ଭୁବନେଶ୍ୱର: ସୋମବାର ସନ୍ଧ୍ୟାରେ ଓଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଆସି ବିବାଦରେ ଛନ୍ଦି ହୋଇଛନ୍ତି। ମନ୍ଦିର ପରିସର ଭିତରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେ ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିବା ପରେ ବିବାଦର ସୂତ୍ରପାତ ହୋଇଛି। ମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ଓ ଫଟୋ କିଏ ଉଠାଇଲା ତଥା ସେଲିବ୍ରିଟି ଓ ସାଧାରଣ ଲୋକଙ୍କ ପାଇଁ ନିୟମ କ’ଣ ଅଲଗା ବୋଲି ପ୍ରଶ୍ନ ଉଠିଛି। ଏପଟେ ଶିଳ୍ପାଙ୍କୁ ମନ୍ଦିର ସମ୍ପର୍କରେ ବୁଝାଉଥିବା ମନ୍ଦିର ସୁପରଭାଇଜର ରାଜକିଶୋର ଦାସଙ୍କୁ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି। ହେଲେ ଶିଳ୍ପାଙ୍କ ନିକଟକୁ ପ୍ରଶାସନର ହାତ କାହିଁକି ପାଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।  

Advertisment

ସୂଚନାଯୋଗ୍ୟ ଯେ ରାଜ୍ୟର ଅଧିକାଂଶ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ଭିତରକୁ ଜୋତା, ଚମଡ଼ା ବେଲ୍ଟ, ମୋବାଇଲ୍‌ ଓ କ୍ୟାମେରା ପ୍ରଭୃତି ବାରଣ କରାଯାଇଛି। ହେଲେ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଯାଞ୍ଚ କରାଯାଉନାହିଁ। ମନ୍ଦିର ପରିସରର ସୁରକ୍ଷା ପାଇଁ ଏଠାରେ ଜଣେ ଏଏସ୍‌ଆଇ, ଜଣେ ହାବିଲଦାର, ୫ ଜଣ କନଷ୍ଟେବଳ, ୬ ଜଣ ହୋମଗାର୍ଡ ୩ ସିଫ୍ଟ‌ ଦାୟିତ୍ବରେ ରହିଛନ୍ତି। ସେମାନେ ସାଧାରଣ ଲୋକଙ୍କୁ ସିନା ବାରଣ କରୁଛନ୍ତି, ହେଲେ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଏମାନେ ପ୍ରାୟତଃ ବାରଣ କରନ୍ତିନାହିଁ। ଅନେକ ଲୋକ ଲୁଚାଇ କ୍ୟାମେରା ଓ ମୋବାଇଲ୍‌ ମନ୍ଦିର ଭିତରକୁ ନେଇ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ ହେଁ ମାମଲାକୁ ଗୁରୁତ୍ବ ଦିଆଯାଉ ନାହିଁ। ଏପରିକି ଫଟୋ ଉଠାଇବା ବ୍ୟକ୍ତିର ପରିଚୟ ଜଣାପଡ଼ିବା ପରେ ମଧ୍ୟ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପୁରୀ ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ଆଇନ ନଥିବାରୁ ପୁଲିସ ଓ ମନ୍ଦିର ପ୍ରଶାସନ ଏମିତି ସବୁ କାମରେ ଢିଲା ମାରୁଥିବା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ ଅଧିକାଂଶ ସେବାୟତ ମନ୍ଦିର ଭିତରେ ସେମାନଙ୍କ ଭକ୍ତଙ୍କ ଫଟୋ ଉଠାଉଛନ୍ତି। ଏଥିପାଇଁ ସେମାନେ ଅଧିକ ଟଙ୍କା ମଧ୍ୟ ନେଉଥିବା ଅଭିଯୋଗ ‌ହେଉଛି। 

ଗତକାଲି ଲିଙ୍ଗରାଜ ମନ୍ଦିର ଭିତରେ ଶିଳ୍ପା କେମିତି ଭିଡିଓ ସୁଟ୍ କଲେ, ତାଙ୍କୁ କିଏ ଦେଲା ଅନୁମତି ତଥା ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ପ୍ରଶ୍ନ ଉଠିଛି। ଏପଟେ ବିବାଦକୁ ଦେଖି ଲିଙ୍ଗରାଜ ମନ୍ଦିର ପ୍ରଶାସନ ସୁପରଭାଇଜର ରାଜକିଶୋର ଦାସଙ୍କୁ ନୋଟିସ୍‌ ଦେଇ ଚୁପ୍‌ ବସିଛି। ଏହି ଘଟଣାରେ ଏକାମ୍ର ବିଧାୟକ ବାବୁ ସିଂ ମୁହଁ ଖୋଲିଛନ୍ତି। ସେ  କହିଛନ୍ତି, ଏହା ଆମ ଭାବାବେଗର କଥା। ଏମିତି ଘଟଣା ହେବା କଥା ନୁହେଁ। ଏ ଘଟଣା ଉପରେ ଆଲୋଚନା ହେବ। ଏଭଳି ଘଟଣା କିପରି ଆଗକୁ ନ ହେବ, ତା’ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ସେଲିବ୍ରିଟିମାନେ ଜାଣି ନଥାଇ ପାରନ୍ତି, କିନ୍ତୁ ତାଙ୍କୁ ମନ୍ଦିର ସେବାୟତମାନେ ସଚେତନ କରେଇବା କଥା। ଏହାସହ ମନ୍ଦିର ପ୍ରଶାସନ ଉତ୍ତରଦାୟୀ ରହିବ। ଦୋଷୀ ଯିଏ ତା’ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।