ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏପଟେ ଏନ୍ଜିଟିରେ ମାମଲା ପହଞ୍ଚିଥିବା ବେଳେ ଅନ୍ୟପକ୍ଷରେ ରାଜନୈତିକ ଦଳଗୁଡ଼ିକ ବିରୋଧରେ ସାମିଲ ହୋଇଛନ୍ତି। ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଚାଲିଥିବା ପାହାଡ଼ ବଞ୍ଚାଅ ଅଭିଯାନକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ ସମର୍ଥନ କରିଛନ୍ତି। ଶ୍ରୀ ପଟ୍ଟନାୟକ ଆଜି କଟାଯାଇଥିବା ପାହାଡ଼ ପରିଦର୍ଶନ କରିବା ପରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବିକାଶ ନାମରେ ମଣିଷ ସମାଜ ବିନାଶ ଆଡ଼କୁ ଯାଉଛି। ଭୁବନେଶ୍ୱରରେ ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ କେଉଁଠି ନାହିଁ। ତାକୁ ନଷ୍ଟ କରିବା କେବେ ବି ଗ୍ରହଣୀୟ ନୁହେଁ। ପାହାଡ଼ ସୁରକ୍ଷା ଲାଗି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନରେ ସେ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସମିତି ପକ୍ଷରୁ କୁହାଯାଇଛି ଯେ ପାହାଡ଼ ସୁରକ୍ଷା ପାଇଁ ଏନ୍ଜିଟିରେ ମାମଲା ହୋଇଛି, ଯାହାର ପ୍ରଥମ ଶୁଣାଣି ସୋମବାର ହେବାକୁ ଯାଉଛି। ବିନା ପଲ୍ଲୀସଭା କି ଜନଶୁଣାଣିରେ ମନଇଚ୍ଛା ପାହାଡ଼କୁ ଧ୍ବଂସ କରାଯାଉଛି। ଯେଉଁମାନେ ଏହା ପଛରେ ରହିଛନ୍ତି ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ। ୨୧୨ ଏକରର ଏହି ପାହାଡ଼ ଅଯୋଗ୍ୟ ଅବାଧ୍ୟ ଅନାବାଦୀ ଜମିକୁ କିଭଳି ରାଜ୍ୟ ସରକାର ଇଡ୍କୋକୁ ଦେଲେ ଏବଂ କେଉଁ ଆଧାରରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ପାହାଡ଼ କାଟିଲେ, ସେସବୁର ହିସାବ ଦେବାକୁ ପଡ଼ିବ। ଏହି ପାହାଡ଼ ଉପରେ ଅନେକ ଗବେଷଣା କରିଥିବା ବ୍ୟକ୍ତିମାନେ ମଧ୍ୟ ଜାତୀୟ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଏଠାରେ ୨୨୦ ପ୍ରଜାତିର ଔଷଧୀୟ ବୃକ୍ଷ ଥିବା ଗବେଷଣାରୁ ଜଣାପଡ଼ିଛି। ଯେଉଁମାନେ ସର୍ଭେ କରିଛନ୍ତି, ସେମାନେ ମଧ୍ୟ ସମର୍ଥନ ଦେବାକୁ ଆଗକୁ ଆସିଛନ୍ତି। ଆବଶ୍ୟକ ହେଲେ ଆଗକୁ ନ୍ୟାୟଳୟର ଆଶ୍ରୟ ନେବୁ। ଏହି ଅଞ୍ଚଳର ଅସ୍ମିତା ହେଉଛି ଶିଖରଚଣ୍ଡୀ ପାହାଡ଼। ତାହାକୁ କେବେ ବି କାହା ହାତରେ ଟେକି ଦିଆଯିବ ନାହିଁ ବୋଲି ସମିତି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/57-7.jpg)