ଭୁବନେଶ୍ବର : କୋଭିଡ୍-୧୯ ସଂକ୍ରମଣଜନିତ କଟକଣା କୋହଳ ହେବା ପରେ ବୁଧବାର ରାଜଧାନୀ ବଜାର ଖୋଲିଥିଲା। ମାତ୍ର ଭୁବନେଶ୍ବର ମହନାଗର ନିଗମ(ବିଏମ୍ସି) ଓ କମିସନରେଟ୍ ପୁଲିସ ମଧ୍ୟରେ ତାଳମେଳ ନଥିବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ସମସ୍ୟାରେ ପଡ଼ିଥିଲେ। ରାସ୍ତାରେ ପୁଲିସ କଟକଣା ପୂର୍ବଭଳି କଡ଼ାକଡ଼ି ଥିବାରୁ ଗ୍ରାହକମାନେ ବଜାରକୁ ଯାଇପାରିନଥିଲେ। ଅନ୍ୟ ପକ୍ଷରେ ବିଏମ୍ସିର ନିର୍ଦେଶାବଳୀ ସ୍ପଷ୍ଟ ନଥିବାରୁ ଅଧା ଦୋକାନୀ ଦୋକାନ ଖୋଲିବା ସମ୍ଭବ ହୋଇନଥିଲା। ଫଳରେ ତାଲାବନ୍ଦ ପରେ ବଜାର ଖୋଲିବାର ପ୍ରଥମ ଦିନରେ ଗ୍ରାହକ କମ୍ କାରଣରୁ ବେପାର ପୂରା ମାନ୍ଦା ରହିଥିଲା।
ବାପୁଜୀନଗର ବ୍ୟବସାୟୀମାନଙ୍କଠାରୁ ମିଳିଥିବା ଅଭିଯୋଗ ଅନୁସାରେ ଆଜି ସକାଳୁ ଦୋକାନ ଖୋଲିବା ମାତ୍ରେ ପୁଲିସ ବନ୍ଦ କରିଥିଲା। ବିଏମ୍ସିର ପଞ୍ଜୀକରଣ ପ୍ରମାଣପତ୍ର (ସର୍ଭିସ୍ ଲାଇସେନ୍ସ) ପ୍ରଦର୍ଶନ କରିବାରେ ଅସମର୍ଥ ହେବାରୁ ବହୁ ଦୋକାନୀଙ୍କୁ ପୁଲିସ ଦୋକାନ ଖୋଲିବାକୁ ଦେଇନଥିଲା। ଫଳରେ ବହୁ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଦୋକାନ ଖୋଲିପାରିନଥିଲେ। କେବଳ କିଛି ମରାମତି ଦୋକାନ ଖୋଲିଥିଲା। ତେଣୁ କିଛି ହାତଗଣତି ଦୋକାନୀ ଦୋକାନ ଖୋଲିପାରିଥିଲେ ଓ ପୂରା ବାପୁଜୀନଗର ଖାଁ ଖାଁ ଲାଗିଥିଲା। ତେବେ ପରେ ମୋବାଇଲ୍ ରିଟେଲର ବ୍ୟବସାୟୀ ସଂଘ ବିଏମ୍ସି ଅଫିସ ଯାଇ ଅଭିଯୋଗ କରିବା ପରେ ସେମାନଙ୍କୁ ମୌଖିକ ନିର୍ଦେଶ ଦିଆଯାଇଥିଲା। ସେତେବେଳକୁ ଅପରାହ୍ଣ ୨ଟା ବାଜି ସାରିଥିବାରୁ ବହୁ ଦୋକାନୀ ଆଉ ଦୋକାନ ଖୋଲିବାକୁ ଇଚ୍ଛା କରିନଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଥିବାରୁ ମାତ୍ର ୩/୪ ଘଣ୍ଟା ପାଇଁ ଆଉ ଦୋକାନ ଖୋଲିବାକୁ ବହୁ ଦୋକାନୀ ରାଜି ହୋଇନଥିଲେ। ଏମିତି ଅବସ୍ଥା ଆଜି ରାଜଧାନୀର ପ୍ରାୟ ସବୁ ବଡ଼ ବଡ଼ ବଜାରରେ ହୋଇଛି। ସହିଦନଗର, ଅଶୋକନଗର ଓ କଟକ ରୋଡ୍ରେ ମଧ୍ୟ ବହୁ ବ୍ୟବସାୟୀ ଦ୍ବନ୍ଦ୍ବରେ ପଡ଼ି ଦୋକାନ ଖୋଲିନଥିଲେ। କଟକ ରୋଡ୍ରେ ଅଳ୍ପସଂଖ୍ୟକ ଟାୟାର୍ ଦୋକାନ, ପାଣି ପାଇପ୍ ଓ ମଟର ଦୋକାନ ଓ ଗ୍ୟାରେଜ୍ ଖୋଲିଥିଲା। ଯୁବ ବ୍ୟବସାୟୀ ଦେବରାଜ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଓଡ଼ିଆରେ ହୋଇନଥିବାରୁ ଅଧିକ ସମସ୍ୟା ସୃଷ୍ଟି ହୋଇଛି। କେଉଁ ଦୋକାନ ସବୁ ଖୋଲିବ କିଏ ବନ୍ଦ ରହିବ, ତାହା ସ୍ପଷ୍ଟ ହୋଇନାହିଁ ଏବଂ ବହୁ ଦୋକାନୀଙ୍କୁ ଇଂରାଜୀ ବୁଝିବା ସମ୍ଭବ ହୋଇନାହିଁ। ଏମିତିକି ପୁଲିସ ମଧ୍ୟ ନ ବୁଝି ନ ଶୁଝି ପ୍ରାୟ ସବୁ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦେଉଥିବା ସେ ଅଭିଯୋଗ କରିଛନ୍ତି। ବିଏମ୍ସି ପ୍ରମାଣପତ୍ର ଦେଖାଇବାକୁ କହି ସବୁ ଦୋକାନକୁ ବନ୍ଦ କରାଯାଉଛି। ସେହିଭଳି ଭିନ୍ନ ଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପରିବେଷଣ କରାଯାଇଛି। ଫଳରେ ସବୁ ଦିଗରୁ ଅସ୍ପଷ୍ଟ ଚିତ୍ର। ବିଶେଷ କରି ଇଲେକ୍ଟ୍ରିକାଲ୍ସ ଓ ଇଲେକ୍ଟ୍ରୋନିକ୍ସର ନୂଆ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲିହେବ କି ନା ତାହା ଅସ୍ପଷ୍ଟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଆଜି ଭୁବନେଶ୍ବରର ବହୁ ଅଞ୍ଚଳରେ ଏଭଳି ନୂଆ ସାମଗ୍ରୀ ବିକୁଥିବା ଦୋକାନ ଖୋଲା ରହିଛି ବୋଲି ସେ ସ୍ବୀକାର କରିଛନ୍ତି। ତେଣୁ ବିଏମ୍ସି ତୁରନ୍ତ ଏଭଳି ଦ୍ବନ୍ଦ୍ବ ଦୂର କରୁ ବୋଲି ସେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ରସୁଲଗଡ଼ ଅଞ୍ଚଳର ସନତ ମହାନ୍ତିଙ୍କ କହିବା କଥା ସେ ଆଜି ତାଙ୍କ ଝିଅର ବହି କିଣିବାକୁ ଗଲାବେଳେ ପୁଲିସ ତାଙ୍କୁ ଅଟକାଇଥିଲା ଓ ବଜାର ଯିବାକୁ ଛାଡ଼ିନଥିଲା। ତେଣୁ ପୁଲିସ ବାଟ ଛାଡ଼ୁନଥିବାରୁ ବଜାର ଖୋଲିଲେ କି ଫାଇଦା ହେଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏମିତି ବହୁ ଗ୍ରାହକଙ୍କ କ୍ଷେତ୍ରରେ ଘଟିଛି। ରାସ୍ତାରେ ପୁଲିସ ସେମାନଙ୍କ ବାଇକ୍ ଛଡ଼ାଇ ଜରିମାନା କସିଛି। ତେଣୁ ବଜାର ଖୋଲିଲେ କିଛି ଲାଭ ନାହିଁ ବୋଲି ଉଭୟ ବ୍ୟବସାୟୀ ଓ ଲୋକମାନେ କହିଛନ୍ତି।