ଭୁବନେଶ୍ବର: ଶିଶୁଭବନ ଛକରୁ ମାଉସୀ ମା ଛକ। ପ୍ରତିଦିନ ଟ୍ରାଫିକ୍ ଯନ୍ତ୍ରଣାରେ ରୁନ୍ଧି ହେଉଛନ୍ତି ଲୋକେ। ସକାଳ ଅଫିସ୍ ସମୟ ହେଉ କିମ୍ବା ସନ୍ଧ୍ୟା, ସବୁ ସମୟରେ ନାହିଁ ନଥିବା ଭିଡ଼ରେ ଫୁସୁଛନ୍ତି। ଜରୁରୀକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ, ଓ ଅଗ୍ନିଶମ ଗାଡ଼ି ବି ଏହି ଭିଡ଼ ଯନ୍ତ୍ରଣାରୁ ମୁକୁଳି ପାରୁନାହାନ୍ତି। ଏପଟେ ବର୍ଦ୍ଧିତ ଗାଡ଼ି ସଂଖ୍ୟାକୁ ଦୃଷ୍ଟିରେ ରଖି ଘୋଷଣା ହୋଇଥିବା ନୂତନ ଫ୍ଲାଏଓଭର୍ କେବଳ ଘୋଷଣାରେ ଅଟକିଛି।
ପ୍ରାୟ ୩୦ ବର୍ଷ ତଳେ ମାଉସୀ ମା’ ଛକରୁ ଶିଶୁଭବନ ଓଭରବ୍ରିଜ୍ କରାଯାଇଥିଲା। ଗାଡ଼ି ସଂଖ୍ୟା ବଢ଼ିବା ପରେ ସାଢ଼େ ୧୦ ମିଟର ଚଉଡ଼ାର ଏହି ୪୦୦ ମିଟର ଫ୍ଲାଏଓଭରରେ ଟ୍ରାଫିକ୍ ଜାମ୍ର କାରଣ ପାଲଟୁଛି। ଶିଶୁ ଭବନ ଛକରେ ବିପରିତ ତିନି ପଟରୁ ଆସୁଥିବା ଗାଡ଼ି ଗୁଡ଼ିକ ଫ୍ଲାଏ ଓଭରକୁ ଚଢ଼ିବା ବେଳକୁ ଗତି ଧିମା ହେଉଛି। କାରଣ ଫ୍ଲାଏଓଭର ଉପରେ ଗୋଟେ ଚାରିଚକିଆ ଗାଡ଼ି ଗଲା ପରେ ଅନ୍ୟ ଗାଡ଼ି ଅତିକ୍ରମ କରିବା ସମ୍ବବ ହେଉନାହିଁ। ଅନ୍ୟପଟେ ମାଉସୀ ମା’ ଛକରେ ଶିଶୁଭବନରୁ ଯାଉଥିବା କିଛି ଗାଡ଼ି ଲିଙ୍ଗରାଜ ମନ୍ଦିର ପଟ (ଡାହାଣ)କୁ ଯାଉଛନ୍ତି। କିଛି ଗାଡ଼ି ଡାହାଣ ପଟରୁ ଫ୍ଲାଏଓଭର ଉପରକୁ ଚଢ଼ୁଛନ୍ତି। ଅନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ପାଇଁ ଏଠି ମଧ୍ୟ ଜାମ୍ ହେଉଛି।
ଟ୍ରାଫିକ୍ ଜାମ୍କୁ କିଛି ପରିମାଣରେ ଦୂର କରିବା ପାଇଁ ଦୁଇବର୍ଷ ତଳେ ଓଭରବ୍ରିଜ୍ରେ ଥିବା ୬ ଫୁଟର ପାଦଚଲା ରାସ୍ତାକୁ ଭାଙ୍ଗି ଗାଡ଼ି ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଏଥିରେ ମଧ୍ୟ ସମସ୍ୟାର ସମାଧାନ ହେଲା ନାହିଁ। ଗତ ସରକାର ସମୟରେ ସହରର ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାରେ ଶିଶୁଭବନରୁ ମାଉସୀ ମା ମନ୍ଦିର ଛକ ପର୍ଯ୍ୟନ୍ତ ଦ୍ବିତୀୟ ଫ୍ଲାଏ ଓଭର ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ବର୍ତ୍ତମାନ ନୂଆ ସରକାର ଆସିବା ପରେ ମଧ୍ୟ ଶିଶୁଭବନ ଛକ ସହ କଳ୍ପନା ଓ ମ୍ୟୁଜିୟମ ଛକରେ ତିନିଟି ଫ୍ଲାଏ ଉଭର୍ ନିର୍ମାଣ ପାଇଁ ଘୋଷଣା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଯୋଜନାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇନାହିଁ। ଅନ୍ୟପଟେ ବର୍ତ୍ତମାନ ଥିବା ଫ୍ଲାଏଓଭର୍ର ଦୁଇପାଖକୁ ଲାଗି ବସ୍ତି, ବଡ଼ବଡ଼ କୋଠା, ଐତିହ୍ୟ ମନ୍ଦିର ପ୍ରମୁଖ ରହିଛି। ତେଣୁ ଦ୍ବିତୀୟ ଫ୍ଲାଏଓଭର୍ ନିର୍ମାଣ ହେଲେ ଜମି ଅଧିଗ୍ରହଣ ସମସ୍ୟା ହୋଇ ଛିଡ଼ା ହୋଇପାରେ। ଏନେଇ ପୂର୍ତ୍ତବିଭାଗର ଜଣେ ଅଧିକାରୀ କହିଛନ୍ତି କିଛି ମାସ ତଳେ ଦ୍ବିତୀୟ ଫ୍ଲାଏଓଭର୍ ପାଇଁ ସର୍ଭେ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ବ୍ୟୟ ଅଟକଳ ହୋଇନାହିଁ। ତେଣୁ କାମ ବିଳମ୍ବ ହେବ।