ଭିତ୍ତିଭୂମି ଯୋଗାଇବାକୁ ଦାୟିତ୍ବ ବାଣ୍ଟିଲେ

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରାଜଧାନୀ ଉପକଣ୍ଠରେ ବିଭିନ୍ନ ଅଞ୍ଚଳରେ ହେଉଥିବା ଟିପି ସ୍କିମ୍‌ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଟିପି ସ୍କିମ୍‌ ଅଞ୍ଚଳରେ ବିଡିଏ ସବୁପ୍ରକାର ଭିତ୍ତିଭୂମି ବିକାଶ କରିବା ପାଇଁ ଯୋଜନା କରିଥିଲେ ହେଁ କରିପାରୁନଥିବାରୁ ମୁଖ୍ୟ ଶାସନ ସଚିବ ଏହାକୁ ବିଭିନ୍ନ ବିଭାଗ ମଧ୍ୟରେ ବାଣ୍ଟି ଦେଇଛନ୍ତି।
ଆଜି ମୁଖ୍ୟ ଶାସନ ସଚିବ ଡିଜିଟାଲ ମୋଡରେ ଟିପି ସ୍କିମ୍‌ର ସମୀକ୍ଷା କରି କହିଛନ୍ତି ଯେ, ଏହି ଅଞ୍ଚଳରେ ଗମନାଗମନ, ପାନୀୟ ଜଳ, ଯୋ‌ଗାଣ, ବିଦ୍ୟୁତ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଯିବା ଦରକାର।

ଏଥିପାଇଁ ପୂର୍ତ୍ତ ବିଭାଗ ସମସ୍ତ ମୁଖ୍ୟ ରାସ୍ତା ନିର୍ମାଣ କରିବ ଏବଂ ବିଡିଏ ଭିତର ରାସ୍ତାଗୁଡ଼ିକ ନିର୍ମାଣ କରିବ। ୱାଟକୋ ଏଠାରେ ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ନିମନ୍ତେ ଦୂରଦର୍ଶୀ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବ। ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ସବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଟାଟା ପାୱାର କେନ୍ଦ୍ରୀୟ ବିତରଣ କମ୍ପାନିକୁ ଦାୟିତ୍ବ ଦିଆଯାଇଛି। ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ସବୁ ସଂସ୍ଥାକୁ କୁହାଯାଇଛି। ଏହାସହ ପ୍ରଥମ ପର୍ଯ୍ୟାୟ ପଟ୍ଟା ଆବଣ୍ଟନ କାର୍ଯ୍ୟ ମାସକ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।

ଟିପି ସ୍କିମ୍‌ର ସମୀକ୍ଷା କଲେ ମୁଖ୍ୟ ସଚିବ

ପ୍ରଥମ ପର୍ଯ୍ୟାୟ ପଟ୍ଟା ଆବଣ୍ଟନ ମାସକ ମଧ୍ୟରେ ସରିବ

ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂହ ଟିପି ସ୍କିମ୍ କାର୍ଯ୍ୟନ୍ବୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା କରିଥିଲେ। ଶ୍ରୀ ସିଂହ କହିଥିଲେ ଯେ, ବିଡିଏ ପକ୍ଷରୁ ୪୫ଟି ଟିପି ସ୍କିମ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪ଟି ସ୍କିମ୍ ଆରମ୍ଭ କରାଯାଇଛି ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ତ୍ବରାନ୍ବିତ ହୋଇଛି। ଏହାଛଡ଼ା ଅନ୍ୟ ୯ଟି ସ୍କିମ୍‌ର ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ବରାନ୍ବିତ ହୋଇଛି। ଟିପି ସ୍କିମ୍ ୧, ୨, ୩, ୪ରେ କ୍ଷେତ୍ର ସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି। ଏହା ଖୁବ୍‌ ଶୀଘ୍ର ସରିବ।

ସୂଚନାଯୋଗ୍ୟ ଯେ, ଟିପି ସ୍କିମ୍‌-୧ରେ ସହଜପୁର, ନାରୋଗଦା, ସିଜିପୁଟ ଏବଂ ପାଇକରାପୁର ମୌଜାରେ କରାଯାଉଛି। ଟିପି ସ୍କିମ୍‌-୨ ତମାଣ୍ଡୋ, ବିଜିପୁର ମୌଜାରେ, ଟିପି ସ୍କିମ୍‌-୩ ନୂଆ ଗାଁ ଓ ପାଇକରାପୁର ଏବଂ ଟିପି ସ୍କିମ୍‌-୪ ଶ୍ୟାମସୁନ୍ଦରପୁର ମୌଜାରେ କରାଯାଉଛି। ଏହି ୪ଟି ସ୍କିମ୍‌ ସମୁଦାୟ ୧୬୦୦ ଏକର ଜମି ଉପରେ ହେଉଛି। ଏଠାରେ ପ୍ରାୟ ଦେଢ ଲକ୍ଷ ଲୋକ ରହିପାରିବେ। ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ୪ଟି ସ୍କିମ୍‌ର ବିକାଶ ପାଇଁ ପ୍ରାୟ ୭୪୯କୋଟି ଖର୍ଚ୍ଚ ହେବ। ଏହି ବୈଠକରେ ନଗର ଉନ୍ନୟନ ବିଭାଗ ପ୍ରମୁଖସଚିବ ଜି.ମାଥିଭାଥନନ୍, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ବିଡିଏର ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର