ପେଟ୍ରୋଲ ପମ୍ପ ବିସ୍ଫୋରଣର ଚାଞ୍ଚଲ୍ୟକର ତଥ୍ୟ, ଟାଙ୍କି କାମ ବେଳେ ମୋବାଇଲରେ ସୁଟିଂ ହେଉଥିଲା

ପୁଲିସକୁ ଏସ୍‌ଓପି କାଗଜପତ୍ର ଦେଲା ଆଇଓସିଏଲ୍, ଏନ୍‌ଏଚ୍‌ଆରସି ପକ୍ଷରୁ ରିପୋର୍ଟ ତଲବ

ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା‌ରେ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଘଟଣାସ୍ଥଳରେ ଯାଞ୍ଚ କାମ କରୁଥିବା ବେଳେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଟେକନିସିଆନ୍ ସତ୍ୟ ନାୟକଙ୍କର ଶେଷ ଭିଡିଓ ଏବେ ପଦାକୁ ଆସିଛି। ସତ୍ୟ ଟାଙ୍କି ଭିତରେ ପଶି କାମ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହାକୁ ସେ ହ୍ବାଟସଆପ୍ ଯୋଗେ ପତ୍ନୀଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି। ଏହି ଭିଡିଓ ପଦାକୁ ଆସିବା ପରେ ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟାଙ୍କିର କାମ ଚାଲିଥିବା ବେଳେ କାହିଁକି ଭିଡିଓ ସୁଟିଂ କରାଯାଉଥିଲା? ଭିଡିଓ ସୁଟିଂ ସମୟରେ କାହିଁକି ଏହାକୁ କିଏ ବାରଣ କରି ନଥିଲେ? ଟାଙ୍କିରେ ନିଆଁ ଲାଗିବା ପଛରେ ମୋବାଇଲ ଫୋନ୍ କଲ୍ ଏକ କାରଣ ହୋଇଥିବା ସନ୍ଦେହରେ ପୁଲିସ ଓ ପେସୋ ତଦନ୍ତ ଜାରି ରଖିଥିବା ବେଳେ ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ବେପରୁଆ ଘଟଣା ପାଇଁ କିଏ ଦାୟୀ? ଆଇଓସିଏଲ୍ ଓ ଠିକା ସଂସ୍ଥାର ଭୂମିକା କ’ଣ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଭିଡିଓ ସୁଟିଂ ଘଟଣାକୁ ତଦନ୍ତକାରୀ ସଂସ୍ଥା ତଦନ୍ତ ପରିସରକୁ ନେଲେ କିଛି ସୁରାକ୍ ମିଳିପାରିବ ବୋଲି କୁହାଯାଉଛି।

ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଚି ଅର୍ଗାନାଇଜେସନ୍ (ପେସୋ)ର ପ୍ରାଥମିକ ତଦନ୍ତ ଅନୁସାରେ, ପମ୍ପର ଯେଉଁ ଭୂତଳ ଏଲପିଜି ଟାଙ୍କିରେ କାମ ଚାଲୁଥିଲା, ସେହି ଟାଙ୍କି ବିସ୍ଫୋରଣ ହୋଇଥିଲା। ପାଖରେ ଥିବା ଅଧାଭର୍ତ୍ତି ଅନ୍ୟ ଏକ ଟାଙ୍କି (ପଖାପାଖି ୪.୫ ଟନ୍‌ ଗ୍ୟାସ୍‌ ଥିବା) ଜଳିଥିଲା। କିନ୍ତୁ ଖାଲି ଟାଙ୍କିରେ କେମିତି ବିସ୍ଫୋରଣ ଘଟିଲା, ତାହାର ଏବେ ତଦନ୍ତ ଜାରି ରହିଛି। ବୈଷୟିକ ଟିମ୍ ଏହାର ତଦନ୍ତ କରୁଛି। ହୁଏତ ଭାଲବ୍ ଖୋଲାଯିବା ସମୟରେ ଅଧା ଭର୍ତ୍ତି ଟାଙ୍କିରୁ କାମ ଚାଲୁଥିବା ଟାଙ୍କିକୁ ଗ୍ୟାସ୍ ଆସିବା ପରେ କୌଣସି ଅଗ୍ନି ସଂଯୋଗ ହେଉ କିମ୍ବା ନାଇଟ୍ରୋଜେନ୍ ଗ୍ୟାସ୍ ଅମ୍ଳଜାନ ସଂସ୍ପର୍ଶରେ ଆସିବା ପରେ ନିଆଁ ଲାଗିଥିବା ସନ୍ଦେହ ମଧ୍ୟ ପ୍ରକାଶ ପାଇଛି। ପାଖରେ ନିଆଁର କୌଣସି କାର୍ଯ୍ୟ ଚାଲୁଥିଲା କିମ୍ବା ମୋବାଇଲ ଫୋନ୍ କଲକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ପୂରା ବିସ୍ତୃତ ତଦନ୍ତ ସହ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯିବ। ଏହି ଘଟଣା ଏକ ଅଧ୍ୟୟନର ବିଷୟ ହୋଇପଡ଼ିଛି। ସମସ୍ତ ଦିଗର ତଦନ୍ତ ସହ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଭରଦ୍ବାଜ ଶ୍ରୀବାସ୍ତବଙ୍କ ବୟାନ ରହସ୍ୟ ଉପରୁ ପରଦା ଉଠାଇ ପାରିବ ବୋଲି ପେସୋ ଅଧିକାରୀ ରୁଆବ ଅଲ୍ଲୀ କହିଛନ୍ତି।

ଅନ୍ୟପକ୍ଷରେ ଆଇଓସିଏଲ୍ ମୁଖ୍ୟାଳୟରୁ ଆସିଥିବା ୪ଜଣିଆ ବୈଷୟିକ ଦଳ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଟାଙ୍କିର ଯାଞ୍ଚ କାମ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ଏହି ଟିମ୍ ଆଜି ପୁଲିସକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର୍‌ (ଏସ୍‌ଓପି) ବାବଦ କାଗଜପତ୍ର ଦେଇଛନ୍ତି। ଏହି ଦସ୍ତାବିଜ୍ ପୁଲିସ ତଦନ୍ତରେ ସହାୟକ ହେବ। ନିଆଁ ଲାଗିବା ସମ୍ପର୍କରେ ବୈଷୟିକ ଟିମ୍ ଅଧିକ ଖୋଳତାଡ଼ କରୁଛି। ଖୁବ୍‌ଶୀଘ୍ର ସେମାନେ ପୁଲିସକୁ ଏକ ଚୂଡ଼ାନ୍ତ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ମିଳିଥିବା ଦେହାବଶେଷରେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେଲା ପରେ କୋର୍ଟଙ୍କ ଅନୁମତି ଲୋଡ଼ାଯିବ। ଏହା ପରେ ଡିଏନ୍ଏ ପରୀକ୍ଷା ପାଇଁ ପଠାଯିବ। ସେହିପରି ଫୋରେନସିକ୍ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି। ସିସିଟିଭି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଫୋରେନସିକ ଲାବରେଟୋରିରୁ ଆଉ କିଛି ରିପୋର୍ଟ ମିଳିବାକୁ ବାକି ରହିଛି। ସମସ୍ତ ରିପୋର୍ଟକୁ ମେଳ କଲା ପରେ ଯାହା କିଛି ନିର୍ଯ୍ୟାସ ବାହାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ୭ ତାରିଖରେ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ବିସ୍ଫୋରଣକୁ ଆସନ୍ତାକାଲି ସପ୍ତାହେ ପୂରିବ। ରାଜ୍ୟରେ ଘଟିଥିବା ଏହି ବଡ଼ଧରଣର ଅଘଟଣ ଉପରୁ କେବେ ପରଦା ଉଠିବ, ତାହା ଉପରେ ସମସ୍ତଙ୍କ ନଜର।

ଏନ୍‌ଏଚ୍‌ଆରସି ପକ୍ଷରୁ ରିପୋର୍ଟ ତଲବ
ନୂଆଦିଲ୍ଲୀ: ଭୁବନେଶ୍ୱରସ୍ଥିତ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ୍‌ରେ ଗତ ୭ ତାରିଖ ଦିନ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି) କେନ୍ଦ୍ର ପେଟ୍ରୋଲିୟମ ସଚିବ ଓ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଆଇନଜୀବୀ ଓ ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଏହି ଘଟଣାକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ଏଥିରେ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ତଥା ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକର ନିୟମିତ ତଦାରଖ କରିବା ପାଇଁ ଅନୁରୋଧ କରାଯାଇଥିଲା। ତଦନୁଯାୟୀ ପିଟିସନ୍‌ର ଶୁଣାଣି କରି ଏନ୍‌ଏଚ୍‌ଆରସି କେନ୍ଦ୍ର ପେଟ୍ରୋଲିୟମ ସଚିବ ଓ ରାଜ୍ୟ ଶାସନ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର