ପ୍ରତାରଣା ପାଲଟିଲା ସୁଟିଂ ସେଟ୍‌ର ପ୍ରେମ: ଜେଲ୍‌ ହାଜତରେ ଅଭିନେତା ସୁମନ୍‌

ଭୁବନେଶ୍ବର/ବାଲିଅନ୍ତା: ରିଲ୍‌ ଲାଇଫ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ। କଥା ଛିଡ଼ିଥିଲା ସେମାନଙ୍କ ପ୍ରେମ ରଥ ଗଡ଼ିବ ରିୟଲ୍‌ ଲାଇଫ୍‌ ଯାଏ। ବିବାହ ବନ୍ଧନରେ ବାନ୍ଧି ହେବେ ସେମାନେ। ତେଣୁ ମଝିରେ ଚାଲିଲା ଲିଭ୍‌ ଇନ୍‌ ସମ୍ପର୍କ। ପ୍ରେମିକାଠାରୁ ବେଶ୍‌ କିଛି ଅର୍ଥ ଆଦାୟ କରିନେଲେ ପ୍ରେମିକ। ମାତ୍ର ପରେ କୌଣସି କାରଣରୁ ପ୍ରେମରେ ପଡ଼ିଗଲା ଭଟ୍ଟା। ଧୋକ୍କା ଦେଲେ ପ୍ରେମିକ। ପ୍ରତାରଣାର ଶିକାର ହୋଇ ପ୍ରେମିକ ପୁଲିସର ଦ୍ବାରସ୍ଥ ହେଲେ। ଏଭଳି ଅଭିଯୋଗରେ ଆଜି ପାହାଳ ଥାନା ପୁଲିସ ଟେଲି ଧାରାବାହିକ ଜଗତର ଜଣାଶୁଣା ଅଭିନେତା ଏମ୍‌. ସୁମନ କୁମାର(୨୬)କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି। ଘଟଣାଟି ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଯାଜପୁର ବ୍ୟାସନଗର ଅଞ୍ଚଳର ସୁମନ ଏକ ଟେଲି ଧାରାବାହିକରେ ଅଭିନୟ କଲାବେଳେ ଅଭିନେତ୍ରୀ ସୁମି(ଛଦ୍ମନାମ)ଙ୍କୁ ଭଲ ପାଇ ବସିଥିଲେ। ସୁଟିଂ ସେଟ୍‌ରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇ ଲିଭ୍‌ ଇନ୍‌ ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। କଥା ପହଞ୍ଚିଥିଲା ଉଭୟଙ୍କ ପରିବାରରେ। ବିବାହ ପାଇଁ ଦୁଇ ପରିବାର ବି ରାଜି ହୋଇଯାଇଥିଲେ। ତେଣୁ ଲୁଚାଛପା ଲିଭ୍‌ ଇନ୍‌ ଖୋଲାଖୋଲି ହୋଇଯାଇଥିଲା। ସେମାନେ ହଂସପାଳ ନିକଟରେ ମିଶି ରହିଲେ। ଅଭିଯୋଗ ଅନୁସାରେ ବିଭିନ୍ନ ସମୟରେ ନିଜ ସମସ୍ୟା କଥା କହି ସୁମନ୍‌ ସୁମିଙ୍କଠାରୁ ପାଖାପାଖି ୫ଲକ୍ଷ ଟଙ୍କା ନେଇଥିଲେ। କାର୍‌ କିଣିବା ପାଇଁ ୨ଲକ୍ଷ, ବୁଲେଟ୍‌ କିଣିବା ପାଇଁ ଏକ ଲକ୍ଷ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପା‌ଇଁ ୧ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। କାର୍‌, ବୁଲେଟ୍‌ ହା‌ତେଇବା ପରେ ସୁମନ୍‌ଙ୍କ ଖେଳ ଆରମ୍ଭ ହୋଇଯାଇଥିଲା। ଧୀରେଧୀରେ ସେ ସୁମିଙ୍କଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଥିଲେ। ତେଣୁ ସନ୍ଦେହ କରି ସୁମି ତୁରନ୍ତ ବିବାହ କରିବାକୁ କହିଲେ। ଗତ ମାର୍ଚ୍ଚ ୨୩ ତାରିଖ ଦିନ ସୁମି ବିବାହ କଥା କହିବାରୁ ସୁମନ ରାଗିଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏମିତିକି ବିବାହ କଥା ଉଠା‌ଇଲେ ମାରିଦେବାକୁ ଧମକ ଦେଇଥିଲେ। ପ୍ରତାରଣାର ଶିକାର ହେବା ଜାଣିବା ପରେ ସୁମି ପାହାଳ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର