ଶିବରାମଙ୍କୁ ନେଇଗଲା କରୋନା: ମୃତ୍ୟୁ ନେଇ ଉପଯୁକ୍ତ ସୂଚନା ନ ମିଳିବାରୁ ତାତିଲେ ବସ୍ତି ବାସିନ୍ଦା

କିମ୍‌ସ କୋଭିଡ୍‌ ଡାକ୍ତରଖାନାରେ ଉତ୍ତେଜନା, ବସ୍ତିବାସିନ୍ଦାଙ୍କ ଲଢ଼ୁଆ ସାଥୀ ଶିବରାମ

ଭୁବନେଶ୍ବର: ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ସୁଖଦୁଃଖର ସାଥୀ ସିପିଆଇ ଏମଏଲ (ରେଡଷ୍ଟାର୍‌)ର ରାଜ୍ୟ ସମ୍ପାଦକ ଶିବରାମ (୪୮)ଙ୍କ ପ୍ରାଣ ନେଇଗଲା କରୋନା। ରାଜଧାନୀର କିମ୍‌ସର କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି। ଏହାକୁ ନେଇ ଦଳମତ ନିର୍ବିଶେଷରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ବସ୍ତିବାସିନ୍ଦାମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ ନିଜ ଅନ୍ତେ ପତ୍ନୀ ପ୍ରମିଳା, ପୁଅ ପ୍ରସୀସ ଓ ଭାଇ ଶଙ୍କରଙ୍କୁ ଛାଡ଼ି ଯାଇଛନ୍ତି।

ଅନ୍ୟପକ୍ଷରେ କିମ୍‌ସ ହସ୍ପିଟାଲରେ ତାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ପକ୍ଷରୁ ଉପଯୁକ୍ତ ସୂଚନା ପ୍ରଦାନ କରାନଯିବା ଅଭିଯୋଗ କରି ରାଜଧାନୀ‌ରେ ଥିବା ବିଭିନ୍ନ ବସ୍ତିର ଶତାଧିକ ଲୋକ ଡାକ୍ତରଖାନା ପରିସରରେ ପ୍ରବଳ ପାଟିତୁଣ୍ଡ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଏହିଭଳି ପରିସ୍ଥିତି ଜାରି ରହିବା ପରେ କିମ୍‌ସ ଡାକ୍ତରଖାନା ନିର୍ଦ୍ଦେଶକ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଶିବରାମଙ୍କ ମୃତ୍ୟୁ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିଥିଲେ। ହେଲ୍ପ ଡେସ୍କକୁ ଉପଯୁକ୍ତ ଭାବରେ କାର୍ଯ୍ୟକ୍ଷମ କରିବା ନେଇ ଘୋଷଣା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

ଶିବରାମଙ୍କ ଭାଇ ଶଙ୍କରଙ୍କ ଅନୁଯାୟୀ, ଚଳିତ ମାସ ୩ତାରିଖରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଶିବରାମ କିମ୍‌ସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ଡାଏଲିସିସର ଆବଶ୍ୟକତା ଥିବା ନେଇ ଡାକ୍ତର କହିଥିଲେ। ଶନିବାର ସକାଳେ ଶଙ୍କରଙ୍କ ଫୋନକୁ ଏକ ଅଜଣା ନମ୍ବରରୁ ଶିବରାମଙ୍କ ମୃତ୍ୟୁ ନେଇ ମେସେଜ ଆସିଥିଲା। ତେବେ ସେ ଉକ୍ତ ନମ୍ବରକୁ କଲ୍‌ କରିବା ବେଳକୁ ସେଠାରୁ କୌଣସି ଉତ୍ତର ଆସି ନଥିଲା। ପରିବାର ପକ୍ଷରୁ କିମ୍‌ସର ନୋଡାଲ ଅଫିସର୍‌, ନିୟନ୍ତ୍ରଣ କକ୍ଷକୁ ତାଙ୍କ ମୃତ୍ୟୁର ସ୍ପଷ୍ଟତା ନେଇ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଏହାପରେ ଶିବରାମଙ୍କ ସ୍ତ୍ରୀ ଓ ଭାଇ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ରାଜଧାନୀର ବିଭିନ୍ନ ବସ୍ତିର ଶତାଧିକ ପୁରୁଷ, ମହିଳା ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ।

ଉତ୍ତେଜନା ପ୍ରଶମିତ ହେବା ପରେ ପୂର୍ବାହ୍ନ ୧୧ଟାରେ ବିଏମସିର ସ୍ବତନ୍ତ୍ର ଗାଡ଼ିରେ ଶିବରାମଙ୍କ ପାର୍ଥିବ ଶରୀରକୁ ସତ୍ୟନଗର ଶ୍ମଶାନଘାଟକୁ ନିଆଯାଇଥିଲା। ସିପିଆଇଏମ୍‌ଏଲ୍‌ ରେଡ୍‌ଷ୍ଟାର୍‌ କାର୍ଯ୍ୟାଳୟ ଦେଇ ତାଙ୍କ ପାର୍ଥିବ ଶରୀର ନେଇ ଯିବା ପାଇଁ ଦଳୀୟ କର୍ମକର୍ତ୍ତା ଦାବି କରିଥି‌ଲେ। ତେବେ ସେମାନଙ୍କ ଦାବି ଗ୍ରହଣ କରା ନଯିବାରୁ ଦଳୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସାମାଜିକ ଦୂରତ୍ବ ରଖି ବହୁସଂଖ୍ୟାରେ ଲୋକ ପହଞ୍ଚି ଶ୍ମଶାନ ଘାଟରେ ଶିବରାମଙ୍କ ଅନ୍ତିମ ଦର୍ଶନ କରିଥିଲେ।

ସତ୍ୟନଗର ଶ୍ମଶାନରେ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ, ଶ୍ରୀମନ୍ତ ମହାନ୍ତି, ରାମକୃଷ୍ଣ ପଣ୍ଡା, ରୁମିତା କୁଣ୍ଡୁ, ଲେନିନ, ସତୀଶ ମିଶ୍ର, ସୁବାସ, ଶଶିକଳା, ଗିରିରାଜ, ସରୋଜ, ହେନା ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଦେହାନ୍ତରେ ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଏମ୍‌ ସମ୍ପାଦକ ଅଳି ପଟ୍ଟନାୟକ, ସିପିଏମ୍ ନେତା ଜୟନ୍ତ ଦାସ, ଫରୱାର୍ଡ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର, ଓଡ଼ିଶା ଶ୍ରମିକ ଫେଡରେସନ୍‌ର ଜନାର୍ଦନ ପତି, ଉଲ୍ଲାସ ସ୍ବାଇଁ, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ବସ୍ତିବାସିନ୍ଦାଙ୍କ ଲଢ଼ୁଆ ସାଥୀ ଶିବରାମ
ରାଜଧାନୀରେ କେଉଁଠି ବସ୍ତି ଉଚ୍ଛେଦ ହେଲା, କାହା ଘର ଉପରେ ବୁଲଡୋଜର୍‌ ଚଢ଼ିଗଲା, ଏହା ବିରୋଧରେ ଲଢ଼େଇ କରୁଥିଲେ ଶିବରାମ। ସେ କେବଳ ସେମାନଙ୍କ ସୁଖଦୁଃଖର ସଚ୍ଚା ସାଥୀ ନ ଥିଲେ, ବସ୍ତିବାସିନ୍ଦାଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରୁଥିଲେ। ବ୍ୟବସ୍ଥା ଦିନେ ଯେଉଁ ସ୍ବର ଦବାଇ ପାରୁ ନଥିଲା, ଆଜି ତାକୁ ସବୁ ଦିନ ପାଇଁ ବନ୍ଦ କରି ଦେଲା କରୋନା। ସର୍ବଭାରତୀୟ ବସ୍ତିବାସିନ୍ଦା ସମନ୍ବୟ କମିଟିର ଆବାହକ, ଟ୍ରେଡ୍‌ ୟୁନିଅନ୍‌ ସେଣ୍ଟର୍‌ ଅଫ ଇଣ୍ଡିଆର ଆବାହକ ଏବଂ ରାଜଧାନୀର ବସ୍ତି ସୁରକ୍ଷା ମଞ୍ଚର ପରାମର୍ଶଦାତା ଭାବରେ କାର୍ଯ୍ୟ କରି ବସ୍ତିବାସିନ୍ଦା ସ୍ବାର୍ଥ ପାଇଁ ଲଗାତାର କାର୍ଯ୍ୟ କରୁଥିଲେ। ଚିଲିକା ଆନ୍ଦୋଳନ, ପୋସ୍କୋ ବିରୋଧୀ ଆନ୍ଦୋଳନରେ ଦୀର୍ଘ ଦିନ ଧରି ସଂପୃକ୍ତ ରହିଥିଲେ। ବ୍ରହ୍ମପୁର ଜିଲ୍ଲା ଆସିକା ଚିନିଶିଳ୍ପ ନୂଆଗାଁର ଦେବକୀ, ଶୁକଦେବଙ୍କ ପୁଅ ଶିବରାମ ଲେନିନଙ୍କ ପୁସ୍ତର ପଢ଼ି ବାମପନ୍ଥୀ ଆଦର୍ଶ ପ୍ରତି ଆକର୍ଷିତ ହୋଇଥି‌‌ଲେ। ସିପିଆଇ ଏମଏଲ୍‌ ରେଡଷ୍ଟାର୍‌ର ସାଧାରଣ ସମ୍ପାଦକ କେ.ଏନ୍‌ ରାମଚନ୍ଦ୍ରନଙ୍କ ନେତୃତ୍ବରେ ଏହି ଦଳରେ ଯୋଗ ଦେଇଥିଲେ। ସାଥୀ ପ୍ରମିଳାଙ୍କ ସହିତ ତାଙ୍କର ଜାତି, ଯୌତୁକ ବିହୀନ ବିବାହ ମଧ୍ୟ ଉଦାହରଣ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର