ପେଟ ଯନ୍ତ୍ରଣାରେ ଛଟପଟ ଶିବଶଙ୍କର: ଅର୍ଥ ଯୋଗାଡ଼ କରିପାରୁନାହାନ୍ତି ବାପାମା’

ଭୁବନେଶ୍ବର: ଲିଭର ପ୍ରତିରୋପଣ ଜରୁରୀ ହୋଇପଡ଼ିଛି। ଏଥିପାଇଁ ଦିଲ୍ଲୀ ଏମ୍‌ସ ଯିବାକୁ ପଡ଼ିବ ଓ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ମାତ୍ର ଗ୍ରାମାଞ୍ଚଳରେ ସେଲୁନଟିଏ କରି ପରିବାର ପୋଷୁଥିବା ବାପା ପାଇଁ ୪୦ ଲକ୍ଷ ଟଙ୍କା ଯୋଗାଡ଼ କରିବା ଅସମ୍ଭବ। ତେଣୁ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ୨ ବର୍ଷର ପୁଅକୁ ଧରି ବାପାମା’ ବଡ଼ କଷ୍ଟରେ ବଞ୍ଚିଛନ୍ତି। ଭଗବାନଙ୍କୁ ଡାକିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କିଛି ରାସ୍ତା ନାହିଁ। ଏହା ହେଉଛି କଟକ ଜିଲ୍ଲା ଚୌଦ୍ବାର କଳାପଡ଼ା ଗ୍ରାମ ପଞ୍ଚାୟତର ମାନସ ବାରିକଙ୍କ କରୁଣ କାହାଣୀ।

ମାନସଙ୍କ କହିବା କଥା ତାଙ୍କ ୨ ବର୍ଷର ପୁଅ ଶିବଶଙ୍କର ଏବେ ପେଟକୁ ଧରି କେବଳ କାନ୍ଦୁଛି। ଲିଭର ଖରାପ ହୋଇଯାଇଥିବାରୁ ପିଲାଟି ଅସହ୍ୟ ଯନ୍ତ୍ରଣା ଭୋଗୁଛି। ତା’ ରୋଗ ଯନ୍ତ୍ରଣାଠାରୁ ବଳେଇ ପଡ଼ିଛି ସେମାନଙ୍କ ଦୁଃଖ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିନପାରିବାର ଦୁଃଖ ବେଶି ବାଧୁଛି। ଜୀବନ ଧିକ୍‌ ବୋଲି କହିଛନ୍ତି ମାନସ। ଭୁବନେଶ୍ବର ଏମ୍‌ସରେ ଦେଖାଇବା ପରେ ଡାକ୍ତର ଦିଲ୍ଲୀ ଏମ୍‌ସକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଲିଭର ପ୍ରତିରୋପଣ କରିବାକୁ ପଡ଼ିବ ବୋଲି କହିଛନ୍ତି। ଏଥିପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିଭଳି ରାଷ୍ଟ୍ରୀୟ ବାଲ୍‌ ବିକାଶ କାର୍ଯ୍ୟକ୍ରମ ଯୋଜନାରେ ବାଙ୍ଗାଲୋର ପଠାଇବା ପାଇଁ ବି ଖର୍ଚ୍ଚ ହେବ ୨୩ ଲକ୍ଷ ଟଙ୍କା। ମାତ୍ର ଏତେ ପରିମାଣର ଟଙ୍କା ସେ କେଉଁଠୁ ଯୋଗାଡ଼ କରିବେ ବୋଲି ମାନସ ଭାବି ପାରନ୍ତି ନାହିଁ। ଆର୍ଥିକ ସହାୟତା ପାଇଁ ସେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ବି ସବୁଠି ତାଙ୍କୁ କେବଳ ହତାଶ ହେବାକୁ ପଡ଼ିଛି। ବର୍ତ୍ତମାନ ଶିବଶଙ୍କରର ପେଟ ଫୁଲିକି ରହୁଛି ଓ ବଡ଼ କଷ୍ଟ ହେଉଛି। କରୋନା ସମୟରେ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଥିଲା। ରକ୍ତ ସହିତ ପ୍ଲାଜମା ଦେବାକୁ ପଡ଼ିଥିଲା ବୋଲି ମାନସ କହିଛନ୍ତି। ଯଥାଶୀଘ୍ର ଲିଭର ପ୍ରତିରୋପଣ କରାଇବା ପାଇଁ ପରାମର୍ଶ ଦିଆଯାଉଛି। ତେଣୁ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ ନ କଲେ, ଶିବଶଙ୍କରର ଚିକିତ୍ସା ଅସମ୍ଭବ ବୋଲି ସ୍ପଷ୍ଟ ହୋଇଛି। ସହଯୋଗ ପାଇଁ ମାନସ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର