ବାଲିପାଟଣା: କଥାରେ ଅଛି ମଣିଷ ମରା ପାପ କେବେ ଲୁଚେନି। ଦିନେ ନା ଦିନେ ସାତ ତାଳ ପଙ୍କ ତଳୁ ଫୁଟି ବାହାରେ। ଠିକ୍ ସେମିତି ଏକ ଚାଞ୍ଚଲ୍ୟକର ଘଟଣା ଆଜି ବାଲିପାଟଣା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଦୀର୍ଘ ୩ ମାସ ପରେ ନିଜକୁ ନିଜେ ଧରାପଡ଼ିଯାଇଛି ପତି ହତ୍ୟାକାରୀ ପତ୍ନୀ। ସ୍ବାମୀକୁ ହତ୍ୟା କରିବା ପରେ ବାଡ଼ି ପଟ ବାଉଁଶବୁଦା ମୂଳରେ ପୋଡ଼ି ଦେଇ ମାମଲାକୁ ଏତେ ଦିନ ଲୁଚେଇ ରଖିବା କଥା ନିଜ ମୁହଁରେ ସ୍ବୀକାର କରିଛି ସ୍ତ୍ରୀ। ଖବର ପାଇ ବାଲିପାଟଣା ଥାନା ଓ ବନମାଳିପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଉଶଁବୁଦା ମୂଳରୁ ଅର୍ଦ୍ଧଦଗ୍ଧ ଶରୀରର କିଛି ଅଂଶ ଜବତ କରିଛି। ଫଳରେ ବନମାଳିପୁର ଗ୍ରାମର ନିଧିରାମ ଗିରି(୪୮) ନିଖୋଜ ମାମଲା ଉପରୁ ଆଜି ପର୍ଦ୍ଦା ହଟିଛି। ଗତ ସେପ୍ଟେମ୍ବର ମାସ ୧୨ତାରିଖରୁ ନିଧିରାମ ନିଖୋଜ ଥିଲେ। କ୍ୟାପିଟାଲ ହାଟରେ ଫିନାଇଲ୍ ବେପାର କରୁଥିବା ନିଧିଙ୍କ ନିଖୋଜ ମାମଲାକୁ ନେଇ ପୁଲିସର ମୁଣ୍ଡ ବିନ୍ଧା ବଢ଼ି ଯାଇଥିଲା। ସ୍ତ୍ରୀ ଲିଲିଙ୍କ ମିଛ ସୂଚନା ଆଧାରରେ ପୁଲିସ ବାଟବଣା ହୋଇଥିଲା। ତେବେ ଆଜି ଲିଲି ନିଜ ମୁହଁରେ ଗ୍ରାମବାସୀଙ୍କୁ ଏହା ଜଣାଇବା ପରେ କଥା ଜଣାପଡ଼ିଛି।
ଘଟଣାଟି ଏମିତି। ସେହି ଗ୍ରାମର ଲିଲି ପୂର୍ବରୁ ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବନମାଳିପୁର ଗାଁକୁ ନିଜ ଦୁଇ ଝିଅଙ୍କ ସହ ଫେରି ଆସି ଭଡ଼ାଘରେ ରହିଥିଲେ। କିଛି ଦିନ ପରେ ସେହି ଗାଁର ଘନ ଗିରିଙ୍କ ପୁଅ ନିଧିଙ୍କ ସହିତ ଲିଲିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ଏକାଠି ରହିଲେ ଓ ନିଧିଙ୍କ ଔରସରୁ ଲିଲି ପୁଣି ୨ଟି ଝିଅ ଓ ଏକ ପୁଅକୁ ଜନ୍ମ ଦେଇଥିଲେ। ତେବେ ଲିଲିଙ୍କ ଚରିତ୍ରକୁ ନେଇ ନିଧି ସନ୍ଦେହ କରୁଥିଲେ। ଫଳରେ ବହୁ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା।
ଆଜି ଗାଁ ଲୋକଙ୍କୁ ଲିଲି ଦେଇଥିବା ବୟାନ୍ ଅନୁସାରେ ଘଟଣା ଦିନ ନିଧି ଘରେ ଝଗଡ଼ା କରିବାରୁ ସେ ଏକ ହେମଦସ୍ତା ପୁଆରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେହିଠାରେ ହିଁ ନିଧି ଟଳି ପଡ଼ିଥିଲେ। ନିଧିଙ୍କ ମୃତଦେହକୁ ଲିଲି ଘରେ ୩ ଦିନ କାଳ ଲୁଚାଇ ରଖିଥିଲେ ଓ ପର ଦିନ ରାତିରେ ବାଡ଼ି ପଟ ବାଉଶଁବୁଦା ମୂଳରେ ପୋଡ଼ି ଦେଇଥିଲେ। ପୂରା ପୋଡ଼ି ନ ହେବାରୁ ଅର୍ଦ୍ଧଦଗ୍ଧ ଶରୀରକୁ ସେହିଠାରେ ଡାଳପତ୍ର ଘୋଡ଼ାଇ ଲୁଚାଇ ଦେଇଥିଲେ। ଏହା ପରେ ସେ ବାଲିପାଟଣା ଥାନାରେ ନିଧି ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହା ଭିତରେ କିନ୍ତୁ ଲିଲିର ହାବଭାବ ଚାଲିଚଳଣି ବଦଳି ଯାଇଥିଲା। ସେ ବହୁ ସମୟରେ ଭୟଭୀତ ରହୁଥିବା ଲୋକେ ଲକ୍ଷ୍ୟ କରୁଥିଲେ। ତେବେ ସେ ଯେ ନିଜେ ବିଭିତ୍ସ ହତ୍ୟାକାଣ୍ଡ ଭିଆଇଛି ବୋଲି କେହି ସାମାନ୍ୟତମ ସୁରାକ୍ ପାଇନଥିଲେ। ବରଂ ବିଚାରି ଦୁଇ ଦୁଇ ଜଣଙ୍କ ହାତ ଧରିବା ପରେ ବି ଶେଷକୁ ଅସହାୟ ହୋଇ ପଡ଼ିଲା ବୋଲି ସମସ୍ତେ ତାକୁ ଦୟା ଦେଖାଉଥିଲେ। ହେଲେ ଆଜି ସନ୍ଧ୍ୟାରେ ଲିଲି ହଠାତ୍ ପାଖ ପଡ଼ୋଶୀଙ୍କୁ ଡାକି ସବୁ ସତ ଉଗାରି ପକାଇଥିଲା। ପଡ଼ୋଶୀମାନେ ଲିଲି ମୁହଁରୁ ଏହା ଶୁଣିବା ପରେ ନିଜ କାନକୁ ବିଶ୍ବାସ କରି ପାରିନଥିଲେ। ଖବର ସଙ୍ଗେ ସଙ୍ଗେ ପ୍ରଚାରିତ ହୋଇ ଯାଇଥିଲା। ଖବର ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ସେଠାରେ ପହଞ୍ଚିଥିଲେ। ପୁଲିସ ଟିମ୍ ବାଉଁଶବୁଦା ମୂଳକୁ ଯାଇ ଅଳିଆ ଭିତରୁ ଖପୁରି ଓ କିଛି ହାଡ଼ ଜବତ କରିଥିଲା। ପୁଲିସ ଲିଲିକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି। ଲିଲିଙ୍କ ଚରିତ୍ରକୁ ନେଇ ଗାଁ ଲୋକେ ଏହି ବିଭିତ୍ସ ହତ୍ୟାକାଣ୍ଡରେ ଆଉ କେହି ସାମିଲ୍ ଥିବା ସନ୍ଦେହ କରୁଛନ୍ତି। ପୁଲିସ ସୂଚନାନୁସାରେ ଜବତ ହାଡ଼ରୁ ନିଧିଙ୍କ ଡିଏନ୍ଏ ପରୀକ୍ଷା କରାଯିବ ଓ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନା, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ।