ଦୋକାନୀଙ୍କୁ କରୋନା ନିୟମ ଭୟ, ପୁଣି ଦୋକାନ ବନ୍ଦ ହୋଇଯିବନି ତ?

କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ୩ରୁ ୭ଦିନ ଦୋକାନ ବନ୍ଦ ହେଉଛି

ଭୁବନେଶ୍ବର: ଲକ୍‌ଡାଉନ୍‌ ଘୋଷଣା ପାଇଁ ଦୁଇ ମାସ ଧରି ଦୋକାନ ବଜାର ବନ୍ଦ ରହିଲା। କିଛି ଦିନ ହେବ କଟକଣା କୋହଳ ହେବାରୁ ଦୋକାନ ବଜାର ଟିକିଏ ସ୍ବାଭାବିକ ହେଉଛି। କିନ୍ତୁ କାରବାର ଏ ଯାଏଁ ଜୋର୍‌ ଧରିନି। ହେଲେ ବିଏମ୍‌ସିର ଅଜବ ନୀତି ଏବେ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସଂଧ୍ୟାରେ ଯିଏ ଦୋକାନ ବନ୍ଦ କରି ଯାଉଛନ୍ତି ତା’ପରଦିନ ସକାଳୁ ଦୋକାନ ଖୋଲିବ କି ନାହିଁ ଦ୍ବନ୍ଦ୍ବରେ ପଡ଼ିଯାଉଛନ୍ତି। କାରଣ ଯେଉଁଠି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ ନିକଟବର୍ତ୍ତୀ ଅଞ୍ଚଳର ଦୋକାନଗୁଡିକୁ ବିଏମ୍‌ସି ତିନି ଦିନ ନଚେତ୍‌ ୭ଦିନ ପାଇଁ ବନ୍ଦ କରିଦେଉଛି। ଯାହା ଏବେ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି। ନିକଟରେ ବିଏମ୍‌ସି ଅଞ୍ଚଳରେ ଯାଉଥିବା ବାଲିଆପଠା ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ରାତାରାତି କରୋନା ଆକ୍ରାନ୍ତଙ୍କୁ ଉଠାଇ ନେଇଥିଲେ। ଏହା ପରଦିନ ସକାଳୁ ଏହି ବସ୍ତି ନିକଟବର୍ତ୍ତୀ ଅଞ୍ଚଳ‌ରେ ଥିବା ଦୋକାନ ଖୋଲିବାକୁ ବ୍ୟବସାୟୀମାନେ ଆସିବାରୁ କୁହାଗଲା ଦୋକାନ ଖୋଲିପାରିବନି। ତିନି ଦିନ ଯାଏ ସବୁ ଦୋକାନ ବଜାର ବନ୍ଦ। କେବଳ ଔଷଧ ଦୋକାନ ଖୋଲିବ।

ପ୍ରାୟ ୨ମାସ ପରେ ଦୋକାନ ଖୋଲିବାକୁ ଆସିଥିବା ବ୍ୟବସାୟୀମାନେ ହତାଶ ହୋଇପଡ଼ିଥିଲେ। ସାମାଜିକ ଦୂରତା ରଖି ଦୋକାନ ଖୋଲିବୁ, ଦୋକାନ ଭିତରକୁ କାହାକୁ ଛାଡ଼ିବୁନି ବୋଲି କହି ଯେତେ ନେହୁରା ହେଲେବି କେହି ଶୁଣି ନ ଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ ଦେକାନ ନ ଖୋଲିବାକୁ ରୋକଠୋକ୍‌ ମନା କରି ଦେଇ ଥିଲେ। ଯାହା ନିୟମ ଅଛି ତାକୁ ପାଳନ କରିବାକୁ ପଡ଼ିବ ବୋଲି କହିଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ‌ କେବଳ ଦୋକାନ ବଜାର ବନ୍ଦ କରି ଦେଲେ। ହେଲେ ସ୍ଥାନୀୟ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ନ ଥିଲେ କି ସିଲ୍‌ କରି ନ ଥିଲେ। ଏପରିକି କେବଳ ବିଶୋଧନ କରି ଛାଡ଼ି ଦେଲେ। ଲୋକମାନେ ଯେମିତି ବାହାରେ ବୁଲିବା କଥା ବୁଲିଲେ। ହେଲେ ସବୁ ଦୋକାନ ବଜାର ବନ୍ଦ।କେବଳ ଏତିକି ନୁହେଁ ଏହା ପୂର୍ବରୁ ଚକେଇସିଆଣି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୭ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ବହୁ ଦୋକାନ ବଜାର ବନ୍ଦ କରି ଦିଆଯାଇ ଥିଲା। ତେଣୁ ରାଜଧାନୀର ବ୍ୟବସାୟୀଙ୍କୁ ଏବେ ଭୟ ଘାରିଛି ଯେ, ସେମାନଙ୍କ ଅଞ୍ଚଳରେ ଯଦି କେହି କରୋନା ଆକ୍ରାନ୍ତ ବାହାରିବେ ତେବେ ହଠାତ୍ ଦୋକାନ ବଜାର ବନ୍ଦ ହୋଇଯିବନି ତ! ଦୁଇ ମାସ ଦୋକାନ ବନ୍ଦ କରି ଘରେ ବସିଲୁ। ଏବେ ଯଦି ପୁଣି ଦୋକାନ ବନ୍ଦ ହୋଇଯିବ ତେବେ ଚଳିବୁ କେମିତି? କାରଣ ଯେଉଁ ମୁହୂର୍ତ୍ତରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ ପରଦିନ ଠାରୁ ବିଏମ୍‌ସି ସବୁ ଦୋକାନ ବଜାର ବନ୍ଦ କରିଦେଉଛି। ବିଏମ୍‌ସିର ଦୋକାନ ସିଲ୍‌ ଦେଖି ରାଜଧାନୀର ବ୍ୟବସାୟୀମାନେ କହୁଛନ୍ତି ଯେ, ଆମ ଅଞ୍ଚଳରେ କରୋନା ଆକ୍ରାନ୍ତ ନ ବାହାରନ୍ତୁ।

ଅପରପକ୍ଷେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ଆମେ ଏସ୍‌ଓପି ପ୍ରସ୍ତୁତ କରିଛୁ। ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଆମେ ପ୍ରତିଷେଧକ ମୂଳକ ସ୍ଥାନୀୟ ଅଞ୍ଚଳରେ ଦୋକାନ ବନ୍ଦ କରିଦେଉଛୁ। କାରଣ ଉକ୍ତ ଦୋକାନଗୁଡ଼ିକୁ ଯଦି କରୋନା ଆକ୍ରାନ୍ତ ଯାଇଥିବେ ତେବେ ସଂପୃକ୍ତ ଦୋକାନୀଙ୍କୁ ବି କରୋନା ହେବାର ସମ୍ଭାବନା ରହୁଛି। ଏପରିକି ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କର କୋଭିଡ-୧୯ ପରୀକ୍ଷା କରିବା ପରେ ହିଁ ଆମେ ନିଶ୍ଚିତ ହେଉଛୁ ଯେ ସ୍ଥାନୀୟ ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଛନ୍ତି କି ନାହିଁ। ଲୋକମାନଙ୍କ ଭଲ ପାଇଁ ଆମେ ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରି ଉକ୍ତ ଅଞ୍ଚଳକୁ ବିଶୋଧନ କରୁଛୁ। ଯଦି ଆମେ ଦୋକାନ ବଜାର ବନ୍ଦ ନ କରିବୁ ତେବେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଯିବେ। ସେହିପରି ଯେଉଁଠି ଏକାଧିକ କରୋନା ଆକ୍ରାନ୍ତ ବାହାରିବେ ବା କରୋନା ଆକ୍ରାନ୍ତ ବହୁ ଅଞ୍ଚଳ ବୁଲିଥିବାର ଜଣାପ‌ଡ଼ିବ, ଆମେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍‌ ଭାବେ ଘୋଷଣା କରିବୁ। ଲକ୍‌ଡାଉନ୍‌-୫ ଗାଇଡଲାଇନ୍‌ ଆସିବା ପରେ ଜୁନ୍‌ ୧ରୁ କିଛି ନିୟମ କୋହଳ ହେବ। ଏହାପରେ ଆମେ ନିଷ୍ପତ୍ତି ନେବୁ ଯେ, ଆକ୍ରାନ୍ତ ଚିହ୍ନଟ ହେଉଥିବା ଅଞ୍ଚଳରେ ଦୋକାନ ବଜାର ବନ୍ଦ ହେବ କି ନାହିଁ। ଯଦି ‌ବନ୍ଦ ହେବ ତେବେ କେତେ ଦିନ ପାଇଁ ବନ୍ଦ ହେବ।

ସମ୍ବନ୍ଧିତ ଖବର