ୟୁନିଟ୍‌-୮ ଭେଣ୍ଡିଂ ଜୋନ୍‌ରେ ଜଳିଗଲା ଦୋକାନ

ଭୁବନେଶ୍ୱର : ୟୁନିଟ୍‌-୮ ଭେଣ୍ଡିଂ ଜୋନ୍‌ରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ ଫଳ ଦୋକାନ ଓ ସେଲୁନ୍‌ ଜଳି ଯାଇଛି। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ଏହାକୁ ଲାଗି ରହିଥିବା ଅନ୍ୟ ଦୋକାନଗୁଡ଼ିକ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ଲକ୍ଷେ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ଅଗ୍ନିଶମ ସେବା ସଂସ୍ଥା ଆକଳନ କରିଛି।

ସୂଚନାନୂସାରେ, ଆଜି ସନ୍ଧ୍ୟା ସାଢ଼େ ୫ଟା ‌ବେଳେ ଦିଗମ୍ବର ବିଶ୍ବାଳଙ୍କ ଫଳ ଦୋକାନ ପଛରୁ ଧୂଆଁ ବାହାରିଥିଲା। କେତେକ ଗ୍ରାହକ ଓ ରାସ୍ତାରେ ଯାଉଥିବା ଲୋକ ଦେଖି ହଲ୍ଲା ପକାଇଥିଲେ। ଦୋକାନରେ ଥିବା ଦିଗମ୍ବର ଓ ତାଙ୍କ ପୁଅ ସୂର୍ଯ୍ୟ ନିଆଁ ଲିଭାଇବା ପାଇଁ ଭିତରକୁ ଯାଇଥିଲେ। ହେଲେ ସେତେବେଳକୁ ନିଆଁ ବ୍ୟାପୀ ଯାଇଥିଲା। ଲିଭାଇବାକୁ ଉଦ୍ୟମ କଲାବେଳେ ଫଳ ଦୋକାନର ପ୍ଲାଷ୍ଟିକ୍‌ ଟ୍ରେ’ ଓ ଜଳୁଥିବା ପାଲରୁ ଜଳନ୍ତା ପ୍ଲାଷ୍ଟିକ୍‌ ପଡ଼ି ଦିଗମ୍ବରଙ୍କ ହାତ ପୋଡ଼ି ଯାଇଥିଲା। କ୍ରମେ ଏହା ପାଖ ପ୍ରଦୀପ ବାରିକଙ୍କ ସେଲୁନ୍‌ ଦୋକାନକୁ ବ୍ୟାପୀ ଯାଇଥିଲା। ସେଲୁନ୍‌ରେ ଥିବା କାଠ ଚଉକି ଓ ଅନ୍ୟାନ୍ୟ ଜିନିଷ ଜଳିବା ଆରମ୍ଭ କରିଥିଲା। ଦିଗମ୍ବରଙ୍କର ୭୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଫଳ ସହ ବିଭିନ୍ନ ଋତୁରେ ବ୍ୟବସାୟ ପାଇଁ ରହିଥିବା ସାମଗ୍ରୀ ଜଳି ଯାଇଥିଲା। ପରେ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା। ଦୀର୍ଘ ଏକ ଘଣ୍ଟା ଧରି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସମ୍ବନ୍ଧିତ ଖବର