀ ଏହା ଉପରେ ନିର୍ଭର କରୁଥିଲେ। ସେଥିପାଇଁ ରେଳ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାକୁ ପଡୁଥିଲା। ବହୁ ସମୟରେ ଅନୁମତି ମିଳୁ ନଥିଲା। ତେଣୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ସହରବାସୀ। କ୍ରୀଡ଼ାଭ୍ୟାସ ପାଇଁ ବହୁ ସମସ୍ୟା ହେଉଥିଲା। ତେଣୁ ତତ୍କାଳୀନ ବିଧାୟକ ସ୍ବର୍ଗତ ଶରତ ପାଇକରାୟ ଜଟଣୀ କଲେଜ ପାର୍ଶ୍ୱରେ ଥିବା ସରକାରୀ ଜମିରେ ଏହି ଷ୍ଟାଡିୟମ୍ ନିର୍ମାଣ କରାଇଥିଲେ ଏବଂ ୨୦୦୯ ମସିହାରେ ଏହା ଉଦ୍‌ଘାଟିତ ହୋଇଥିଲା। ପରେପରେ ସେଠାରେ ସହରର ଯୁବକମାନେ କ୍ରୀଡ଼ାଭ୍ୟାସ କରିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରିଥିଲେ। ଏମିତିକି ଏଠାକୁ ଆଖପାଖ ଗ୍ରାମାଞ୍ଚଳର ଯୁବକମାନେ ମଧ୍ୟ କ୍ରୀଡ଼ାଭ୍ୟାସ କରିବାକୁ ଆସୁଥିଲେ। ସ୍ଥାନୀୟ ସ୍କୁଲ୍‌ମାନଙ୍କର ବାର୍ଷିକ କ୍ରୀଡ଼ା ଉତ୍ସବ ମଧ୍ୟ ଏଠାରେ ଆୟୋଜନ କରାଯାଉଥିଲା। ସରକାରୀ ଓ ବେସରକାରୀ ସ୍ତରରେ ଏଠାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଆଶା କରାଯାଉଥିଲା, ଧୀରେ ଧୀରେ ଏହି ଷ୍ଟାଡିୟମ୍‌ ପୂର୍ଣ୍ଣାଙ୍ଗ ରୂପ ନେବ ଓ ଜଟଣୀରେ ଏକ ସୁଦୃଢ଼ କ୍ରାଡ଼ା ଭିତ୍ତିଭୂମି ମୁଣ୍ଡ ଟେକିବ। ମାତ୍ର ଏବେ ଫଳ ହୋଇଛି ଓଲଟା। ଦୀର୍ଘ ୫ବର୍ଷ ହେଲା ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ଷ୍ଟାଡିୟମ୍‌ ଉପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗର ନଜର ନଥିବାରୁ ଏଭଳି ଅବସ୍ଥା ଉପୁଜିଛି ବୋଲି ସହରର କ୍ରୀଡ଼ାପ୍ରେମୀମାନେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ବିଜେପି ନେତା ସୁଦୀପ୍ତ ରାୟ କହିଛନ୍ତି ଯେ ଏକଦା ଜଟଣୀରେ ଫୁଟବଲ୍ ଖେଳ ବେଶ୍ ଜନପ୍ରିୟ ଥିଲା। ୩/୪ଟି ରାଜ୍ୟସ୍ତରୀୟ କ୍ଲବ୍‌ ଥିଲା। ସେତେବେଳେ ଏଭଳି ବୃହତ୍ ଷ୍ଟାଡିୟମ୍‌ ନଥିଲା। ତେଣୁ ଏହି ଷ୍ଟାଡିୟମ୍‌ ନିର୍ମାଣ ହେବା ପରେ ଏଠାରେ ଫୁଟବଲ୍‌ ଖେଳ ବହୁ ଆଗକୁ ଯିବା କଥା। ମାତ୍ର ପରିତାପର କଥା ଏହାର ରକ୍ଷଣାବେକ୍ଷଣ ହୋଇପାରିଲା ନାହିଁ। କ୍ରୀଡ଼ାର ଭିତ୍ତିଭୂମି ବିକାଶକୁ ନେଇ ରାଜ୍ୟ ସରକାର କିଭଳି ମିଛ ଡିଣ୍ଡିମ ପିଟୁଛନ୍ତି, ଏହି ଷ୍ଟାଡିୟମ୍ ଏକ ପ୍ରମାଣ। ଏହାର ପୁନରୁଦ୍ଧାର ଜରୁରୀ। ସେହିଭଳି ନାଗରିକ କମିଟି ସଭାପତି ମନ୍ମଥ ରାଉତରାୟ କହିଛନ୍ତି ଯେ ଏବେ କ୍ରୀଡ଼ାପ୍ରେମୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। ତେଣୁ ଏହାର ପୁନରୁଦ୍ଧାର ଆବଶ୍ୟକ। ତେବେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯିବ ଏବଂ ଆବଶ୍ୟକ ହେଲେ ବାହାରୁ ଅନୁଦାନ ଆଣିବାକୁ ଚେଷ୍ଟା କରାଯିବ।

ସମ୍ବନ୍ଧିତ ଖବର