ବାଲିପାଟଣା: ନିଆଁ ଲାଗି ପାଉଁଶ ହୋଇଗଲା ଦୋକାନ ଘର

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା କୁଳନ୍ତିରା ଗ୍ରାମରେ ଗତକାଲି ରାତିରେ ନିଆଁ ଲାଗି ଗୋପାଳ ଭୋଇଙ୍କ ଦୋକାନ ଘର ଜଳି ପୋଡି ପାଉଁଶ ହୋଇଯାଇଛି। ନିଆଁର କୋପ ଏତେ ଉଗ୍ର ଥିଲା ଯେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଚେଷ୍ଟା ବିଫଳ ହୋଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି।


ସୂଚନା ଅନୁସାରେ, ଗୋପାଳ ଏବଂ ତାଙ୍କ ପତ୍ନୀ ମାଳତୀ ଗାଁ ମୁଣ୍ଡରେ ଏକ ଛଣଛପର ଘର କରିଥିଲେ। ଗୋପାଳ ମୁଲ ଲାଗୁଥିବା ବେଳେ ମାଳତୀ ସେହି ଘରେ ଛୋଟ ଦୋକାନ କରି ପେଟ ପୋଷୁଥିଲେ। ମାଳତୀଙ୍କ କହିବା କଥା ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। ରାତି ପ୍ରାୟ ୧୨ ଟାରୁ ୧ଟା ଭିତରେ ସେ ବାହାରକୁ ଆସିଥିବା ବେଳେ ଦୋକାନ ଜଳୁଥିବା ସେ ଦେଖିଥିଲେ। ସେହି ସମୟରେ ଦୋକାନ ଲାଇଟ ଜଳୁଥିଲା। ହଠାତ ନିଆଁ ଘର ଚାରି ପାଖେ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ବାଲିପାଟଣା ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ କରି ସୂଚନା ଦେଇଥିଲେ। ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ, ହେଲେ ସମ୍ଭବ ହୋଇନ ଥିଲା। ଅସହାୟ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର