ଶିଶୁପାଳଗଡ଼ରେ ପୁଣି ଜବରଦଖଲ, ଐତିହ୍ୟସ୍ଥଳ ଜମିରେ ଦୋକାନ ଘର

ପୁରୁଣା ଭୁବନେଶ୍ବର: ଐତିହ୍ୟସ୍ଥଳ ଶିଶୁପାଳଗଡ଼ରେ ପୁଣି ଜବରଦଖଲ ଆରମ୍ଭ ହୋଇଛି। ଗଡ଼ର ଉତ୍ତର ପାର୍ଶ୍ବକୁ ଖୋଳିତାଡ଼ି ଦୋକାନ ଘର ନିର୍ମାଣ ଚାଲିଛି। ମାତ୍ର ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ଆଖିରେ ଏହି ଜବରଦଖଲ ପଡ଼ୁନାହିଁ। ଏମିତିକି ଅଭିଯୋଗ ହୋଇଥିବା ସତ୍ତ୍ବେ ବିଭାଗୀୟ ଅଧିକାରୀମାନେ ଜବରଦଖଲକାରୀମାନଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ କିଛି ଦିନର ନିରବତା ପରେ ଜବରଦଖଲକାରୀମାନେ ପୁଣି ଏହି ଐତିହ୍ୟସ୍ଥଳ କବ୍‌ଜା କରିବାରେ ଲାଗି ପଡ଼ିଛନ୍ତି। ମୁଖ୍ୟ ରାସ୍ତା ପାର୍ଶ୍ବରେ ଗଡ଼ ଜମିକୁ କବ୍‌ଜା କରି କିଛି ମାଫିଆ ଦୋକାନ ଘର ନିର୍ମାଣ କରୁଛନ୍ତି। ଖୋଲାଖୋଲି ଭାବେ ଏହି ଜବରଦଖଲ ହେଉଥିଲେ ମଧ୍ୟ ଏଏସ୍‌ଆଇ ଅଧିକାରୀମାନେ ସେମାନଙ୍କୁ ବନ୍ଦ କରିବାକୁ ପଦକ୍ଷେପ ନେଉନାହାନ୍ତି। ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ଜବରଦଖଲକାରୀଙ୍କୁ ସୁହାଉଛି ବୋଲି ଅଭିଯୋଗ ହେଊଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଶୁଶୁପାଳଗଡ଼ର ମୋଟ୍ ଜମି ହେଉଛି ୫୬୨.୬୮୧ ଏକର। ମାତ୍ର କିଛି ଦିନ ପୂର୍ବରୁ ଏଏସ୍ଆଇ ଓ ଭୁବନେଶ୍ବର ତହସିଲ ପକ୍ଷରୁ ମାପଚୁପ୍ କରି କେବଳ ୭୭୫ ଡିସିମିଲି ଜମିକୁ ପାଚେରି ବୁଲାଇବାକୁ କୁହାଯାଇଛି। ତେଣୁ ମାଫିଆମାନଙ୍କୁ ସୁଯୋଗ ମିଳିଯାଇଛି। ସେମାନେ ବାକି ଜମିକୁ ମାଡ଼ି ବସିବା ଆରମ୍ଭ କରିଛନ୍ତି।

ଏହା ଐତିହ୍ୟସ୍ଥଳ ହୋଇଥିବାରୁ ଆମ୍‌ସାର ଆଇନ ଅନୁସାରେ ନିଷିଦ୍ଧାଞ୍ଚଳ ଅଟେ। ସେଠାରେ କୌଣସି ପ୍ରକାର ନିର୍ମାଣ ଅବୈଧ ବୋଲି ଆଇନ ରହିଛି। ମାତ୍ର ବାରମ୍ବାର ଜବରଦଖଲ ହେଉଥିବାରୁ ଆଇନଜୀବୀ ଅରୁଣ କୁମାର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପରେ ପ୍ରଥମ କରି ଆମସାର୍‌ ଆକ୍ଟରେ ଧଉଳି ଥାନା ପୁଲିସ ମାମଲା ରୁଜୁ କରିଥିଲା। ହେଲେ ପୁଲିସ ମାମଲା କରି ଚୁପ୍‌ ବସି ପଡ଼ିଲା। ସେହିଭଳି ଭୁବନେଶ୍ୱର ତହସିଲ ପକ୍ଷରୁ ଏଠାରେ ମାପଚୁପ କରାଯାଇଥିଲା ଓ କେବଳ ୭୭୫ ଡିସିମିଲି ଅଞ୍ଚଳକୁ ଚିହ୍ନଟ କରାଗଲା। ଫାସୀ ଖୁଣ୍ଟ, ରାଣୀ ଗାଡ଼ିଆ, ରାମପାର୍ଟ ଅଞ୍ଚଳକୁ ହିସାବକୁ ନିଆଗଲା ନାହିଁ। ଏବେ ଚାଲିଥିବା ବେଆଇନ ଗ୍ୟହ ନିର୍ମାଣ ବାବଦରେ ଏଏସ୍ଆଇ ଅଧିକାରୀ ଅରୁଣ କୁମାର ମଲ୍ଲିକ କିଛି କହିବାକୁ ମନା କରିଛନ୍ତି।

ସମ୍ବନ୍ଧିତ ଖବର