ପୂର୍ବ ଶତ୍ରୁତାରୁ ରାଜଧାନୀରେ ପୁଣି ଫୁଟିଲା ଗୁଳି

ଜନଗହଳିପୂର୍ଣ୍ଣ ସିଆର୍‌ପି ଛକରେ ଆତଙ୍କ ଖେଳାଇଲେ ଅପରାଧୀ, ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଅଟକ

ଭୁବନେଶ୍ବର,: ଜନଗହଳିପୂର୍ଣ୍ଣ ସିଆର୍‌ପି ଛକସ୍ଥିତ ଫୁଡ୍‌ ଷ୍ଟଲ୍‌ ନିକଟରେ ଆଜି ସଂଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ଫୁଟିଛି। ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି ଫୁଟାଇଥିବା ଜଣାପଡ଼ିଛି ଓ ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଉଠାଇଛି।

ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ବିନୟ ସେଠାରେ ଥିବା ଏକ ପାନ ଦୋକାନକୁ ବନ୍ଦ କରାଇବା ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେହି ସମୟରେ ଫୁଡ୍‌ ଷ୍ଟଲ୍‌ ନିକଟ‌‌ରେ ଉପସ୍ଥିତ ଶହଶହ ଲୋକ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି କିଛି ଲୋକ ଭୟରେ ଜାଗା ଛାଡ଼ି ପଳାଇଥିଲେ। ଗୁଳି ଫୁଟାଇଥିବା ଦୁର୍ବୃତ୍ତ ଜଣକ ବଡ଼ ପାଟିରେ ବାହା‌ସ୍ଫୋଟ ମାରି ତା’ ସହଯୋଗୀଙ୍କୁ କହୁଥିଲା, ‘ଦେଖିଲୁ ଦାଦା ହେବା ପାଇଁ ହେଲେ ଏମିତି ଫୁଟାଇବାକୁ ହେବ…ଏଥିପାଇଁ ସାହସ ଦରକାର’। ଗୁଳି ଫୁଟାଇବା ପରେ ମଧ୍ୟ ଦୁର୍ବୃତ୍ତମାନେ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ସେଠାରେ ଖଟି କରିଥିଲେ। ସତେକି ସେମାନେ ରାଜଧାନୀର ହର୍ତ୍ତାକର୍ତ୍ତା ଓ ପୁଲିସ୍‌ କିମ୍ବା ଆଇନକାନୁନ୍‌ ବ୍ୟବସ୍ଥା ବୋଲି କିଛି ନାହିଁ। ପରେ ସେମାନେ ସେଠାରୁ ପଳାଇଥିଲେ। କିନ୍ତୁ ସଂଧ୍ୟା ସମୟରେ ରାଜଧାନୀର ଛାତି ଉପରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ହେଁ ଘଟଣାସ୍ଥଳଠାରୁ ମାତ୍ର ୨୦ ମିଟର ଦୂର‌ରେ ଥିବା ନୂଆପଲ୍ଲୀ ଫାଣ୍ଡି କର୍ମଚାରୀଙ୍କ ଦେଖା ନଥିଲା। ତେବେ ବିଳମ୍ବରେ ଖବର ପାଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ପାଇଁ ନୂଆପଲ୍ଲୀ ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସୂଚନା‌ ମୁତାବକ, ଗତବର୍ଷ ଗଣେଶ ପୂଜାରେ ସିଆର୍‌ପି ଛକରେ ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିଲା। କେବିଏନ୍ ଗ୍ୟାଙ୍ଗ୍ ସିଆର୍‌ପି ଛକରେ ବିନୟ ଆଚାର୍ଯ୍ୟ ଗୋଷ୍ଠୀକୁ ନିସ୍ତୁକ ପିଟିଥିଲେ। ଗ୍ୟାଙ୍ଗର ମୁଖ୍ୟ ଦେବୀପ୍ରସାଦ ଜେନା ଓରଫ୍‌ ବୁବୁର ବଡ଼ ଭାଇ ବିଭୁପ୍ରସାଦ ଜେନା ଓରଫ୍‌ ବାବୁ ସିଆର୍‌ପି ଛକସ୍ଥିତ ଫୁଡ୍ ଷ୍ଟଲ୍ ନିକଟରେ ଛିଡ଼ା ହୋଇଥିବା ବେଳେ ବିନୟ ଓ ତାଙ୍କର ଜଣେ ସହଯୋଗୀ ଏକ ଆଭେଞ୍ଜର୍ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ବାବୁଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ଅଣ୍ଟାରୁ ବନ୍ଧୁକ ବାହାର କରି ବାବୁ ଏବଂ ସ୍ଥାନୀୟ ଲୋକଙ୍କୁ ଡରାଇବା ଉଦ୍ଦେଶ୍ୟରେ ୨ ରାଉଣ୍ଡ୍ ଫାଙ୍କା ଗୁଳିଚାଳନା କରିଥିଲା ବୋଲି ବାବୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସେହି ସ୍ଥାନରେ ବୁବୁ ଓ ତା’ କେବିଏନ୍ ଗୋଷ୍ଠୀ ବିନୟ ଗୋଷ୍ଠୀଙ୍କୁ ଆକ୍ରମଣ କରିଥିବାରୁ ଲୋକଙ୍କୁ ରୋବାବ୍‌ ଦେଖାଇବା ପାଇଁ ବିନୟ ଆଜି ଏହିଭଳି ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମାତ୍ର ୫ ଦିନ ତଳେ ଦୁର୍ଦ୍ଦାନ୍ତ ଡକାୟତ ଚକ୍ରଧର ବାରିକ ଓରଫ ଚକରାକୁ ପୁଲିସ୍‌ ବରମୁଣ୍ଡା ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଏନ୍‌କାଉଣ୍ଟର୍‌ କରିଥିଲା। ନୂଆ ଡିସିପି ପ୍ରତୀକ ସିଂହ ଯୋଗଦେବା ପରେ ପରେ ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଚକରାକୁ ଏନ୍‌କାଉଣ୍ଟର୍‌, ରାଜଧାନୀରେ ଅନ୍ୟ ଅପରାଧୀମାନଙ୍କ ପାଇଁ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଥିଲା। କିନ୍ତୁ ଆଜି ସର୍ବସାଧାରଣରେ ଗୁଳି ଫୁଟାଇ ଏହି ଅପରାଧୀ ପୁଲିସକୁ ପୁଣି ଥରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ସମ୍ବନ୍ଧିତ ଖବର