ବନ୍ୟା ଉଜାଡ଼ିଲା ଭାଗଚାଷୀଙ୍କ ଭାଗ୍ୟ, ବନ୍ୟାଞ୍ଚଳ ଚାଷୀଙ୍କୁ ବିହନ ମିଳୁନି

ବାଲିପାଟଣା: ବିଲରେ ସଢ଼ିଗଲା ଧାନ ଓ ପରିବା ଚାଷ। ମୂଲ ମଜୁରି ବି ମିଳୁନି। କରଜଦାତା ଦୁଆରେ ବସୁଛି। ହାତରେ କାଣି କଉଡ଼ିଟିଏ ନଥିବାରୁ ପିଲାଛୁଆଙ୍କୁ ଭଲରେ ମୁଠାଏ ଖାଇବାକୁ ଦେଇ ହଉନି। ଯୁଆଡ଼େ ଚାହିଁଲେ, ସବୁଆଡ଼ୁ ହତାଶ ହିଁ ହତାଶ। ଏମିତି ଅବସ୍ଥାରେ ଏବେ କାଳ କାଟୁଛନ୍ତି ସ୍ଥାନୀୟ ଭାଗଚାଷୀମାନେ। ସରକାର ବନ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେ‌ବେ ବୋଲି ଘୋଷଣା କରିଛନ୍ତି, କିନ୍ତୁ ତା ବି ଜମି ମାଲିକ ଖାତାକୁ ଯିବ। ତେଣୁ ଭାଗଚାଷୀମାନେ ସେଥିରୁ କିଛି ଫାଇଦା ପାଇବା ଆଶା ନାହିଁ। ଏଭଳି ସ୍ଥିତିରେ ସେମାନେ ବର୍ଷ ସାରା ଚଳିବେ କେମିତି ଓ କରଜ ଶୁଝିବେ କେମିତି ବୋଲି ଚିନ୍ତାରେ ପଡ଼ିଛନ୍ତି।

ଚଳିତ ବନ୍ୟାରେ ବାଲିପାଟଣା ବ୍ଲକର ୭ ପଞ୍ଚାୟତରେ ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଭାଗଚାଷୀ। ଧାନ ଓ ପରିବା ଚାଷ ସହିତ ସେମାନଙ୍କ ଭାଗ୍ୟ ଉଜୁଡ଼ି ଯାଇଛି। ଅଧିକାଂଶ ଭାଗଚାଷୀ ମହିଳା ସଂଗଠନ ଋଣରେ ବୁଡ଼ିଛନ୍ତି। ଏବେ ସେମାନେ ସେଥିପାଇଁ ସାପ୍ତାହିକ କିସ୍ତି ପାଇଁ ଦୁଆରକୁ ଧାଉଁଛନ୍ତି। ତେଣୁ କିଛି ଭାଗଚାଷୀ ମୁହଁ ଲୁଚାଇବା ଭଳି ସ୍ଥିତିକୁ ଆସିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କିଛି ଭାଗଚାଷୀ ପୁଣି ବିଲ ଉଠିଆ ପାଇଁ ଉଦ୍ୟମ କରିବା ଆରମ୍ଭ କରିଛନ୍ତି। କୃଷି ବିଭାଗ ସହଳ ବିହନ ଯୋଗାଇବ ବୋଲି ସୂଚନା ଦେଇଛି। ୧୨୦ ଦିନିଆ ଧାନ ବିହନ ଯୋଗାଇ କିଛି କିଛି ଜମିରେ ପୁଣି ଧାନ ଅମଳ କରିବାକୁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସହଯୋଗ କରିବ ବୋଲି ସୂଚନା ମିଳିଛି। ତେଣୁ ପୁଣି ଆଶା ବାନ୍ଧିଛି ଭାଗଚାଷୀ। ମାତ୍ର ତାହା କେତେ ଫଳବତୀ ହେବ, ତାହାକୁ ନେଇ ବହୁ ଭାଗଚାଷୀ ସଂଶୟ ମଧ୍ୟରେ ଅଛନ୍ତି।

ବାଲିଅନ୍ତା: ବନ୍ୟାରେ ସ୍ଥାନୀୟ ଧାନ ଚାଷୀମାନଙ୍କର ବିପୁଳ କ୍ଷତି ହୋଇଥିଲେ ହେଁ ଚାଷୀମାନେ ବିଲ ଉଠିଆ କରିବା ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ବିହନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସମୟ ଅଭାବ ଥିବାରୁ ଛୋଟ ଧାନ କରି ଚାଷୀ ବର୍ଷକ ଭାତ ଯୋଗାଡ଼ କରିବାକୁ ଉଦ୍ୟମ କରୁଥିବାବେଳେ କୃଷି ବିଭାଗ ସେମାନଙ୍କୁ ଉପଯୁକ୍ତ ବିହନ ଯୋଗାଇ ପାରୁନାହିଁ। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ଆଦରି ବସି ରହିଛନ୍ତି।

ବ୍ଲକ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବନ୍ୟା କ୍ଷତିଗ୍ରସ୍ତ ଝିଣ୍ଟିଶାସନ ଓ ପୁରୋହିତପୁର ପଞ୍ଚାୟତ ଅଞ୍ଚଳରେ ୩୦ ଏକର ଜମିରେ ସହଳ କିସମର ଧାନ ଚାଷ କରାଯିବା ଲାଗି ସ୍ଥିର ହୋଇଛି। ଏହି ଅଞ୍ଚଳରେ ୩ କିସମର ଧାନ ବିହନ ଯଥା ଚନ୍ଦ୍ରା, ତରଙ୍ଗିଣୀ (୧୧୫୬), ଡିଆର୍‌ଆର୍‌ ୪୨ ଭଳି ବିହନ ଦରକାର ବୋଲି ଜଣେ କୃଷି ଅଧିକାରୀ କହିଛନ୍ତି। ମାତ୍ର ଭୁବନେଶ୍ବର ସାମନ୍ତରାପୁରସ୍ଥିତ ବିହନ ନିଗମରେ ଏହି ବିହନ ମହଜୁଦ ନଥିବା ଜଣାପଡ଼ିଛି। ତେଣୁ ଚାଷୀମାନେ କୃଷି ବିଭାଗ କାର୍ଯ୍ୟାଳୟରୁ ବିହନ ନ ପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି। ଅଧିକାଂଶ ସମୟ ଉକ୍ତ କାର୍ଯ୍ୟାଳୟରେ ତାଲା ଝୁଲୁଛି। ତେବେ ସମ୍ବଲପୁର ଓ ବଡ଼ଗଡ଼ ଅଞ୍ଚଳରୁ ଏହି ଧାନ ବିହନ ସଂଗ୍ରହ କରାଯିବା ବୋଲି ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ବିହନ କେବେ ଆସିବ ଓ ଚାଷୀମାନେ କେବେ ପାଇବେ ବୋଲି ଚାଷୀମହଲରେ ଉତ୍କଣ୍ଠା ସୃଷ୍ଟି ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳକୁ ଧାନ ବିହନ ‌ଯୋଗାଣ ଦାୟିତ୍ବରେ ଥିବା କୃଷି ଅଧିକାରୀ ଓ କ୍ଷେତ୍ର କୃଷି କର୍ମଚାରୀମାନେ କରୋନା ଆଳରେ ଚାଷୀଙ୍କୁ ପରାମର୍ଶ ଦେଉନଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ଧାନ ବିହନ ମିଳୁନଥିବାବେଳେ ପରିବା ଚାଷୀମାନେ ମଧ୍ୟ ସମାନ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି। ବ୍ଲକ ଉଦ୍ୟାନ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନଦୀ ପଠାରେ ଓ ଅନ୍ୟାନ୍ୟ ଢିପ ଜମିରେ ପନି ପରିବା ଫସଲ କରିବା ପାଇଁ ମଞ୍ଜି ଯୋଗାଇ ଦେବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ସମ୍ବନ୍ଧିତ ଖବର