ମହାଶିବରାତ୍ରିରେ ଶିବମୟ ହୋଇଉଠିଲା ଏକାମ୍ରକ୍ଷେତ୍ର

ଶିବ ପଞ୍ଚାକ୍ଷରୀରେ କମ୍ପିଲା ଶ୍ରୀଲିଙ୍ଗରାଜ ମନ୍ଦିର

କିଏ‌ ଭୋରରୁ ଅପେକ୍ଷା କରିଥିଲେ ତ କିଏ ସନ୍ଧ୍ୟାରୁ ଦୀପ ଜାଳି ବସିଥିଲେ। ସମସ୍ତଙ୍କ ତୁଣ୍ଡରେ ଥିଲା ଶିବ ପଞ୍ଚାକ୍ଷରୀ ମନ୍ତ୍ର। ଶିବମୟ ହୋଇ ଉଠିଥିଲା ଏକାମ୍ରକ୍ଷେତ୍ର। ଶେଷରେ ଲକ୍ଷାଧିକ ଭକ୍ତଙ୍କ ସବୁ ଉତ୍କଣ୍ଠାର ଅନ୍ତ ଘଟିଲା। ନିର୍ଦ୍ଧ‌ାରିତ ସମୟର ପ୍ରାୟ ଘଣ୍ଟାଏ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିବା ଆରମ୍ଭ ହୋଇଥିଲା ମହାଦୀପ। ମନ୍ଦିର ବେଢ଼ା ପରିକ୍ରମା କରାଇବା ପରେ ସମର୍ଥା ସେବାୟତମାନେ ମହାଦୀପ ଧରି ମନ୍ଦିର ଉପରକୁ ଚଢ଼ିଲେ। ସେମାନେ ମହାଦୀପ ଧରି ଯେତିକି ଯେତିକି ଉଚ୍ଚକୁ ଉଠୁଥିଲେ, ସେତିକି ଜୋର୍‌ରେ ହରି ହରି ବୋଲ୍, ହର ହର ମହାଦେବ, ଓଁ ନମଃ ଶିବାୟ, ଜୟ ଭୋଳାଶଙ୍କର ଆଦି ଧ୍ବନିରେ କମ୍ପୁଥିଲା ଗଗନପବନ। ହାତ ଟେକି ଭକ୍ତ ଓ ଶ୍ରଦ୍ଧାଳୁମାନେ ନାଚି ଉଠୁଥିଲେ। ମହିଳାମାନେ ହୁଳହୁଳି ପକାଇ ପରିବେଶକୁ ଆହୁରି ଭକ୍ତିମୟ କରି ପକାଉଥିଲେ। ଶ୍ରଦ୍ଧାଳୁମାନେ ହାତରେ ଧରିଥିବା ଜଳନ୍ତା ଦୀପକୁ ଶୂନ୍ୟରେ ବୁଲାଇ ବୁଲାଇ ମହାଦେବଙ୍କୁ ଡାକ ପକାଉଥିଲେ। ବହୁ ଶ୍ରଦ୍ଧାଳୁଙ୍କ ଆଖିରୁ ଝରି ପଡ଼ୁଥିଲା ଆନନ୍ଦାଶ୍ରୁ। ଶେଷରେ ମନ୍ଦିର ଚୂଡ଼ାରେ ବନ୍ଧା ହେଲା ମହାଦୀପ। ମନ୍ଦିର ଉପରୁ ସେବାୟତମାନେ ହାତ ହଲାଇ ହର ହର ମହାଦେବ ଓ ହରିବୋଲ ଡାକ ପକାଉଥିଲେ। ଭକ୍ତ ଓ ଭଗବାନଙ୍କ ମିଳନର ଏହି ପରିବେଶ ଆହୁରି କୋଳାହଳମୟ ହୋଇପଡ଼ିଥିଲା। ଶ୍ରଦ୍ଧାଳୁମାନେ ମୁଣ୍ଡିଆ ମାରିବାକୁ ତଳେ ଲୋଟି ପଡ଼ୁଥିଲେ। ମହାଦୀପ ଉଠିବାବେଳର ଏମିତି ଭାବମୟ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ମନ୍ଦିର ବାହାରେ ଦେବୀପାଦହରା ପୁଷ୍କରିଣୀ ନିକଟ, ନୂଆ ଲିଙ୍ଗରାଜ ମାର୍କେଟ, ଲିଙ୍ଗରାଜ ହାଟ, ବିଏମ୍‌ସି ଡାକ୍ତରଖାନା ଛାତ, ବଡ଼ ମଠ, ଗଙ୍ଗାଯମୁନା ପଡ଼ିଆ ଓ ବହୁ ଘରର ଛାତ ଉପରେ ରହି ଲୋକେ ମହାଦୀପ ଦର୍ଶନ କରିଥିଲେ।

ଘଣ୍ଟାଏ ପୂର୍ବରୁ ଉଠିଲା ମହାଦୀପ
ଶ୍ରଦ୍ଧାଳୁଙ୍କ ଆଖିରୁ ଝରିଲା ଲୁହ

ସୁରୁଖୁରୁରେ ସରିଲା ନୀତିକାନ୍ତି
ଚଳିତ ବର୍ଷ ରାତି ପ୍ରାୟ ସାଢ଼େ ୧୦ଟାରେ ମହାଦୀପ ଉଠିବ ବୋଲି ପୂର୍ବରୁ ମନ୍ଦିର ପ୍ରଶାସନ ସ୍ଥିର କରିଥିଲା। କିନ୍ତୁ ରାତି ସାଢ଼େ ୯ଟାରେ ମନ୍ଦିର ଚୂଡ଼ା ଛୁଇଁଥିଲା ମହାଦୀପ। ଆଜି ସବୁ ନୀତିକାନ୍ତି ଓ ପୂଜାର୍ଚ୍ଚନା ଠିକଣା ସମୟରେ ସରିଥିବାରୁ ମହାଦୀପ ଶୀଘ୍ର ଉଠିଥିଲା ବୋଲି କୁହାଯାଇଛି। ପୂର୍ବରୁ ସମସ୍ତ ନିଯୋଗ ସହ ଆଲୋଚନା କରି ପ୍ରଶାସନ ସମସ୍ୟାଗୁଡ଼ିକର ସମାଧାନ କରିଥିଲା। ତେଣୁ କୌଣସି ନିଯୋଗ ପକ୍ଷରୁ ନୀତିକାନ୍ତିରେ ବିଳମ୍ବ ହୋଇନଥିଲା। ସମସ୍ତ ନିଯୋଗ ଏହି ପବିତ୍ର କାର୍ଯ୍ୟକ୍ରମରେ ପ୍ରଶାସନକୁ ସହଯୋଗ କରିଥିଲେ। ତେଣୁ ଆଗୁଆ ମହାଦୀପ ଉଠିବାରେ କୌଣସି ସମସ୍ୟା ହୋଇ ନଥିଲା। ମହାଦୀପ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଥିବାରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେବାୟତମାନଙ୍କୁ ଶୁଭକାମନା ଜଣାଇଛନ୍ତି।

ମାନିଲେନି କୋଭିଡ୍‌ କଟକଣା
କୋଭିଡ୍‌ କଟକଣା ଭିତରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିଥିଲା। ସବୁ ନିୟମକୁ ଲୋକେ ମାନିଥିଲେ। କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହୋଇନଥିଲା। ଏମିତିକି ଧାଡ଼ିରେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନଙ୍କ ଭିତରେ ବି ସାମାଜିକ ଦୂରତା ରହୁନଥିଲା। ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ବ୍ୟାକୁଳତା ଆଗରେ ଏହି କଟକଣା କାମ କରିନଥିଲା। ପୁଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଲୋକଙ୍କୁ ବାରମ୍ବାର ବୁଝାଉଥିଲେ ମଧ୍ୟ ଲୋକଙ୍କ ବ୍ୟଗ୍ରତା ଆଗରେ ସେମାନଙ୍କ ପରାମର୍ଶ କାମ ଦେଉନଥିଲା। ସେହିଭଳି ମନ୍ଦିରରେ ଦୀପଦାନ କରିବା ଉଦ୍ଦେଶ୍ୟରେ ଅସଂଖ୍ୟ ଲୋକ ବେଢ଼ା ମଧ୍ୟକୁ ପ୍ରବେଶ କରିଥିଲେ। ଅବଶ୍ୟ ବେଢ଼ା ଭିତରେ ସାମାଜିକ ଦୂରତା ରକ୍ଷା କରି ଅନେକ ଭକ୍ତ ମେଘନାଦ ପ୍ରାଚୀର, ମନ୍ଦିର ସମ୍ମୁଖ ଖାଲି ସ୍ଥାନରେ ଅପେକ୍ଷା କରିଥିଲେ।

ବିଳମ୍ବିତ ରାତିରୁ ଭକ୍ତଙ୍କ ଧାଡ଼ି
ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ବାରଣ ନଥିଲା। କୋଭିଡ୍‌ କଟକଣା ଭିତରେ ଠାକୁର ଦର୍ଶନ ପାଇଁ ଅନୁମତି ଥିଲା। ତେଣୁ ଗତ ରାତିରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଧାଡ଼ି ଲଗାଇଥିଲେ। ଭୋର୍‌ ପ୍ରାୟ ୧ଟାରୁ ମନ୍ଦିର ଦୁଆରେ ଭକ୍ତମାନେ ଅପେକ୍ଷା କରିଥିଲେ। ନବନିର୍ମିତ ଫାଇବର୍‌ ସେଡ୍‌ ଓ ୪ଟି ବ୍ୟାରିକେଡ୍ ମଧ୍ୟରେ ଶ୍ରଦ୍ଧାଳୁମାନେ ଧାଡ଼ି ଲଗାଇବା ଆରମ୍ଭ କରି ଦେଇଥିଲେ। ସକାଳ ହେବାବେଳକୁ ମନ୍ଦିର ଚାରିପଟେ ଲୋକାରଣ୍ୟ ହୋଇ ସାରିଥିଲା। ତେବେ ଭୋର୍‌ ୩ଟା ବେଳୁ ଭକ୍ତମାନଙ୍କୁ ମନ୍ଦିର ବେଢ଼ାକୁ ପ୍ରବେଶ ପାଇଁ ଛାଡ଼ି ଦିଆଯାଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର୍‌ ୪ଟାଠାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ଧାଡ଼ିରେ ରହି ଶୃଙ୍ଖଳିତ ଭାବେ ଶ୍ରୀ ଜିଉଙ୍କୁ ଆଡ଼କାଠରୁ ଦର୍ଶନ କରିଥିଲେ। ବହୁ ଶ୍ରଦ୍ଧାଳୁ ପୂଜା ପାଇଁ ଆଣିଥିବା ଭୋଗଥାଳିସବୁକୁ ଆଡ଼ କାଠ ନିକଟରୁ ସେବାୟତଙ୍କ ହାତକୁ ବଢ଼ାଇ ଦେଇଥିଲେ। ସକାଳ ୭ଟା ବେଳକୁ ମନ୍ଦିରର ସିହଂଦ୍ୱାରଠାରୁ ୪ଟି ଯାକ ବ୍ୟାରିକେଡ୍‌ରୁ ନୂଆ ଲିଙ୍ଗରାଜ ମାର୍କେଟ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ଳମ୍ବା ଧାଡ଼ି ହୋଇଯାଇଥିଲା। ପୂର୍ବାହ୍ଣ ୧୧ଟାରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ନିତୀ ପୂଜା କରାଯାଉଥିଲା ଓ ଏସବୁ ଭିତରେ ବି ଦର୍ଶନ ଚାଲୁ ରହିଥିଲା। ଶ୍ରୀ ଜିଉଙ୍କୁ ଦର୍ଶନ କରିବା ପାଇଁ ଖରାରେ ବହୁ ସମୟ ଧରି ଧାଡ଼ିବାନ୍ଧି ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥିଲେ। ପହୁଡ଼ ନୀତି ପାଇଁ ମଧ୍ୟାହ୍ନରେ ଗହଳି ଟିକେ କମି ଯାଇଥିଲା। କିନ୍ତୁ ଲୋକେ ସେମିତି ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ତେବେ ଅପରାହ୍ନରେ ସାହାଣମେଲା ଖୋଲିବା ପରେ ପୁଣି ଲୋକଙ୍କୁ ଆଡ଼କାଠ ପାଖକୁ ଛାଡ଼ି ଦିଆଯାଇଥିଲା।

ମାଳମାଳ ପାସ୍‌ଧାରୀ, ଭକ୍ତ ଅସନ୍ତୁଷ୍ଟ
ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଖରାରେ ଠିଆ ହୋଇଥିଲେ। କିନ୍ତୁ ପାସ୍ ପାଇଥିବା ବହୁ ବ୍ୟକ୍ତି ମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରୁଥିଲେ। ମାଳମାଳ ଭିଆଇପି ଏହି ସୁଯୋଗ ହାତେଇଥିଲେ। ବିଶେଷକରି ଭିଆଇପି ମହିଳାଙ୍କ ସଂଖ୍ୟା ବେଶ୍ ଅଧିକ ଥିଲା। ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଭିଆଇପି ପାସ୍‌ ବହୁତ ଥିଲା। ପାସ୍‌ କେଉଁମାନଙ୍କୁ ଦିଆଯାଇଛି, ଏଥିପାଇଁ ମାପଦଣ୍ଡ କଣ ରହିଛି, ସେନେଇ କୌଣସି ଅଧିକାରୀ ପାଟି ଫିଟାଉନଥିଲେ। ମାତ୍ରାଧିକ ପାସ୍‌ଧାରୀଙ୍କ ଯୋଗୁଁ ସାଧାରଣ ଭକ୍ତମାନଙ୍କୁ ଦୀର୍ଘ ସମୟ ଧରି ଖରାରେ ଠିଆ ହେବାକୁ ପଡ଼ିଥିଲା। ତେଣୁ ପାସ୍‌ ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ସେଲ୍‌ଫିରେ ଶ୍ରଦ୍ଧାଳୁଙ୍କ ମନ
ବହୁ ଶ୍ରଦ୍ଧାଳୁ ଠାକୁରଙ୍କୁ ଦେଖିବା ପାଇଁ ମନ୍ଦିର ନିକଟରେ ଭିଡ଼ ଜମାଇଥିଲେ। କିନ୍ତୁ ସେମାନଙ୍କ ଭିତରୁ ‌େକତେକ ସେଲ୍‌ଫିରେ ମାତିଥିଲେ। ମନ୍ଦିର ନିକଟରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ ଭିତରେ ସେମାନେ ନିଜ ମୋବାଇଲ୍‌ରେ ବିଭିନ୍ନ ଭଙ୍ଗୀରେ ସେଲ୍‌ଫି ନେଉଥିବାବେଳେ ଜାଗର ଜାଳିଲାବେଳେ ବି ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା। ‌େତବେ ରାତିରେ ଅଧିକାଂଶ ଯୁବକଯୁବତୀ ଆଲୋକମାଳାରେ ଝଲସୁଥିବା ମନ୍ଦିର, ଫୁଲ ସଜ୍ଜା ଓ ଭଜନ ମଣ୍ଡପ ସହ ସେଲ୍‌ଫି ନେଉଥିଲେ।

ସମ୍ବନ୍ଧିତ ଖବର