ସଟ୍‌ଡାଉନ ସୁଯୋଗ ନେଇ ତାଡ଼ିଲେ ଶିଶୁପାଳଗଡ଼, ମେ’ ୧୭ସୁଦ୍ଧା ତଥ୍ୟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

ପୁରୁଣା ଭୁବନେଶ୍ବର: ସପ୍ତାହାନ୍ତ ସଟ୍‌ଡାଉନର ସୁଯୋଗ ନେଇ ଐତିହ୍ୟକ୍ଷେତ୍ର ଶିଶୁପାଳଗଡ଼ର ପୂର୍ବ-ଉତ୍ତର କୋଣକୁ ତାଡ଼ି ଦେଇଛନ୍ତି। ଦୁଇ ସପ୍ତାହ ପୂର୍ବରୁ ଏହାକୁ ତାଡ଼ି ପାଚେରି କରୁଥିବା ଘଟଣା ଏଏସ୍ଆଇ ଜାଣି ମଧ୍ୟ କିଛି ପଦକ୍ଷେପ ନନେବାରୁ ଏହାର ସୁଯୋଗ ନେଇ ମାଫିଆ ପୁଣି ତାଡ଼ିଛନ୍ତି।

ଶିଶୁପାଳଗଡରେ ଜବରଦଖଲ, କୀର୍ତ୍ତିରାଜି ସୁରକ୍ଷା ନେଇ ଦାୟର ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୁରଲୀଧର ଓ ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏ ସଂକ୍ରାନ୍ତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୧୭ରେ ରହିଛି। ରାଜ୍ୟ ସରକାର ମେ’ ୧୭ସୁଦ୍ଧା ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଐତିହାସିକ ଗଡ଼ର ବର୍ତ୍ତମାନ କ’ଣ ସ୍ଥିତି ରହିଛି, ସମୁଦାୟ ଜମିରୁ କେତେ ଜବରଦଖଲ ରହିଛି, ସେ ନେଇ ଫଟୋ ସହ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ସମ୍ପର୍କରେ ଓଡ଼ିଶା ମଣ୍ଡଳ ପ୍ରତ୍ନତତ୍ତ୍ୱ ଅଧୀକ୍ଷଣ ଅରୁଣ ମଲ୍ଲିକ କୁହନ୍ତି, ଶିଶୁପାଳଗଡ଼ର ଐତିହ୍ୟ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଆରମ୍ଭ ହୋଇଛି। ଏହାର ସଂରକ୍ଷଣ ଦିଗରେ କାମ ହେବ। ଜବର ଦଖଲ ନେଇ ଅନୁଧ୍ୟାନ କରାଯାଉଛି। ସୂଚନାଯୋଗ୍ୟ, ଇଣ୍ଡିଆନ ନାସନାଲ ଟ୍ରଷ୍ଟ ପକ୍ଷରୁ ଶିଶୁପାଳଗଡ଼ର ସୁରକ୍ଷା ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର