ଭୁବନେଶ୍ବର: ରାତି ପ୍ରାୟ ୯ଟା। ଟଙ୍କପାଣି ବ୍ରିଜ୍ ଉପରେ ଏକ କଳା ପଲ୍ସର୍ ସହ ଏକ ଧଳାରଙ୍ଗର ବଲେରୋ ମୁହାଁମୁହିଁ ହେଲା। ଠିକ୍ ଧକ୍କା ହେବା ପୂର୍ବରୁ ଦୁଇଟିଯାକ ଗାଡ଼ି ଅଟକିଗଲା। ଲୋକେ ଭାବିଲେ କିଛି ପାଟିତୁଣ୍ଡ ହେବ। କିନ୍ତୁ ପଲ୍ସରରେ ଥିବା ୨ ଯୁବକ ଆଖି ପିଛୁଳାକେ ଗାଡ଼ି ବୁଲାଇ ସେଠାରୁ ପଳାଇଲେ। ସେମାନେ ହାଇଟେକ୍ ଅନ୍ଧାରିଆ ରାସ୍ତାରେ ଦ୍ରୁତବେଗରେ ପଳାଇଲେ। ବଲେରୋଟି ମଧ୍ୟ କାଳ ବିଳମ୍ବ ନକରି ପିଛା କଲା। ଘଟଣା କ’ଣ ଜାଣିବାକୁ କିଛି ଯୁବକ ବାଇକ୍ ଧରି ପଛେପଛେ ଗଲେ। ପଲ୍ସରଟି ଖୁବ୍ ଦ୍ରୁତବେଗରେ ଯାଇ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆକୁ ପଶିଯାଇଥିଲା। ପଡ଼ିଆ ଭିତରେ ଏକ ସିମେଣ୍ଟ ଚଉକିରେ ପଲ୍ସର୍ ଧକ୍କା ହେବାରୁ ଦୁଇ ଯୁବକ ତଳେ ପଡ଼ିଯାଇଥିଲେ। ପଛେପଛେ ଥିବା ବଲେରୋ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହଠାତ୍ ସେମାନେ ଗୁଳି ବର୍ଷଣ କଲେ। ତେଣୁ ବଲେରୋଟି କିଛି ଦୂରରେ ଅଟକିଗଲା। ପରେପରେ ବଲେରୋରୁ ଗୁଳିମାଡ଼ ହେଲା। ଘଟଣା ଦେଖିବାକୁ ଯାଇଥିବା ଯୁବକମାନେ ପ୍ରାଣ ବିକଳରେ ପଛକୁ ଫେରି କିଛି ଦୂରରେ ଅଟକିଲେ। ଦୁଇ ପଟୁ ଗୁଳି ବିନିମୟ ହେଉଥିବା ଦେଖି ସେମାନେ ଭାବିଲେ ବି କୌଣସି ଗ୍ୟାଙ୍ଗ୍ ୱାର୍ ହେଲା। କିନ୍ତୁ ପ୍ରାୟ ୭/୮ ରାଉଣ୍ଡ ଗୁଳିମାଡ଼ ପରେ ବନ୍ଧୁକ ଗର୍ଜନ ବନ୍ଦ ହୋଇଯାଇଥିଲା। ଦେଖାଗଲା ଯେ ୬/୭ଜଣ ବ୍ୟକ୍ତି ୨ଜଣଙ୍କୁ ଟେକିଟେକି ବଲେରୋକୁ ନେଲେ। କିଛି ସମୟ ପରେ ଜଣାପଡ଼ିଲା ଯେ ପୁଲିସ ୨ଜଣଙ୍କୁ ଏନ୍କାଉଣ୍ଟର୍ କରିଛି।
ପୁଲିସ ସୂଚନାନୁସାରେ ଏନ୍କାଉଣ୍ଟର୍ରେ ଘାଇଲା ହୋଇଥିବା ୨ଜଣ ହେଲେ ବିହାର କଟିହାର ଅଞ୍ଚଳର କୁଖ୍ୟାତ ଲୁଟେରା ମନୀଷ ଯାଦବ ଓ ସୋନୁ ଯାଦବ। ଖୋରା ଗ୍ୟାଙ୍ଗ୍ର ଏହି ୨ ଲୁଟେରା ପଶ୍ଚିମବଙ୍ଗ ଓ ବିହାର ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍ ଥିଲେ। ଏମାନଙ୍କ ନାଁରେ ସେସବୁ ଅଞ୍ଚଳରେ ୩୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ଏମାନେ ଓଡ଼ିଶା ଆସି ଅପରେସନ୍ ଚଳାଇଥିଲେ। ଗତମାସ ୨୦ ତାରିଖ ଦିନ ଏହି ଲୁଟେରାଯୋଡ଼ି ରାଜଧାନୀରେ ସିରିଜ୍ ୬ଟି ସ୍ନାଚିଂ କରିଥିଲେ। ଗୋଟିଏ ଦିନରେ ଛଅ ଛଅଟି ଛିନ୍ତାଇ କରି ପୁଲିସର ନିଦ ହଜାଇ ଦେଇଥିଲେ। ସେହି ଦିନ ବଡ଼ଗଡ଼ ଥାନା ଅଞ୍ଚଳରେ ୨ଟି, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ଲିଙ୍ଗରାଜ ଓ କ୍ୟାପିଟାଲ୍ ଥାନାରେ ଗୋଟିଏ ଲେଖାଏଁ ଛିନ୍ତାଇ କରିଥିଲେ। ଏହି ଗ୍ୟାଙ୍ଗ୍ର ଯୋଜନାନୁସାରେ ଏମାନେ ଭୁବନେଶ୍ବରରୁ ଛିନ୍ତାଇ କରିବା ପରେ ବିହାର ପଳାଇଥିଲେ। ତେଣୁ ପୁଲିସ ସେମାନଙ୍କ ଟେର୍ ପାଇନଥିଲା। ଗତକାଲିଠାରୁ ପୁଣି ଏହି ଯୋଡ଼ି ଭୁବନେଶ୍ବର ଫେରିଥିଲେ ଏବଂ ଖବର ପାଇ ପୁଲିସ ପିଛା କରିଥିଲା। ଆଜି ରାତି ପ୍ରାୟ ୯ଟା ବେଳେ ଏହି ଯୋଡ଼ିଙ୍କୁ ପୁଲିସ ଟିମ୍ ଟଙ୍କପାଣି ବ୍ରିଜ୍ ନିକଟରେ ଠାବ କରିଥିଲା। ବାଙ୍କୁଆଳ ବାଲିଯାତ୍ରା ପଡ଼ିଆରେ ପୁଲିସର ପାଲଟା ଗୁଳିମାଡ଼ରେ ସେମାନେ ଆହତ ହୋଇଥିଲେ।
ଖୋରା ଗ୍ୟାଙ୍ଗ୍ର ଅପରେସନ୍ ଷ୍ଟାଇଲ୍
ପୁଲିସ ଏହି ଲୁଟେରାଯୋଡ଼ିଙ୍କ ନିକଟରୁ ଜବତ କରିଥିବା ବାଇକ୍ଟି ଚୋରା ବୋଲି ଜଣାପଡ଼ିଛି। ଏମାନେ ବିଭିନ୍ନ ରାଜ୍ୟକୁ ଟ୍ରେନ୍ରେ ଯାଇ ପ୍ରଥମେ ବାଇକ୍ ଲୁଟ୍ କରନ୍ତି ଏବଂ ସେହି ବାଇକ୍ରେ ସିରିଜ୍ ଛିନ୍ତାଇ କରନ୍ତି। ୫/୬ଟି ଲୁଟ୍ କରିବା ପରେ ବାଇକ୍କୁ ଷ୍ଟେସନ ପାର୍କିଂରେ ରଖି ବିହାର ଫେରିଯାଆନ୍ତି। ଏମାନେ ମୁଖ୍ୟତଃ ଚେନ୍ ସ୍ନାଚିଂ କରନ୍ତି। ଏଥିସହିତ ଏଟିଏମ୍ ଓ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କଠାରୁ ଟଙ୍କା ଛଡ଼ାଇ ନିଅନ୍ତି। ସେହିଭଳି ଟଙ୍କା ବ୍ୟାଗ୍ ବା ପର୍ସ ଧରିଥିବା ଲୋକଙ୍କ ଉପରେ ପାଉଡର୍ ପକାଇଦିଅନ୍ତି ଏବଂ ଦେହ କୁଣ୍ଡେଇ ହେବା ମଉକାରେ ଟଙ୍କା ବ୍ୟାଗ୍ ଭିଡ଼ି ଛୁ’ ମାରନ୍ତି।
୩ ମାସରେ ୩ ଏନ୍କାଉଣ୍ଟର୍
ଚଳିତ ବର୍ଷ କମିସନରେଟ୍ ପୁଲିସ ୩ଟି ଏନ୍କାଉଣ୍ଟର୍ କଲାଣି। ଫେବ୍ରୁଆରି ୧୬ ତାରିଖ ରାତିରେ ମଧ୍ୟପ୍ରଦେଶ ଧର୍ ଗ୍ୟାଙ୍ଗ୍ର ଅର୍ଜୁନ ଅନାରେ ପୁଲିସ ଗୁଳିରେ ଗୁରୁତର ହୋଇଥିଲା। ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ କରି ଅର୍ଜୁନ ଗ୍ୟାଙ୍ଗ୍ ପୁଲିସକୁ ନାକେଦମ କରିଥିଲା। ଏହାପରେ ମାର୍ଚ୍ଚ ୮ ତାରିଖ ରାତିରେ ବିହାରର କୁଖ୍ୟାତ ଅପରାଧୀ ଦୀପକ କୁମାର ପୁଲିସ ଗୁଳିରେ ଆହତ ହୋଇଥିଲା। ଏଟିଏମ୍ ଲୁଟ୍ କରିବାରେ ମାହିର୍ ଦୀପକ ମଧ୍ୟ କମିସନରେଟ୍ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା। ଆଜି ଅର୍ଥାତ୍ ଶନିବାର ରାତିରେ କମିସନରେଟ୍ ପୁଲିସର ଗୁଳିମାଡ଼ରେ ବିହାରୀ ଖୋରା ଗ୍ୟାଙ୍ଗ୍ର ୨ ଗୁରୁତର ହୋଇଛନ୍ତି।