ଶାଶ୍ୱତୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ବାଲିପାଟଣା: ଚଳିତ ବର୍ଷ ଜାତୀୟ ପ୍ୟାରିସ ଆର୍ଟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲିପାଟଣା ଝିଅ ଶାଶ୍ୱତୀ ପ୍ରିୟଦର୍ଶିନୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମ୍ୱର୍ଦ୍ଧିତ କରିଛନ୍ତି। ବୁଧବାର ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଶାଶ୍ୱତୀଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ଶାଶ୍ୱତୀ ଅଙ୍କିଥିବା ଚାରକୋଲ୍‌ ଚିତ୍ରକଳା ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶାଶ୍ୱତୀଙ୍କ ବାପା ବିଭୁଭୂଷଣ ସାହୁ, ମା’ ନମିତା ସ୍ୱାଇଁ ଏବଂ ସାନ ଭଉଣୀ ସ୍ୱୀକୃତି ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ।

ପ୍ରକାଶଥାଉ କି ଗତ ସେପ୍ଟେମ୍ବର ୮ ରେ ପ୍ୟାରିସ ଆର୍ଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୧୭୬ଟି ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଫୁଲନଖରାସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ଶାଶ୍ୱତୀ ପ୍ରିୟଦର୍ଶନୀ ଥିଲେ। ଚାରକୋଲ୍‌ (ବିଶୁଦ୍ଧ କୋଇଲା ବା ଅଙ୍ଗାର)ରେ ନିର୍ମିତ ପେନସିଲ୍‌ରେ ଶାଶ୍ୱତୀ କରୋନା କାଳର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଚିତ୍ର ଆଙ୍କିଥିଲେ। ତାଙ୍କ ଚିତ୍ରକଳା ପ୍ରଥମ ସ୍ଥାନ ଅଧିକାର କରିଥିଲା। ଯାହା କି ବିଶ୍ୱର ପ୍ରସିଦ୍ଧ ପ୍ୟାରିସ ମ୍ୟୁଜିୟମ ଅଫ ମଡର୍ଣ୍ଣ ଆର୍ଟ ଗ୍ୟାଲେରିରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର