ଦାନ୍ତରେ ଭୁସିଲା, ସାଇକେଲ୍‌ ସହ କଚାଡ଼ି ଦେଲା : ଦନ୍ତା ଆକ୍ରମଣରେ ଦୋକାନୀ ଗୁରୁତର

ଖଣ୍ତଗିରି : ଆଜି ଭୋର୍‌ ସମୟରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି ଜଟଣୀ ବ୍ଲକ୍‌ ଚନ୍ଦକା ଥାନା ଅଙ୍ଗାରପଡ଼ା ଗ୍ରାମର ବ୍ରହ୍ମଚାରୀ ବେହେରା ଓରଫ ଡାକ(୫୮)। ଡାକ ଭୋର୍ ପ୍ରାୟ ୪ଟା ବେଳେ ସାଇକେଲ ଯୋଗେ ଛତାବର ବଜାରକୁ ଦୋକାନ ଖୋଲିବାକୁ ଯାଉଥିବାବ‌େଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତା ଦାନ୍ତରେ ଡାକଙ୍କୁ ଟେକି ଫୋପାଡ଼ି ଦେବାରୁ ସେ ସାଇକେଲ୍‌ ସହ ପ୍ରାୟ ୨୦ ଫୁଟ ଦୂରରେ ଏକ ବୁଦା ଭିତରେ ପଡ଼ିଥିଲେ। ଏଥିରେ ତାଙ୍କ ଛାତରେ ଗଭୀର ଆଘାତ ଲାଗିଥିବା ବେଳେ ଜଙ୍ଘରେ ହାତୀର ଦାନ୍ତ ଗଳି ଯାଇଥିଲା। ତେବେ ସୌଭାଗ୍ୟକୁ ଏକ ଟ୍ରକ୍‌ ସେହି ସମୟରେ ଆସିଯିବାରୁ ହାତୀଟି ଜଙ୍ଗଲ ମଧ୍ୟକୁ ପଳାଇଲା। ଫଳରେ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ। ଚନ୍ଦକା ଅଭୟାରଣ୍ୟ ହଳଦିଆ ରେଂଜ୍ ଛତାବର ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ସୂଚନାନୁସାରେ ସବୁଦିନ ଭଳି ଡାକ ରାତି ୪ଟାରୁ ଘରୁ ବାହାରି ସାଇକେଲ ଯୋଗେ ଛତାବର ବଜାରକୁ ଦୋକାନ ଖୋଲିବାକୁ ବାହାରିଥିଲେ। ଭୋର ପ୍ରାୟ ସାଢେ଼ ୪ଟା ବେଳେ ବିଂଝଗିରି ଗାଁ ପାର୍ ହୋଇଥିଲେ। ଆଉ ଅଳ୍ପ ଦୂର ଯାଇଥିଲେ ଛତାବର ବଜାରରେ ପହଞ୍ଚି ଯାଇଥାନ୍ତେ। ମାତ୍ର ହଠାତ୍ ସେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଡାକ ଓ ଦନ୍ତା ମୁହାଁମୁହିଁ ହେବା ମାତ୍ରେ ଦନ୍ତା ତାଙ୍କୁ ଦାନ୍ତରେ ଭୁସି ଦେବା ସହ ଟେକି ଫୋପାଡ଼ି ଦେଇଥିଲା। ଫଳରେ ହାତୀର ଦାନ୍ତ ଡାକଙ୍କ ବାମ ଜଙ୍ଘରେ ପଶି ଯାଇଥିଲା। ସାଇକେଲ ସହ ଡାକ କିଛି ଦୂରକୁ ଛିଟିକି କଚାଡ଼ି ହୋଇ ପଡ଼ିଥିଲେ। ତେବେ ସାହସ ସଂଚାର କରି ଡାକ ଚିତ୍କାର ନ କରି ଚୁପ୍‌ଚାପ୍‌ ସେମିତି ରକ୍ତାକ୍ତ ଅବସ୍ଥାରେ ବୁଦା ଭିତରେ ପଡ଼ି ରହିଥିଲେ। ପରେ ହାତୀଟି ଚାଲି ଯାଇଥିଲ। ପ୍ରାୟ ଅଧଘଣ୍ଟା ପରେ ଛତାବର ଗାଁର କିଛି ଲୋକ ସେହି ବାଟ ଦେଇ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିଥିଲେ। ସେହିଭଳି ଶନିବାର ରାତିରେ ଏହି ଦନ୍ତା ଗଙ୍ଗପଡ଼ା-ଭାତଖୁରୀ ଗାଁରେ ପଶି ବ୍ୟାପକ ଧାନ ନଷ୍ଟ କରିଛି। ଖଳାବାଡ଼ିକୁ ଟାର୍ଗେଟ୍‌ କରୁଥିବା ଏହି ଦନ୍ତା ଧାନ ଖାଇବା ପାଇଁ ପଥର ପାଚେରିକୁ ଭାଙ୍ଗି ଦେଇଛି। ପ୍ରସନ୍ନ ମହାରଥୀଙ୍କ ଖଳା ବାଡ଼ିର ପାଚେରି ଭାଙ୍ଗି ବାଡ଼ିରୁ ଧାନ ଖାଇବା ସହ ପାଖାପାଖି ୨୫ ବସ୍ତା ଧାନ ଫୋପଡ଼ା ଫିଙ୍ଗା କରି ନଷ୍ଟ କରିଛି। ସେହିଭଳି ଦନ୍ତାଟି ରମେଶ ମହାରଥୀ, ହୃଷୀକେଶ ମହାରଥୀ ଓ ଧନେଶ୍ବର ମହାରଥୀଙ୍କ ଖଳାବାଡ଼ିର ପାଚେରି ଭାଙ୍ଗି ଧାନ ନଷ୍ଟ କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେବ ଦନ୍ତାଟି ଛତାବର, ପାଣିଓଳ, ମଧୁପୁର, ଅଙ୍ଗାରପଡ଼ା, ଗଙ୍ଗପଡ଼ା ଆଦି ଅଞ୍ଚଳରେ ଆତଙ୍କ ଖେଳାଇ ‌ଦେଇଛି।

ସମ୍ବନ୍ଧିତ ଖବର