ବାରଙ୍ଗ: ଚନ୍ଦକାସ୍ଥିତ ଏସ୍ଓଜି କ୍ୟାମ୍ପସ୍ରେ ପ୍ରଶିକ୍ଷଣ ଚାଲିଥିବା ବେଳେ ଆଜି ଜଣେ ସର୍ଜେଣ୍ଟଙ୍କ ଦେହରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ତେବେ ଗୁଳିଟି ଫୁଟିବା ପରେ କୌଣସି ଶକ୍ତ ପଦାର୍ଥରେ ବାଜି ଫେରିବା ବେଳେ (ରିବାଉଣ୍ଡ ହୋଇ) ପ୍ରଶିକ୍ଷଣ ଦେଉଥିବା ସର୍ଜେଣ୍ଟଙ୍କ ଦେହରେ ବାଜିଥିବାରୁ ତାଙ୍କର ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି। ଏନେଇ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ସୂଚନାନୁସାରେ, ଏଲ୍ଏମ୍ଜି ଫାୟାରିଂ ଅଭ୍ୟାସ ଚାଲିଥିଲା ଓ ଯବାନମାନେ ଚଟାଣରେ ଘୁଷୁଡ଼ି ଘୁଷୁଡ଼ି ଗୁଳିଚାଳନା ଅଭ୍ୟାସ କରୁଥିଲେ। ଏତିକିବେଳେ ଗନ୍ରୁ ବାହାରିଥିବା ଏକ ଗୁଳି ଲକ୍ଷ ଭେଦ କରିବା ବଦଳରେ କୌଣସି ଏକ ଶକ୍ତ ଜାଗାରେ ବାଜି ଦିଗ ବଦଳାଇଥିଲା ଓ ସର୍ଜେଣ୍ଟଙ୍କ ଦେହରେ ବାଜିଥିଲା। ସୂଚନାଯୋଗ୍ୟ, ଗତ ବର୍ଷ ଏମିତି ଅଭ୍ୟାସ ବେଳେ ପ୍ରଶିକ୍ଷଣ ଦେଉଥିବା ପ୍ରକାଶ ସାହୁ ନାମକ ଜଣେ ହାବିଲଦାରଙ୍କ ଛାତିରେ ଗୁଳି ବାଜି ମୃତ୍ୟୁ ହୋଇଥିଲା।