ରାସ୍ତା କଡ଼ରୁ ଦୋକାନ ଉଚ୍ଛେଦ, ନକଲି ମାଲିକଙ୍କଠାରୁ ଭଡ଼ା ନେଇ ଭୋଗିଲେ

ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତା କଡ଼ରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଘଟଣାରୁ ରାଜଧାନୀରେ ସରକାରୀ ଜମି ବିକ୍ରି ଓ ଭଡ଼ା ଲାଗୁଥିବାର ଆଉ ଏକ ନମୁନା ପଦାକୁ ଆସିଛି। ସ୍ଥାୟୀ ଜମି ମାଲିକଙ୍କ ଘର ଭଡ଼ା ନେଇ ଦୋକାନ କରିଛନ୍ତି ବୋଲି ଭାବୁଥିବା ବହୁ ଦୋକାନୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜବରଦଖଲ ହୋଇଥିବା ସରକାରୀ ଜମିରେ ଥିବା ଦୋକାନକୁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଇଥିବାରୁ ହଠାତ୍ ସେମାନେ ଜୀବିକା ହରାଇଛନ୍ତି। ବେପାର ତ ଗଲା, ତା’ ସହ ଘରଭଡ଼ା ବାବଦ ଅଗ୍ରୀମ ଟଙ୍କା ବି ଆଉ ଫେରସ୍ତ ମିଳୁନାହିଁ। ନକଲି ଘର ମାଲିକମାନେ ଅଗ୍ରୀମ ଟଙ୍କା ଫେରସ୍ତ ମାଗିଲେ, ପାଲଟା ଧମକ ଦେଉଥିବା ଅଭିଯୋଗ ହୋଇଛି। ସରକାରୀ ଜମିରେ ଘର ଭଡ଼ା ଦେଇଥିବା ଏହି ସ୍ଥାନୀୟ ବାହୁବଳୀମାନଙ୍କ ଭୟରେ କିଛି ଦୋକାନୀ କାନମୁଣ୍ଡା ଆଉଁସି ଚୁପ ବସିଥିବା ବେଳେ କିଛି ପୁଲିସର ଦ୍ବାରସ୍ଥ ହେବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଅସାମାଜିକତତ୍ତ୍ବଙ୍କ ବିରୋଧରେ ଥାନାକୁ ଯିବା ପାଇଁ ସେମାନେ ସାହସ ଜୁଟାଇ ପାରୁନାହାନ୍ତି।

ଦୁଇ ଦିନ ଭିତରେ ଏହି ରାସ୍ତାରୁ ପାଖାପାଖି ୧୨୦ ଦୋକାନ ଘର ଭଙ୍ଗା ଯାଇ ସାରିଲାଣି। କିଛି ଦୋକାନୀଙ୍କ ଅଭିଯୋଗ ଅନୁସାରେ, ସେମାନେ ଘର ଭଡ଼ା ନେବା ବେଳେ ତାହା ସବୁ ଜବରଦଖଲ ହୋଇଥିବା ସରକାରୀ ଜମି ବୋଲି ଜାଣି ନଥିଲେ। ସ୍ଥାନୀୟ ଲୋକମାନେ ଆଜ୍‌ବେଷ୍ଟସ୍ ଘର କରି ଦୋକାନ ପାଇଁ ଭଡ଼ା ଦେଇଥିଲେ ଓ ସେତେବେଳେ ଉକ୍ତ ଘର ସବୁ ସେମାନଙ୍କ ନିଜ ଜମିରେ ହୋଇଛି ବୋଲି କହିଥିଲେ। ସେହି ଅନୁସାରେ ସେମାନେ ଚୁକ୍ତି କରି ଭଡ଼ା ବାବଦରେ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି। କିନ୍ତୁ ଏବେ ବିଏମ୍‌ସି ଉକ୍ତ ଦୋକାନ ସବୁ ଭାଙ୍ଗିବା ବେଳେ ସେମାନଙ୍କ ଦେଖାଦର୍ଶନ ମିଳୁନି, ବରଂ ଅଗ୍ରୀମ ଟଙ୍କା ଫେରସ୍ତ ମାଗିଲେ ସେମାନଙ୍କୁ ଗୁଣ୍ଡା ଧମକ ଦିଆଯାଉଛି। ଏମିତି ଅଭିଯୋଗ ନେଇ ‌ବ୍ୟବସାୟୀ ସୁକାନ୍ତ କୁମାର ସେଠୀ ଓ ଗୌରୀ ପ୍ରସାଦ ମହାନ୍ତିଙ୍କ ଭଳି କିଛି ବ୍ୟବସାୟୀ ଥାନାରେ ଅଭିଯୋଗ କରିବାକୁ ବାହାରିଥିବା ବେଳେ ଭଡ଼ା ଦେଇଥିବା ମାଲିକମାନେ ସେମାନଙ୍କୁ ହତ୍ୟା ଧମକ ଦେଇଛନ୍ତି। ଫଳରେ ଏବେ ସେମାନେ ଆତଙ୍କିତ ଅବସ୍ଥାରେ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର