ରେଲ‌‌ୱେ ଚାକିରି ନାଁରେ ଠକେଇ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଶଳା-ଭିଣୋଇଙ୍କ ରାକେଟ୍‌ରେ ରେଳ ଅଧିକାରୀ!

ରେଲୱେ ମେଡିକାଲରେ ହୋଇଥିଲା ଚାକିରି ଆଶାୟୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
କଲ୍ୟାଣୀ ଓ ଧାନବାଦ ରେଳ ଷ୍ଟେସନରେ ତିନି ମାସ ଡ୍ୟୁଟି ବି କରିଥିଲେ
ଅନ୍ତଃରାଜ୍ୟ ଲିଙ୍କ୍‌ ରହସ୍ୟର ପର୍ଦ୍ଦାଫାସ୍ କରିପାରିବ କି ପୁଲିସ!

ଭୁବନେଶ୍ବର : ରେଲ‌ୱେରେ ଚାକିରି କରାଇଦେବା ନାଁରେ ଲୋକଙ୍କଠୁ ଲକ୍ଷଲକ୍ଷ ଟଙ୍କା ଲୁଟି ଧରା ପଡ଼ିଥିବା ଶଳା-ଭିଣୋଇଙ୍କ ଠକେଇ ମାମଲାର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଏହି ବଡ଼ ଧରଣର ଠକେଇରେ କେବଳ ଏହି ଦୁଇ ଜଣ ନୁହଁନ୍ତି; ଏହା ପଛରେ ଓଡ଼ିଶାରୁ ଆରମ୍ଭ କରି ଝାଡ଼ଖଣ୍ଡର ଧାନବାଦ ପର୍ଯ୍ୟନ୍ତ ଏକ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଛି। ଅଭିଯୋଗକାରୀଙ୍କ ବୟାନରୁ ଜଣାପଡ଼ିଛି ଯେ ଜଟଣୀସ୍ଥିତ ଖୋର୍ଦ୍ଧାରୋଡ୍ ମେଡିକାଲରେ ଠକେଇର ଶିକାର ଯୁବକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମେଡିକାଲ ସାର୍ଟିଫିକେଟରେ ଷ୍ଟାମ୍ପ୍‌ ସହ ଡାକ୍ତରଙ୍କ ଦସ୍ତଖତ ମଧ୍ୟ ରହିଛି। ଏପରିକି ସେମାନଙ୍କ ଭିତରୁ ଜଣେ ପଶ୍ଚିମବଂଗର କଲ୍ୟାଣୀ ଓ ଝାଡ଼ଖଣ୍ଡର ଧାନବାଦ ଷ୍ଟେସନରେ ତିନି ମାସ ଡ୍ୟୁଟି ମଧ୍ୟ କରିଥିବା ଜଣାପଡ଼ିଛି। ରେଳ ବିଭାଗର କୌଣସି ପ୍ରଭାବଶାଳୀ କର୍ମଚାରୀ/ଅଧିକାରୀଙ୍କ ବିନା ସହାୟତାରେ ଏପରି ହେବା ସମ୍ଭବ ନୁହେଁ। ତେଣୁ ଏହି ଠକେଇ ରାକେଟରେ ରେଲ‌ୱେ କର୍ମଚାରୀ/ଅଧିକାରୀ ସମ୍ପୃକ୍ତ ଥିବା ସନ୍ଦେହ ଘନୀଭୂତ ହୋଇଛି।

ଠକାମିର ଶିକାର ହୋଇଥିବା ଜଣେ ଯୁବକ ପ୍ରିୟଜିତ ସାହୁଙ୍କ କହିବା ଅନୁସାରେ, ସେ ଜଣେ ସମ୍ପର୍କୀୟଙ୍କ ଜରିଆରେ ଠକ ସମରଜିତ ରାଉତ ଓ ତା’ର ଶଳା ସୌମ୍ୟରଞ୍ଜନ ରାଉତ ସହ ଯୋଗାଯୋଗ କରିଥିଲେ। ଗତବର୍ଷ ଜୁନ ୮ ତାରିଖରେ ଅଫର ଲେଟର ଦେଇ ସେମାନେ ଅଗ୍ରୀମ ୫୦ ହଜାର ଟଙ୍କା ନେଇଥିଲେ। ସେହି ମାସ ୨୯ ତାରିଖରେ ମେଡିକାଲ ପରୀକ୍ଷା ହେବ ବୋଲି ତାଙ୍କ ନିକଟକୁ ଏକ ଲେଟର ମଧ୍ୟ ଆସିଥିଲା। ଏହାପରେ ଜୁଲାଇ ପ୍ରଥମ ସପ୍ତାହରେ ସମରଜିତ ଓ ସୌମ୍ୟରଞ୍ଜନ ତାଙ୍କୁ ଜଟଣୀସ୍ଥିତ ରେଲଓ୍ଵେ ମେଡିକାଲକୁ ନେଇଥିଲେ। ସେଠାରେ ଥିବା ପାଥୋଲୋଜିରେ ତାଙ୍କର ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରାଯିବା ସହ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସ୍ବାସ୍ଥ୍ୟ ଯାଞ୍ଚ ପରେ ରେଲଓ୍ଵେ ଲୋଗୋ ଥିବା ମେଡିକାଲ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ମେଡିକାଲ ରିପୋର୍ଟ ମିଳିବା ପରେ ତାଙ୍କୁ ପଶ୍ଚିମବଙ୍ଗର କଲ୍ୟାଣୀ ଷ୍ଟେସନରେ ଆସିଷ୍ଟାଣ୍ଟ ଷ୍ଟେସନ ମ୍ୟାନେଜର ଭାବେ ନିଯୁକ୍ତି ମିଳିଥିବା ସମରଜିତ କହିଥିଲା। ସେପ୍ଟେମ୍ବର ୨୪ ତାରିଖରେ ସେମାନେ କଲ୍ୟାଣୀରେ ପହଞ୍ଚିଥିଲେ। ଏକ ହୋଟେଲରେ ୭ଦିନ ରହିବା ପରେ ଅକ୍ଟୋବର ୧ ତାରିଖରେ ଷ୍ଟେସନକୁ ଯାଇଥିଲେ। ଜଣେ ବ୍ୟକ୍ତି ରେଲୱେ ଅଧିକାରୀ ପୋଷାକରେ ଆସି ପ୍ରିୟଜିତଙ୍କୁ ଭେଟିଥିଲେ। ସେଠାରେ ତାଙ୍କୁ ନିଯୁକ୍ତିପତ୍ର, ୟୁନିଫର୍ମ, ବ୍ଲେଜର ଓ ପରିଚୟପତ୍ର ଦେଇଥିଲେ। ନିଯୁକ୍ତିପତ୍ରରେ ଗ୍ରୁପ୍ ସି କର୍ମଚାରୀ ହିସାବରେ ଗ୍ରେଡ୍ ପେ ୯୩୦୦ ଟଙ୍କାରୁ ୩୪୮୦୦ ଟଙ୍କା ଥିବା ଉଲ୍ଲେଖ ରହିଥିଲା।

ଏହିଭଳି କରି ଠକ ଶଳା-ଭିଣୋଇ ପର୍ଯ୍ୟାୟକ୍ରମେ ତାଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କା ନେଇଥିଲେ। ପ୍ରିୟଜିତ ସେଠାରେ ଏକ ଭଡ଼ା ଘର ନେଇ ରହିଥିଲେ ଏବଂ ଅକ୍ଟୋବର ୨ ତାରିଖରୁ ଡ୍ୟୁଟି କରିବାକୁ ଯାଇଥିଲେ। ପ୍ଲାଟଫର୍ମରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ସେମାନଙ୍କଠାରୁ ଏକ ରେଜିଷ୍ଟରରେ ପ୍ରତ୍ୟେକ ଦିନ ଦସ୍ତଖତ ନେଉଥିଲେ। ପ୍ରଥମ ମାସରେ ହାତରେ ୬ ହଜାର ଓ ଦ୍ବିତୀୟ ମାସରେ ୯ ହଜାର ଟଙ୍କା ଦରମା ମିଳିଥିଲା। ଘରଭଡ଼ା ନେଇ ରହିବାକୁ ଅସୁବିଧା ହେଉଥିବାରୁ ନିଯୁକ୍ତିପତ୍ର ଦେଇଥିବା ବ୍ୟକ୍ତିଙ୍କୁ ସେ କ୍ବାର୍ଟର୍ସ କରାଇ ଦେବାକୁ କହିଥିଲେ। ତେବେ ସେଠି କ୍ବାର୍ଟର୍ସ ନ ଥିବା କହି ତାଙ୍କୁ ଝାଡ଼ଖଣ୍ଡ ଧାନବାଦରେ ଡ୍ୟୁଟି କରିବାରୁ ସମ୍ପୃକ୍ତ ବ୍ୟକ୍ତି ପରାମର୍ଶ ଦେଇଥିଲେ। ଏନେଇ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ମଧ୍ୟ କରାଇ ଦେଇଥିଲେ। ସେ ନିଜକୁ ଷ୍ଟେସନର ଜଣେ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଦୁଇ ମାସ ପରେ ପ୍ରିୟଜିତ କଲ୍ୟାଣୀ ଷ୍ଟେସନରୁ ଧାନବାଦ ଯାଇ ସେଠାରେ ଷ୍ଟେସନରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖା କରିଥିଲେ। ମାତ୍ର ସେଠାରେ ମାସେ ଡ୍ୟୁଟି କରିଥିଲେ ମଧ୍ୟ କୌଣସି କ୍ବାର୍ଟର୍ସ ମିଳି ନ ଥିଲା। ତୃତୀୟ ମାସର ଦରମା ମଧ୍ୟ ମିଳି ନ ଥିଲା। ଏ ନେଇ ସେ ଯାଞ୍ଚ କରିବା ପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଆଉ ସେଠାରୁ ଭୁବନେଶ୍ବର ଫେରି ଆସି ସମରଜିତ ଓ ସୌମ୍ୟରଞ୍ଜନଙ୍କୁ ଟଙ୍କା ମାଗିଥିଲେ। ମାତ୍ର ସେମାନେ ଟଙ୍କା ଫେରାଇ ନ ଥିଲେ। ଏହିଭଳି ଭାବେ ଠକ ଶଳା-ଭିଣୋଇ ଏକାଧିକ ଚାକିରି ଆଶାୟୀ ଯୁବକଙ୍କୁ ଲକ୍ଷଲକ୍ଷ ଟଙ୍କା ଚୂନ ଲଗାଇଥିବା ଜଣାପଡ଼ିଛି।

ପ୍ରଶ୍ନ ଉଠୁଛି, ଖୋର୍ଦ୍ଧା ରୋର୍ଡ ରେଲୱେ ମେଡିକାଲରେ କେଉଁ କର୍ମଚାରୀ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ? ଠକ ସମରଜିତ ଓ ସୌମ୍ୟରଞ୍ଜନଙ୍କ ସହ ତାଙ୍କର ସମ୍ପର୍କ କଣ? କଲ୍ୟାଣୀ ଷ୍ଟେସନରେ ଜାଲ୍‌ ନିଯୁକ୍ତିପତ୍ର ଦେଇଥିବା ବ୍ୟକ୍ତି ରେଲଓ୍ଵେର ଅଧିଚାରୀ କି? ଧାନବାଦ ଷ୍ଟେସନରେ ଡ୍ୟୁଟି କରାଇଥିବା ସମ୍ପୃକ୍ତ ବ୍ୟକ୍ତି କିଏ? ରେଲଓ୍ଵେର ଅଧିକାରୀ ହୋଇ ନ ଥିଲେ ଜଣକୁ ବିନା ନିଯୁକ୍ତିରେ ମାସମାସ ଧରି ଭିନ୍ନ ଭିନ୍ନ ଷ୍ଟେସନ୍‌ରେ ଡ୍ୟୁଟି କରାଇବା ସମ୍ଭବ କି? ତେଣୁ ଏହି ଠକେଇ ମାମଲାର ତଦନ୍ତ କେବଳ ଏହି ଠକ ଶଳା-ଭିଣୋଇଙ୍କ ମଧ୍ୟରେ ସୀମିତ ନ ରଖି ଏହି ରାକେଟ୍‌ରେ ଆଉ କେଉଁମାନେ ଅଛନ୍ତି, ତାହାର ‌ଖୋଳତାଡ଼ ହେବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ରେ ରେଲଓ୍ଵେ ଚାକିରି ନାଁରେ ଏମିତି ଲକ୍ଷଲକ୍ଷ ଲୁଟିଥିବା ଏକ ବଡ଼ଧରଣର ରାକେଟ୍‌ରେ ଏକାଧିକ ରେଳ କର୍ମଚାରୀ ସଂପୃକ୍ତ ଥିବାର ପ୍ରମାଣ ମିଳିଥିଲା ଏବଂ ସେମାନେ ଗିରଫ ହୋଇଥିଲେ। ଏବେ କମିସନରେଟ୍‌ ପୁଲିସ ଏସବୁ ଦିଗରେ ତଦନ୍ତ କଲେ ରାକେଟ୍‌ରେ ଥିବା ଠକ ରେଳ ଅଧିକାରୀ/କର୍ମଚାରୀଙ୍କ ମୁହଁରୁ ପରଦା ଖସି ପଡ଼ିବ ବୋଲି ବିଚାର କରାଯାଉଛି।

ସମ୍ବନ୍ଧିତ ଖବର