ଭୁବନେଶ୍ୱର: ଓ୍ୱାର୍ଡ ନମ୍ବର ୬୧ରେ ଶିବନାରାୟଣଙ୍କ ଶୋଭାଯାତ୍ରା, ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି

ୱାର୍ଡ ନମ୍ବର ୬୨ରେ ଚାରୁଲତାଙ୍କ ପ୍ରଚାର

ଭୁବନେଶ୍ୱର : ୬୧ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଶିବନାରାୟଣ ରାୟଙ୍କ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମାରାଥନ୍ ପ୍ରଚାର କରିଛନ୍ତି। ୱାର୍ଡର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅତୀତରେ କି କି ପଦ‌େକ୍ଷପ ନିଆଯାଇଛି, ସେ ସମ୍ପର୍କରେ ମନ୍ତ୍ରୀ ଲୋକଙ୍କୁ ଜଣାଇଥିଲେ। ୱାର୍ଡରେ ପାଣି ସମସ୍ୟା ପାଇଁ ସମାଧାନ ପାଇଁ ଆଉ ଏକ ଟାଙ୍କିର ପ୍ରସ୍ତାବ ଉପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଶିବ ନାରାୟଣ କହିଛନ୍ତି ଯେ ୬୧ ନମ୍ବର ୱାର୍ଡରେ ଥିବା ଡ୍ରେନ , ପାଣି ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ। ଭୀମେଶ୍ୱର କୁଣ୍ଡର ପୁନରୁଦ୍ଧାର, ୱାର୍ଡରେ କଲ୍ୟାଣ ମଣ୍ଡପ ନିର୍ମାଣ, ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଶ୍ରୀଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବା ସହ ମୋ ବସ ଚଳାଚଳ କରାଯିବ। ଏହା ବାଦ୍ ମହିଳାଙ୍କ ପାଇଁ ସ୍ବତନ୍ତ୍ର କମ୍ୟୁନିଟି ସେଣ୍ଟର୍ ନିର୍ମାଣ ଓ ଯୁବକମାନଙ୍କ ପାଇଁ ଇନ୍‌ଡୋର ଷ୍ଟାଡିୟମ୍ ଓ ଜିମ୍‌ ନିର୍ମାଣ କରାଯିବ ବୋଲି ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ପ୍ରଚାରରେ ଶିବନାରାୟଣଙ୍କ ସହ ବହୁ ମହିଳା, ଯୁବକ ସାମିଲ ହୋଇଥିଲେ।

ୱାର୍ଡ ନମ୍ବର ୬୨ରେ ଚାରୁଲତାଙ୍କ ପ୍ରଚାର

ଭୁବନେଶ୍ୱର : ୱାର୍ଡ ନମ୍ବର ୬୨ରେ ସମସ୍ତ ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ପ୍ରାର୍ଥିନୀ ଚାରୁଲତା ସାମନ୍ତରାୟ। ଆଜି ସକାଳୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଅମର ଶତପଥୀ ଓ ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କ ସହ ୱାର୍ଡର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଭୋଟ ପାଇଁ ନିବେଦନ କରିଥିଲେ। ପୂର୍ବତନ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟଙ୍କ ଭଉଣୀ ଚାରୁଲତା ସାମନ୍ତରାୟଙ୍କୁ ଏଥର ଟିକେଟ ଦେଇଛି ବିଜେଡି। ପୂର୍ବରୁ ଏହି ୱାର୍ଡରେ ପ୍ରାଥମିକ ଚିକିତ୍ସାଳୟ, ନୂଆ ଷ୍ଟ୍ରିଟ ଲାଇଟ୍‌, କମ୍ୟୁନିଟି ସେଣ୍ଟର, ପୋଖରୀ, ଶ୍ମଶାନ ସହ ପାନୀୟ ଜଳର ସମସ୍ୟା ସୁଧାରିବା ଭଳି ଲୋକାଭିମୁଖୀ ପ୍ରକଳ୍ପ କରାଯାଇଛି। ଆଗକୁ ଚାରୁଲତା ବିଜୟୀ ହେଲେ ବସ୍ତି ଅଞ୍ଚଳ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏକ ଅଡିଟୋରିୟମ ନିର୍ମାଣ କରିବାକୁ କହିଛନ୍ତି। ଚାରୁଲତାଙ୍କୁ ଭୋଟ୍‌ ଦେଇ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ହୃଦୟବଲ୍ଲଭ ଲୋକଙ୍କୁ ନିବେଦନ କରୁଛନ୍ତି।

ସମ୍ବନ୍ଧିତ ଖବର