ଭୁବନେଶ୍ବର‌ରେ ସବୁ ଦୋକାନ ଖୋଲି ପାରିବନି, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ

ନିର୍ମାଣ ସାମଗ୍ରୀ ଦୋକାନ ଖୋଲିବ, ରାତିରେ ହେବ ପରିବହନ
ଜଳଖିଆ ଦୋକାନରୁ ୫ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର : ଭୁବନେଶ୍ବରରେ ଗତ ୧୦ଦିନ ହେଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ହେଁ ଏହା ଏବେ ବି ରେଡ୍‌ ଜୋନ୍‌ରେ ଅଛି। ତେଣୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନ୍‌ରୁ ବାଦ୍‌ ଦେବା ପରେ ହିଁ ଏଠାରେ ଦୋକାନ ଖୋଲିବା ନେଇ ନିୟମ କୋହଳ ହେବ। ତା’ ପୂର୍ବରୁ କିଛି ନିଷ୍ପତ୍ତି ହେବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଆମେ ଏବେ ରେଡ୍‌ ଜୋନରେ ଅଛୁ। ତେଣୁ ବିଏମ୍‌ସି ଅଞ୍ଚଳରେ କ’ଣ ଖୋଲିପାରିବ କ’ଣ ନାହିଁ, ସେନେଇ ଏବେ କିଛି ନିଷ୍ପତ୍ତି ହୋଇନି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବରରେ ଲକ୍‌ଡାଉନ୍‌ ଏବେ ବି ବଳବତ୍ତର ରହିଛି। କିନ୍ତୁ କିଛି ଲୋକ ଅମାନିଆ ଭାବେ ଆଜି ଦୋକାନ ଖୋଲିଥିବାରୁ ଏବଂ ନିୟମ ଭାଙ୍ଗି ଯାତାୟାତ କରୁଥିବାରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ଉ କରି ଦୋକାନ ବଜାର ବନ୍ଦ କରିଥିଲା। ଆଜି ୬୦ରୁ ଅଧିକ ଦୋକାନକୁ ସ୍କ୍ବାଡ୍‌ ବନ୍ଦ କରିଛି। କିନ୍ତୁ ସହିଦନଗର ଓଭରବ୍ରିଜ୍‌ ନିକଟରେ ଖୋଲିଥିବା ଏକ ଜଳଖିଆ ଦୋକାନକୁ ବିଏମ୍‌ସି କର୍ତ୍ତୃପକ୍ଷ ବନ୍ଦ କରାଇବା ସହ ୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏହାସହ ମାସ୍କ ପିନ୍ଧି ନଥିବାରୁ ୪୦ ଜଣଙ୍କଠାରୁ ୨୦୦ଟଙ୍କା ଲେଖାଏ ମୋଟ୍‌ ୮ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରାଜଧାନୀରେ କେବଳ ସଉଦା, ପରିବା, ଫଳ ଓ ଔଷଧ ଦୋକାନ ଖୋଲା ରହିବ। ଏପ୍ରିଲ ୨୦ରେ ନିର୍ମାଣ କାର୍ଯ୍ୟ ପାଇଁ ବିଏମ୍‌ସି ଅନୁମତି ଦେବା ସହ ନିର୍ମାଣ ସାମଗ୍ରୀ ରାତି ୧୦ଟାରୁ ସକାଳ ୫ଟା ଭିତରେ ଯାତାୟାତ କରିବାକୁ କୁହାଯାଇଛି। ତେଣୁ ନିର୍ମାଣ ସାମଗ୍ରୀ ଯଥା, ବାଲି, ସିମେଣ୍ଟ, ଗୋଡ଼ି, ଇଟା, ରଡ୍‌ ଆଦି ଦୋକାନ ଦିନ ବେଳା ଖୋଲା ରହିଲେ ବି ଏହି ସାମଗ୍ରୀଗୁଡ଼ିକ ରାତି ୧୦ଟାରୁ ସକାଳ ୫ଟା ଭିତରେ ପରିବହନ ହେବ। ଯେଉଁଠି ‌ଶ୍ରମିକମାନେ ରହି କାମ କରୁଥିବେ, ସେଠାରେ କାମ ଚାଲୁ ରହିବ। କୌଣସି ପରିସ୍ଥିତିରେ ବିନା ଅନୁମତିରେ ଶ୍ରମିକଙ୍କୁ ଗାଡ଼ିରେ ଯାତାୟାତ କରିବାକୁ ଅନୁମତି ମିଳିବନି। ଏହାବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲିଲେ, ସଂପୃକ୍ତ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ତିନି ଦିନ ତଳୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ରେ କେଉଁ ଦୋକାନ ଖୋଲିପାରିବ, ସେନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଦୋକାନ ଖୋଲିବା ଆରମ୍ଭ ହୋଇଥିଲା। ରାଜଧାନୀବାସୀ ଦ୍ବନ୍ଦ୍ବରେ ଥିଲେ। ହେଲେ ବିଏମ୍‌ସି କି କମିସନରେଟ୍‌ ପୁଲିସ ପକ୍ଷରୁ କେଉଁ ଦୋକାନ ଖୋଲିବ, କେଉଁଟା ଖୋଲିବନି, ଭୁବନେଶ୍ବରରେ କାହିଁକି ଖୋଲିବନି, ସେନେଇ କିଛି ସ୍ପଷ୍ଟ କୁହାଗଲାନି। ଫଳରେ ଦ୍ବନ୍ଦ୍ବରେ ଥିବା ଲୋକମାନେ ଦୋକାନ ଖୋଲିଲେ। କିନ୍ତୁ ଆଜି ସକାଳୁ ସ୍କ୍ବାଡ୍‌ ଚଢ଼ଉ କରି ସବୁ ଦୋକାନ ବଜାର ବନ୍ଦ କରି ଦେଇଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ଯେ କାଲିଠାରୁ ଏନେଇ କୁହାଯାଇଛି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ କେବଳ ଯେ ଖାଲି ଗୋଟେ ଟୁଇଟ୍‌ କରି ସୂଚନା ଦେଇଥିଲେ ତାହା ଭୁଲି ଯାଇଥିଲେ। ଭୁବନେଶ୍ବରରେ ଏମିତି କେତେ ବ୍ୟବସାୟୀ ଟୁଇଟର ବ୍ୟବହାର କରୁଛନ୍ତି ଯେ ଟୁଇଟ୍‌ ଦେଖି ଦୋକାନ ଖୋଲିବେ, ବନ୍ଦ କରିବେ ତାହା କର୍ତ୍ତୃପକ୍ଷ ଜାଣିପାରିଲେନି। ଭୁବନେଶ୍ବର ରେଡ୍‌ ଜୋନରେ ଅଛି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ ବୋଲି ଟୁଇଟ୍‌ କରିଥିଲେ। ଏତିକିରେ କିଏ କ’ଣ ବୁଝିବ କର୍ତ୍ତୃପକ୍ଷ ବୁଝିପାରିଲେନି। ଆଜି ବ୍ୟବସାୟୀମାନେ ଅସନ୍ତୋଷ ଜାହିର୍ କରିବା ପରେ ବିଏମ୍‌ସି ପକ୍ଷରୁ ୫ଟି ପ୍ରଚାର ଗାଡ଼ି ବୁଲି ବ୍ୟବସାୟୀଙ୍କୁ ସଚେତନ କରିଛି।

ସମ୍ବନ୍ଧିତ ଖବର