ଚନ୍ଦ୍ରଶେଖରପୁର: ୨୦୨୫ ମାର୍ଚ୍ଚ ମାସ ସରିଗଲାଣି। ତଥାପି ଶେଷ ହେଲାନି ଶିଖରଚଣ୍ଡୀ ମନ୍ଦିର ସଂଲଗ୍ନ ହନୁମାନ ପାହାଡ଼ରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ। ବାଦବିବାଦ ମଧ୍ୟରେ ସାଢ଼େ ୩ ଏକର ପରିମିତ ଜମିରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଏତେ ମନ୍ଥର ଗତିରେ ହେଉଛି ଯେ କେବେ ସରିବ, କାହା ପାଖରେ ଉତ୍ତର ନାହିଁ। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ଏହି ପାନୀୟ ଜଳ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ନେଇ ଜନ ପ୍ରତିନିଧିଙ୍କ ପାଖରେ କୌଣସି ଖବର ନ ଥିବା ବେଳେ ସରକାରୀ ଅଧିକାରୀମାନେ ଆଶା ଆଶଙ୍କାରେ ଅଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲାଣି। ଯେତେଶୀଘ୍ର ସମ୍ଭବ ପ୍ରକଳ୍ପ ଶେଷ କରି ନିର୍ବାଚନମଣ୍ଡଳୀକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ୨୬୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପାନୀୟ ଜଳ ପ୍ରକଳ୍ପରେ ୩୦ ମିଲିୟନ ଲିଟର ପାଣି ମହଜୁଦ ରହିବ। ମୁଣ୍ଡଳିରୁ ସିଧାସଳଖ ମହାନଦୀର ପାଣି ବିଶୋଧନ ପରେ ପାଇପ୍‌ ଯୋଗେ ଏଠାକୁ ଅଣାଯାଇ ସଂରକ୍ଷଣ କରାଯିବ। ଏହାପରେ ସେହି ପାଣିକୁ ସହରବାସୀଙ୍କୁ ଯୋଗାଣ ହେବ। ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଚନ୍ଦ୍ରଶେଖରପୁର, ମୈତ୍ରୀବିହାର, ନୀଳାଦ୍ରିବିହାର, ପଟିଆ, ରେଳବିହାର, ଶୈଳଶ୍ରୀବିହାର, ପ୍ରଶାନ୍ତିବିହାର, ନନ୍ଦନକାନନ, ଡମଣା, ଶ୍ରୀବିହାର, କଳାରାହାଙ୍ଗ, ରଘୁନାଥପୁର, ଇଞ୍ଜଣା, ରଙ୍ଗମାଟିଆ, ଗାଡ଼କଣ ପରି ଅଧା ଭୁବନେଶ୍ବରକୁ ଜଳ ଯୋଗାଣ ସୁବ୍ୟବସ୍ଥିତ ହୋଇପାରିବ। ପାନୀୟ ଜଳ ଯୋଗାଣରେ ଉପୁଜୁଥିବା ସମସ୍ୟା ଆଉ ଦେଖାଯିବ ନାହିଁ। ୨୦୨୫ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ୨୦୨୩ରେ ପ୍ରକଳ୍ପ ଆରମ୍ଭ ସମୟରେ କୁହାଯାଇଥିଲା।

Advertisment

ପାଣି ପାଇପ୍‌ ବିଛା କାର୍ଯ୍ୟ ସରିନାହିଁ
ଉପକୃତ ହେବେ ଅଧା ରାଜଧାନୀବାସୀ

ଇତିମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସେତେଟା ଅଗ୍ରଗତି ହୋଇପାରି ନାହିଁ। ପାଣି ଟାଙ୍କିର ଅଧାରୁ ଅଧିକ କାମ ସରିଥିବା ବେଳେ ପାହାଡ଼ ଉପରେ ବାକି କଂକ୍ରିଟ୍‌ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏବେ ବର୍ଷା ଆରମ୍ଭ ହୋଇଥିବାରୁ ବାକି କାମ ତ୍ବରିତ ବେଗରେ ଆଗେଇବା ସମ୍ଭବପର ହୋଇପାରୁ ନ ଥିବା ଦେଖିବାକୁ ମିଳିଛି। ତେବେ ଟାଙ୍କିର ପାହାଡ଼ ତଳକୁ ପାଇପ୍‌ ସଂଯୋଗ ଶେଷ ହୋଇଛି। ପ୍ରକଳ୍ପ ମନ୍ଥର ଗତିରେ ଚାଲୁଥିବାରୁ ୨୦୨୫ରେ ପୂର୍ଣ୍ଣାଙ୍ଗ ରୂପ ନେବା ନେଇ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।

ରଘୁନାଥପୁରର ସୁନାକର ଭୂୟାଁ କହିଛନ୍ତି ଯେ ସହରର ଯେଉଁ ସବୁ ଅଞ୍ଚଳକୁ ପାଣି ପାଇପ ସଂଯୋଗ ହେବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ। ବାରମ୍ବାର ପାଣି ପାଇପ ବିଛାଇବା ଏବଂ ପୁଣି ହଟାଇବା ଭଳି ସମସ୍ୟା ସୃଷ୍ଟି ହେଉଥିବାରୁ ଲୋକେ ଏବେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ପାଣି ପାଇପ୍‌ ବିଛା ସରିଛି ତାହାକୁ ଠିକ୍‌ ଭାବେ ମରାମତି କରାଯାଉ ନ ଥିବାରୁ ବର୍ଷାରେ ରାସ୍ତା ନଷ୍ଟ ହେଉଛି। ସ୍ଥାନେ ସ୍ଥାନେ ରାସ୍ତା ଧୋଇଯିବାରୁ ଦୁର୍ଘଟଣା ବଢ଼ୁଛି। ନୀଳାଦ୍ରିବିହାରର ପୂର୍ଣ୍ଣିମା ସାହୁ କହିଛନ୍ତି ଯେ ପାଣି ପାଇପ୍‌ ସଂଯୋଗ ପାଇଁ ବାରମ୍ବାର ରାସ୍ତା ତଡ଼ା ଯାଉଛି। କେବେ ରାସ୍ତା ପାର୍ଶ୍ବ ତ ଆଉ କେବେ ରାସ୍ତା ମଝି ଖୋଳାଯାଇ ପାଣି ପାଇପ୍‌ ପକାଉଛନ୍ତି। ବର୍ଷା ଦିନ ଆରମ୍ଭ ହୋଇଥିବାରୁ ଆଗକୁ ରାସ୍ତାଗୁଡ଼ିକ ମରାମତି କରା ନ ଗଲେ ନାକେଦମ ହେବାକୁ ପଡ଼ିବ। ପ୍ରଶାସନ ଏଦିଗରେ ପଦକ୍ଷେପ ନେଉ।

ପ୍ରକଳ୍ପ କାମରେ ନିୟୋଜିତ ଜଣେ ଅଧିକାରୀ କହିଛନ୍ତି ଯେ ପାହାଡ଼ର ପାନୀୟ ଜଳ ପ୍ରକଳ୍ପ କରିବାକୁ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ଅନୁମତି ମିଳିବାରେ ବିଳମ୍ବ ହୋଇଥିଲା। ସାଧାରଣ ନିର୍ବାଚନ ସମୟରେ ମଧ୍ୟ କିଛି ମାସ ଧରି କାମ ବନ୍ଦ ରହିଥିଲା। ପାହାଡ଼ ଉପରେ ପ୍ରାୟ ୧୦ ମିଟର ଖନନ କରିବା ଏହି ପ୍ରକଳ୍ପ ପାଇଁ ବଡ଼ ଆହ୍ବାନ ପାଲଟିଥିଲା। ଏବେ କାମ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି।