ଶିଖରଚଣ୍ଡୀ ଉନ୍ନତୀକରଣ ପ୍ରକଳ୍ପର ଶୁଭ ପଡ଼ିଲା, ବର୍ଷକରେ ସରିବ କାମ

ଚନ୍ଦ୍ରଶେଖରପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଜଧାନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଥିବା ଶିଖରଚଣ୍ଡୀ ମନ୍ଦିରର ଉନ୍ନତୀକରଣ କାମ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ସାରା ବିଶ୍ୱରେ ପରିଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚେଷ୍ଟା ଜାରି ରଖିଛନ୍ତି। ଶ୍ରୀମନ୍ଦିରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ମଠ, ମନ୍ଦିର, ପୁରାତନ ପୀଠ, ପର୍ଯ୍ୟଟନ ସ୍ଥଳୀର ବିକାଶ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ମା ଶିଖରଚଣ୍ଡୀ ପୀଠକୁ ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉନ୍ନତିକରଣ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏହି ପୀଠର ଉନ୍ନତିକରଣ କରାଯାଇ ପର୍ଯ୍ୟଟନ କ୍ଷେତ୍ର ପରିଣତ କରାଯିବ। ଯାହାକି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଉନ୍ନତୀକରଣ ସମୟରେ ଯେପରି ଏହାର ଜୈବ ବିବିଧତା ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ।

ବିଧାୟକ ଶ୍ରୀ ରାଉତ କହିଲେ ଶିଖରଚଣ୍ଡୀ ପୀଠ ବିଶ୍ୱ ଦରବାରରେ ପରିଚିତ ହେବ। ନନ୍ଦନକାନନ ରାସ୍ତା ସହିତ ଏହି ପର୍ଯ୍ୟଟନ ସ୍ଥଳୀ ସିଧାସଳଖ ସଂଯୋଗ ହେଉଛି। ନନ୍ଦନକାନନକୁ ବୁଲି ଆସୁଥିବା ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ସହିତ ମା’ଙ୍କ ଦର୍ଶନ କରିପାରିବେ। ଆସନ୍ତା ବର୍ଷକ ମଧ୍ୟରେ ଏହି ଉନ୍ନତୀକରଣ କାର୍ଯ୍ୟ ଶେଷ ହେବ। ଶିଖରଚଣ୍ଡୀ ପାହାଡ଼କୁ ଲାଗି ରହିଥିବା ହନୁମାନ ପାହାଡ଼ ଉପରେ ୨୬୭ କୋଟି ଟଙ୍କା ବିନିଯୋଗରେ ଏକ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଶେଷ ହେବା ଦ୍ବାରା ଉତ୍ତର ଭୁବନେଶ୍ବରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ ମିଳିପାରିବ ବୋଲି ସେ କହିଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉନ୍ନତୀକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆବଶ୍ୟକ ହେଲେ ଆଉ ୨୫ କୋଟି ପ୍ରଦାନ କରିବାକୁ ଦାବି ଉପସ୍ଥାପନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ବିଏମ୍‌ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଯୋଗଦେଇଥିଲେ। ବିଏମ୍‌ସି ଏକ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତ ମା’ ଶିଖରଚଣ୍ଡୀ ମନ୍ଦିରର ଇତିହାସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି କ୍ଷୀତିଶ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ସୁରେଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ଅନ୍ତର୍ଗତ ବିଏମ୍‌ସିର ସମସ୍ତ କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ମୁରବି, ବରିଷ୍ଠ ନାଗରିକ, ଯୁବ, ଛାତ୍ର ଓ ମହିଳାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର