‘ମୋ ଖତ’ ପରିଚାଳନାରେ ବିଚିତ୍ର ବ୍ୟବସ୍ଥା: କମ୍ ପଇସାରେ ଠିକା ଶ୍ରମିକ ଖଟାଉଛନ୍ତି ଏସ୍ଏଚ୍‌ଜି

ଭୁବନେଶ୍ବର : ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ସେଗୁଡ଼ିକ ମଧ୍ୟରେ ରାଜଧାନୀରେ ପରିଚାଳିତ ହେଉଥିବା ‘ମୋ ଖତ’ ଯୋଜନା ଅନ୍ୟତମ। ଏଥିରେ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ମାନଙ୍କୁ ସାମିଲ୍‌ କରାଯାଇଛି। ଏସ୍‌ଏଚ୍‌ଜିର ସଦସ୍ୟମାନେ ଏହି ଖତ ପ୍ରସ୍ତୁତ କରିବେ ଓ ରୋଜଗାରକ୍ଷମ ହେବେ ବୋଲି ନିୟମ ରହିଛି। କିନ୍ତୁ କିଛି ସ୍ଥାନରେ ବିଚିତ୍ର ବ୍ୟବସ୍ଥା ଦେଖାଯାଇଛି। ଏସ୍‌ଏଚ୍‌ଜିମାନେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ଠାରୁ ‘ମୋ ଖତ’ ପ୍ରସ୍ତୁତି ଦାୟିତ୍ବ ନେଇଥିଲେ ବି ଦିନ ମଜୁରିଆଙ୍କୁ ଖଟାଉଥିବା ଦେଖିବାକୁ ମିଳୁଛି। ଦିନ ମଜୁରିଆଙ୍କ ଦ୍ବାରା କମ୍‌ ପଇସାରେ କାମ କରାଇ ଫାଇଦା ଉଠାଉଛନ୍ତି। ଏମିତିକି ଦିନ ମଜୁରିଆଙ୍କୁ ଦୁଇ ମାସରେ ଥରେ ଦରମା ଆକାରରେ ଟଙ୍କା ଦେଉଥିବା ଅଭିଯୋଗ ହେଉଛି। କାମ ପାଉ ନଥିବା ଗରିବ ମହିଳାମାନେ ବାଧ୍ୟ ହୋଇ ସେଠାରେ କମ୍ ମଜୁରିରେ ଖଟୁଥିବା ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ, ନିକୋପାର୍କ ନିକଟରେ ଥିବା ଏମ୍‌ସିସିକୁ ୨୯ନମ୍ବର ୱାର୍ଡର ରମାଦେବୀ ଏସଏଚ୍‌ଜି ସଦସ୍ୟମାନେ ପରିଚାଳନା କରୁଛନ୍ତି। ବିଏମ୍‌ସି ୨୮ ଓ ୨୯ ନମ୍ବର ୱାର୍ଡରୁ ସଂଗୃହୀତ ବର୍ଜ୍ୟବସ୍ତୁ ଏଠାକୁ ଅଣାଯାଉଛି ଓ ସେଥିରୁ ‘ମୋ ଖତ’ ପ୍ରସ୍ତୁତ ହେଉଛି। କିନ୍ତୁ ଏଠାରେ ଏସଏଚ୍‌ଜିର ସଦସ୍ୟମାନେ ସିଧାସଳଖ ନିଜେ କାମ ନକରି ବାହାରୁ ୬ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ମାସିକ ଦରମା ହିସାବରେ ଖଟାଉଛନ୍ତି। ନିୟମା‌ନୁସାରେ, ସେମାନଙ୍କୁ ମାସିକ ୭ ହଜାର ଟଙ୍କା ମିଳିବାକୁ ଥିବା ବେଳେ ସେମାନେ ୬ ହଜାର ୮ ଶହ ଟଙ୍କା ପାଉଛନ୍ତି। ୨ ଶହ ଟଙ୍କା ଏସ୍‌ଏଚ୍‌ଜି କାଟି ରଖୁଛି। ଏହି ଶ୍ରମିକମାନଙ୍କ କହିବା କଥା ସେମାନେ ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖଟୁଛନ୍ତି। ବର୍ଜ୍ୟବସ୍ତୁ ବାଛିବା, ମେସିନ୍ ଚଲେଇବା ଓ ଟାଙ୍କିରେ ପକାଇବା କାର୍ଯ୍ୟ କରୁଛନ୍ତି। ୬ ମାସ ପରେ ଦରମା ବଢ଼ିବ ବୋଲି କୁହାଯାଇଥିଲା। କିନ୍ତୁ ବର୍ଷେ ବିତିବା ପରେ ବି ସେଇ ଦରମାରେ ସେମାନେ କାମ କରୁଛନ୍ତି। ଏନେଇ ବିଏମ୍‌ସି ଅଧିକାରୀଙ୍କୁ କହି‌ଲେ କିଛି ଲାଭ ହେଉନାହିଁ। ବରଂ ସେତିକି ଟଙ୍କାରେ କାମ ନକଲେ, କାମ ଛାଡ଼ି ଦିଅ ବୋଲି ପରୋକ୍ଷ ଚେତାବନୀ ମିଳୁଛି। ସେହିଭଳି ଠିକ୍‌ ସମୟରେ ବି ପାରିଶ୍ରମିକ ମିଳୁ ନାହିଁ। ବେଳେବେଳେ ୨ ମାସରେ ମଜୁରି ମିଳୁଛି। କରୋନା କାଳରେ କାମ ନାହିଁ। ବଜାର ଦର ବଢ଼ିଛି। ତେଣୁ ପରିବାର ଚଳେଇବା କଷ୍ଟ ହେଉଛି। କିନ୍ତୁ ଅନ୍ୟ ବାଟ ନଥିବାରୁ ଏଠି ବାଧ୍ୟରେ କାମ କରୁଛୁ ବୋଲି ବଡ଼ ଦୁଃଖରେ ସେମାନେ କହିଛନ୍ତି।

ଏନେଇ ଦାୟିତ୍ବ ନେଇଥିବା ରମାଦେବୀ ଏସ୍‌ଏଚ୍‌ଜିର ସଭାପତି ଆର୍‌ ସୁନିତା ଦୋରାଙ୍କ କହିବା କଥା, ତାଙ୍କ ଗ୍ରୁପ୍‌ରେ ୧୦ ସଦସ୍ୟ ଅଛନ୍ତି। ସେଥିରୁ ୪ଜଣ ସ୍ୱଚ୍ଛସାଥୀ ଭାବେ ଏଠାରେ କାର୍ଯ୍ୟ କରୁଛନ୍ତି। ଅନ୍ୟ ୬ଜଣ କାର୍ଯ୍ୟ କରି ନପାରିବାରୁ ବାହାର ଲୋକଙ୍କୁ ଲଗାଇଛୁ। ବିଏମ୍‌ସି ସହ ପରାମର୍ଶ କରି ଏହି ପଦକ୍ଷେପ ନିଆଯାଇଛି। ତାଙ୍କ ଗ୍ରୁପ୍‌ରେ ରୋଜଗାରକ୍ଷମ ମହିଳା ନଥିବାରୁ ସେମାନଙ୍କ ପାଇଁ ୨ଶହ ଟଙ୍କା କାଟି ରଖାଯାଉଛି। ସେହିଭଳି ଗ୍ରୁପ୍‌ର ଖାତା, ଷ୍ଟାମ୍ପ୍‌ କିଣା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମଧ୍ୟ ଟଙ୍କା ଦରକାର ପଡ଼ୁଥିବାରୁ ଶ୍ରମିକଙ୍କ ପାରିଶ୍ରମିକରୁ କଟାଯାଉଥିବା‌ ଅର୍ଥ ସେବାଟରେ ବିନିଯୋଗ ହେଉଛି।

ସମ୍ବନ୍ଧିତ ଖବର