ଖଣ୍ଡଗିରି : ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ବରମୁଣ୍ଡା ବଜାରସ୍ଥିତ ଏକ ଭେରାଇଟି ଷ୍ଟୋର୍ରେ ଦୁର୍ବୃତ୍ତମାନେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି। ଦୋକାନଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ସୌଭଗ୍ୟକୁ ଭିତରେ ଶୋଇଥିବା ମାଲିକ କୃଷ୍ଣଚନ୍ଦ୍ର ପ୍ରଧାନ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ପେଟ୍ରୋଲ ଢ଼ାଳି ନିଆଁ ଲଗାଉଥିବାରୁ ଦୃଶ୍ୟ ନିକଟସ୍ଥ ସିସିଟିଭି ଫୁଟେଜ୍ରେ କଏଦ୍ ହୋଇ ରହିଛି ଓ ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ସବୁଦିନ ଭଳି କୃଷ୍ଣଚନ୍ଦ୍ର ଦୋକାନ ଭିତରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ଦୋକାନରେ କେହି ନିଆଁ ଲଗାଇ ଦେଇଥିଲା। ଦୋକାନ ହୁତୁହୁତୁ ହୋଇ ଜଳୁଥିବା ଦେଖି ସେହି ବାଟ ଦେଇ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା କିଛି ଲୋକ ପାଟି କରିବାରୁ ଭିତରେ କୃଷ୍ଣଙ୍କର ନିଦ ଭାଙ୍ଗି ଯାଇଥିଲା। ସେ ପ୍ରାଣ ବିକଳରେ ଦୋକାନରୁ ବାହାରିବା ପାଇଁ ଥିବା ଛୋଟ କବାଟକୁ ଗୋଇଠା ମାରି ଭାଙ୍ଗିବା ପରେ ବାହାରକୁ ଡେଇଁ ପଳାଇ ଆସିଥିଲେ। ସେହି ଭିତରେ ତାଙ୍କ ମୁଣ୍ଡର ଚୁଟି ଜଳି ଯାଇଥିଲା ଓ ପିଠିରେ ନିଆଁ ପଡ଼ି ଫୋଟକା ହୋଇଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୋକାନ ପୂରା ଜଳି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/arjuna-dokan-podi.jpg)