ହାଇକୋର୍ଟରେ ଶିଶୁପାଳଗଡ଼ ସୁରକ୍ଷା ପ୍ରସଂଗ: ସାନି ସ୍ଥିତି ସଂପର୍କିତ ରିପୋର୍ଟ ଦାଖଲ ପାଇଁ ସରକାର ନେଲେ ମହଲତ

କଟକ: ଐତିହାସିକ ଶିଶୁପାଳଗଡ଼ର ସାନି ସ୍ଥିତି ସଂପର୍କିତ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାର ଅଧିକ ମହଲତ ଲୋଡ଼ିଛନ୍ତି। ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେବା ସହ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୬କୁ ଧାର୍ଯ୍ୟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗ ନେଇ ୨୦୦୭ରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଶିଶୁପାଳଗଡ଼ ଅସୁରିକ୍ଷତ ହୋଇପଡ଼ିଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜାଗା ଜବରଦଖଲ ହୋଇଛି। ଲୋକମାନେ ଶିଶୁପାଳଗଡ଼ର ଜାଗାକୁ ଜବରଦଖଲ କରି ବହୁତଳ କୋଠା ସବୁ ନିର୍ମାଣ କରିଛନ୍ତି ବୋଲି ଦର୍ଶାଇ ରୁଜୁ ମାମଲାରେ ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ପକ୍ଷଭୁକ୍ତ କରାଯାଇଥିଲା। ୨୦୨୧ ଜାନୁଆରି ୨୭ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଶିଶୁପାଳଗଡ଼ର ସାନି ସ୍ଥିତି ନେଇ କୌଣସି ସ୍ପଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇ ପାରିନଥିଲା। ଶିଶୁପାଳଗଡ଼ ଚାରିକଡ଼େ ପାଚେରି ନିର୍ମାଣ ଓ ସଂରକ୍ଷଣ ପ୍ରସଂଗରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦର୍ଶାଇ ଆବେଦନକାରୀ ୨୦୧୯, ଡିସେମ୍ବର ୧୩ରେ ଦାଖଲ କରିଥିବା ଅନ୍ତରୀଣ ଆବେଦନ ବିଚାରାଧୀନ ରହିଥିଲା।

ଶିଶୁପାଳଗଡ଼ର ସାନି ସ୍ଥିତି କ’ଣ ରହିଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାର କହିଥିଲେ। ଏହା ପରେ ସତ୍ୟପାଠ ସହିତ ଏ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଶିଶୁପାଳଗଡ଼ ସାଇଟ୍‌ର ଫଟୋ ଓ ସଂରକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କିତ ଫଟୋ ସତ୍ୟପାଠ ସହିତ ସଂଲଗ୍ନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ମାର୍ଚ୍ଚ ୧୬କୁ ମାମଲାର ଶୁଣାଣି ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର