ଭୁବନେଶ୍ବର: ବିଜେପି ଶାସନକୁ ଆସିବା ପରେ ବିଏମ୍‌ସିକୁ ପ୍ରଥମ ଝଟ୍‌କା ଲାଗିଛି। ବଡ଼ଗଡ଼ରେ ୱାର୍ଡ ନଂ. ୫୭ର ୱାର୍ଡ ଅଫିସ୍‌ ନିର୍ମାଣରେ ରୋକ ଲାଗିଛି। ଏହି ଜାଗାରେ ଡାକଘର ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ଆସନ୍ତା ଲ୍ୟାଣ୍ଡ ଆଲଟ୍‌ମେଣ୍ଟ କମିଟିରେ ଏହି ପ୍ରସଙ୍ଗ ଉପସ୍ଥାପିତ ହେବା ପରେ ନିଷ୍ପତ୍ତି ନିଆଯିବ। ସେ ପର୍ଯ୍ୟନ୍ତ ଏଠାରେ ବିଏମ୍‌ସି ନିର୍ମାଣ ବନ୍ଦ ରଖୁ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଇଷ୍ଟେଟ୍‌ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ସାମଲ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି।

Advertisment

ସୂଚନାଯୋଗ୍ୟ, ବିଏମ୍‌ସିର ସମସ୍ତ ୬୭ ୱାର୍ଡରେ ୱାର୍ଡ ଅଫିସ ନିର୍ମାଣ ହେବାକୁ ଯୋଜନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୩୦ ୱାର୍ଡ ଅଫିସ ନିର୍ମାଣ ପାଇଁ ବିଏମ୍‌ସି ଟେଣ୍ଡର ଡାକିଥିଲା। ଏହାରି ଭିତରେ ବଡ଼ଗଡ଼ରେ ଏହି ୫୭ ନଂ ୱାର୍ଡର ଅଫିସ ରହିଥିଲା। ବଡ଼ଗଡ଼ ମୌଜାର ଖାତା ସଂଖ୍ୟା ୧୬୧୬ ଓ ପ୍ଲଟ ସଂଖ୍ୟା ୪୨୩୪(ପାର୍ଟ ପ୍ଲଟ୍‌)ରେ ଥିବା ୦.୦୫୨ଡିସିମିଲି ଜମିରେ ନିର୍ମାଣ ଆରମ୍ଭ ହୋଇଥିଲା। ଏଠାରେ ମଲ୍ଟି ପରପଜ ୟୁଟିଲିଟି ସେଣ୍ଟର ସହ ୱାର୍ଡ ଅଫିସ ନିର୍ମାଣ ପାଇଁ ଜମିକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନାମରେ କରିବା ପାଇଁ ବିଏମ୍‌ସି ଜିଏ ବିଭାଗକୁ ଆବେଦନ କରିଥିଲା। ଏହି ଆବେଦନକୁ ଜିଏ ଖାରଜ କରିବା ସହ ଏଭଳି ଚିଠି ଲେଖିଛି। ପୂର୍ବରୁ ଏଠାରେ ଏକ ଡାକଘର ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ‌ଲେଖିଛି। ଅନ୍ୟପଟେ ବ୍ରିଟ୍‌ କଲୋନି ଉନ୍ନୟନ ପରିଷଦ ପକ୍ଷରୁ ଏହି ୱାର୍ଡ ଅଫିସ ନିର୍ମାଣ ନେଇ ଅଭି‌ଯୋଗ ରହିଥିବା ଚିଠିରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ବିଏମ୍‌ସି ୱାର୍ଡ ଅଫିସ ପାଇଁ ‌ଯୋଜନା କରିଥିଲେ ମଧ୍ୟ ଅନେକ ୱାର୍ଡରେ ଜମି ନଥିଲା। ୱାର୍ଡ ଅଫିସ ନିର୍ମାଣ ଆରମ୍ଭ ହୋଇ ପାରିନଥିଲା। ୩ ମାସ ମଧ୍ୟରେ ମାତ୍ର ୫ଟି ୱାର୍ଡ ଅଫିସର ନିର୍ମାଣ ସମ୍ଭବ ହୋଇଥିଲା। ଏହି ୱାର୍ଡ ଅଫିସ୍‌ ନିର୍ମାଣ ପାଇଁ ୪୭ ଲକ୍ଷ ୭ ହଜାର ୮୯୩ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିଲା। ୩୦ ୱାର୍ଡ ଅଫିସ୍‌ ପାଇଁ ମୋଟ ୧୪ କୋଟି ୩୭ ଲକ୍ଷ ୩୦ ହଜାର ବ୍ୟୟ ଅଟକଳ ହୋଇଥିଲା। ଗୋଟିଏ ଢାଞ୍ଚାରେ ଏ ସବୁ ନିର୍ମାଣ ହେବାକୁ ଯୋଜନା ହେବା ସହ ୩ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଥିଲା।