ହାଇକୋର୍ଟରେ ଶିଶୁପାଳଗଡ଼ ସୁରକ୍ଷା ପ୍ରସଙ୍ଗ: ଏଏସ୍‌ଆଇର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟ ସରକାର

କଟକ: ଶିଶୁପାଳଗଡ଼ ସୁରକ୍ଷା ପ୍ରସଙ୍ଗରେ ପୁଣି ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ହାଇକୋର୍ଟରେ ଏଏସ୍‌ଆଇର ସତ୍ୟପାଠ ଜବାବରେ ରାଜ୍ୟ ସରକାର ଦାଖଲ ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି। ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଏ.କେ. ଶତପଥୀ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ବର ସହ ଗ୍ରହଣ କରୁଛନ୍ତି। କିନ୍ତୁ ଶିଶୁପାଳଗଡ଼ ସୁରକ୍ଷା ପାଇଁ ରାଜ୍ୟ ସରକାର କରୁଥିବା ବୈଠକକୁ ଡାକିବା ସତ୍ତ୍ବେ ଏଏସ୍‌ଆଇ ଅଧିକାରୀ ଆସୁନାହାନ୍ତି। ୨୦୨୨, ଜୁଲାଇ ୧୩ରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଏସ୍‌ଆଇ ଭୁବନେଶ୍ବର ‌ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ୍‌ଙ୍କୁ ଆଗୁଆ ଏ ନେଇ ଅବଗତ କରାଯାଇଥିଲେ ମଧ୍ୟ ସେ ବୈଠକରେ ଉପସ୍ଥିତ ରହି ନଥିଲେ।

କେନ୍ଦ୍ର ସରକାରଙ୍କ ୧୯୫୦, ନଭେମ୍ବର ୧୩ର ଗେଜେଟ୍‌ ବିଜ୍ଞପ୍ତି ଅନୁସାରେ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳ ୫୬୨ ଏକର ୬୮୧ ଡିସିମିଲ୍‌ ହୋଇଥିବା ବେଳେ ୧୯୮୦ରେ ,ଏଏସ୍‌ଆଇ ୭୭୫ ଡିସିମିଲ୍‌ ଜମି ଅଧିଗ୍ରହଣ କରିଥିଲା। ଏହି ଜମି ପରବର୍ତ୍ତୀ ସମୟରେ ଏଏସ୍‌ଆଇ ନାଁରେ ରେକର୍ଡଭୁକ୍ତ ହୋଇଥିଲା। ପ୍ରତ୍ନତାତ୍ତ୍ବିକ ଖନନ ପାଇଁ ଏହି ଅଞ୍ଚଳରେ ୧୭ ଏକର ୮୧୮ ଡିସିମିଲ୍‌ ଜମି ଅଧିଗ୍ରହଣ ପାଇଁ ଏଏସ୍‌ଆଇ ପ୍ରସ୍ତାବ ଦାଖଲ କରିଥିଲା। ୧୯୯୨ରେ ନୋଟିସ୍ ଜାରି କରାଯାଇଥିଲା। ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଥିଲା କିନ୍ତୁ ଏଏସ୍‌ଆଇ ଡିଜିଙ୍କ ମଞ୍ଜୁରି ନ ମିଳିବାରୁ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ପାରି ନଥିଲା। ୧୯୫୦ର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଜମି ଅଧିଗ୍ରହଣ ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୦, ଅଗଷ୍ଟ ୨୬ରେ ନିଷ୍ପତ୍ତି ହୋଇଥିଲା ଯେ ଏହି ଜମି ଅଧିଗ୍ରହଣ ପାଇଁ ଏଏସଆଇ ପଦକ୍ଷେପ ଗ୍ରହଣ କରିବ। କିନ୍ତୁ ଏ ପର୍ଯ୍ୟନ୍ତ ଏଏସଆଇ ସଂପୂର୍ଣ୍ଣ ୫୬୨ ଏକର ୬୮୧ ଡିସିମିଲ୍‌ ଜମି ଅଧିଗ୍ରହଣ ପାଇଁ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଖନନସ୍ଥଳ ସୀମା ନିର୍ଦ୍ଧାରଣ ଓ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଥିବା ବେଳେ ୨୦୨୧, ଜୁନ୍‌ରେ ଏଏସ୍ଆଇ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ବର ତହସିଲଦାର୍‌ ମାପଚୁପ କରି ଏହି ଅଞ୍ଚଳରେ ପିଲାର୍‌ ପୋତିଥିଲେ। କିନ୍ତୁ ହାଇକୋର୍ଟରେ ଏଏସ୍‌ଆଇ ସତ୍ୟପାଠ ଦାଖଲ କରି ୫୬୨ ଏକର ୬୮୧ ଡିସିମିଲ ଜମି ସୀମା ନିର୍ଦ୍ଧାରଣ କରାଯାଉ ବୋଲି ଦର୍ଶାଇଛି। ଏହି ଜମିରୁ ଅଧିକାଂଶ ଏବେ ଘରୋଇ ମାଲିକାନାରେ ରହିଛି। ଘରୋଇ ଜମି ମାପ ପାଇଁ ଏଏସ୍‌ଆଇ ସଂପୃକ୍ତ ବ୍ୟକ୍ତିଙ୍କ ଅନୁମତି ଆଣି ଭୁବନେଶ୍ବର ତହସିଲଦାରଙ୍କୁ ଅବଗତ କରୁ, ଆବଶ୍ୟକ ଫି’ ଦାଖଲ କରୁ ଓ ଅନ୍ୟାନ୍ୟ ଔପଚାରିକତା ପୂରଣ କରୁ ବୋଲି ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଯେ ଏଏସ୍‌ଆଇ ଶିଶୁପାଳଗଡ଼ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହିଁ। ଆଜି ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ଆର୍‌.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର୍‌ ୨୧କୁ ଧାର୍ଯ୍ୟ କରିଛନ୍ତି। ସରକାରଙ୍କ ସତ୍ୟପାଠ ଉପରେ ଏଏସ୍‌ଆଇ ପରବର୍ତ୍ତୀ ଶୁଣାଣି ସମୟରେ ଜବାବ ରଖିବ।

ମାମଲାର ବିବରଣୀରୁ ପ୍ରକାଶ ଯେ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗ ନେଇ ୨୦୦୭ରେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟସ୍ ଆଣ୍ଡ୍ କଲଚର୍ ହେରିଟେଜ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଶିଶୁପାଳଗଡ଼ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜାଗା ଜବରଦଖଲ ହୋଇଛି ବୋଲି ଅଭିଯୋଗ ହୋଇଥିଲା। ମାମଲାରେ ଏଏସ୍‌ଆଇ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଂଗରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ସଂରକ୍ଷିତ ଅଞ୍ଚଳର ଅଧିକାଂଶ ଜମି ଏବେ ଜବରଦଖଲରେ ରହିଛି। ‌ସେଠାରେ ବେଆଇନ ଭାବେ କୋଠାବାଡ଼ି ନିର୍ମାଣ କରାଯାଇଛି। ନିର୍ମାଣ କରାଯାଇଥିବା କୋଠାଗୁଡ଼ିକ ପାଇଁ ରାଜ୍ୟ ସରକାର ରାସ୍ତାଘାଟ, ବିଦ୍ୟୁତ, ଡ୍ରେନ୍ ଓ ଅନ୍ୟାନ୍ୟ ସୁବିଧା କରିଛନ୍ତି ବୋଲି ଏଏସ୍‌ଆଇ ଦର୍ଶାଇଥିଲା। ଏହି ସତ୍ୟପାଠ ଉପରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର