ଭୁବନେଶ୍ୱର : ରାଜ୍ୟ ତଥା ଜାଜୀୟ ସ୍ତରରେ ଜୋତା ପ୍ରସ୍ତୁତି ଶିଳ୍ପର ଚାହିଦା ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଡିଜାଇନ୍ ଜୋତା ତିଆରି ହେଉ ନାହିଁ। ସେଇ ପୁରୁଣାକାଳିଆ ଢଙ୍ଗରେ ତିଆରି ହେଉଥିବାରୁ ବାହାର ରାଜ୍ୟରୁ ବିଭିନ୍ନ ଡିଜାଇନ୍ ଜୋତା ଆମଦାନି ହେଉଛି। ଯାହାର ବଜାର ଚାହିଦା ଅଧିକ। ତେଣୁ ନୂଆ ଡିଜାଇନ୍ର ଜୋତା ତିଆରି ହେଲେ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭର କରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ (ଆଇଇଡିଓ) ଏବଂ ଆଗ୍ରାସ୍ଥିତ କେନ୍ଦ୍ରୀୟ ପାଦୁକା ପ୍ରଶିକ୍ଷଣ ସଂସ୍ଥାନ(ସିଏଫ୍ଟିଆଇ)ର ମିଳିତ ସହଯୋଗରେ ଆଇଇଡିଓ ପରିସରରେ ଏକ ତାଲିମ କେନ୍ଦ୍ର ଉଦ୍ଘାଟିତ ହୋଇଛି।
ବୁଧବାର ସନ୍ଧ୍ୟାରେ ତାଲିମ କେନ୍ଦ୍ର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଲିମ କେନ୍ଦ୍ର ଉଦ୍ଘାଟନ କରି କହିଲେ, ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ଆତ୍ମନିର୍ଭରଶୀଳ ହେବାରେ ଆଇଇଡିଓର ଭୂମିକା ପ୍ରଶଂସନୀୟ। ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ସରକାରୀ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ବେକାର ଦୂରୀକରଣ ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉପରେ ସାମଲ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଲେ, ଯେକୌଣସି ଦେଶର ଅଗ୍ରଗତି ଶିଳ୍ପ ଉପରେ ନିର୍ଭରଶୀଳ। ଅର୍ଥନୀତିରେ ଅଭିବୃଦ୍ଧିରେ ଶିଳ୍ପର ଯୋଗଦାନ ଅଧିକ ରହିଥାଏ। ରାଜ୍ୟରେ ପ୍ରଚୁର ପରିମାଣର ଖଣିଜ ସମ୍ପଦ ଥିଲେ ମଧ୍ୟ ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବାରୁ ଆମର ବିକାଶ ଯେଭଳି ହେବା କଥା ହୋଇପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଏଲ୍ ଏନ୍ ଗୁପ୍ତା, ଡିଟି ଆଣ୍ଡ ଇଟି ନିର୍ଦ୍ଦେଶକ ବଳବନ୍ତ ସିଂହ, ଶିଳ୍ପ ନିର୍ଦ୍ଦେଶକ ଏସ୍ ଆର୍ ପ୍ରଧାନ, ନିୟୋଜନ ନିର୍ଦ୍ଦେଶକ ଆର୍ ପି ପାଟିଲ୍, ସିଏଫ୍ଟିଆଇ ନିର୍ଦ୍ଦେଶକ ସନାତନ ସାହୁ ପ୍ରମୁଖ ଯୋଗଦେଇ ତାଲିମର ପାଠ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଶତାଧିକ ଛାତ୍ରଛାତ୍ରୀ, ଉଦ୍ୟୋଗୀ ଯୋଗ ଦେଇଥିଲେ। ସଭା ଶେଷରେ ପ୍ରତିଷ୍ଠାନର ଭାଇସ୍ ପ୍ରିନ୍ସପାଲ ସଂଗ୍ରାମ କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।