କରୋନା ମାଡ଼କୁ ବଳେଇଲା ବିଡିଏ ପାହାର : ନନ୍ଦନକାନନ ସମ୍ମୁଖରୁ ଶହେ ଦୋକାନ ଉଚ୍ଛେଦ

ବାରଙ୍ଗ/ତ୍ରିଶୂଳିଆ : ମହାମାରୀ କରୋନା ମାଡ଼ରେ ସେମାନଙ୍କର ବିପୁଳ କ୍ଷତି ହୋଇଥିଲା। ଦୀର୍ଘ ୭ ମାସ ହାତବାନ୍ଧି ଘରେ ବସି ରହିବା ପରେ ସେମାନଙ୍କ ପାଇଁ ସୁଯୋଗ ଆସିଥିଲା। ତେଣୁ ଧାରକରଜ କରି ପୁଣି ବେପାର ଆରମ୍ଭ କଲେ। ମାତ୍ର ମାସଟିଏ ଯାଇଛି କି ନାହିଁ, ଦାଉ ସାଧିଲା ବିଡିଏ। ଦୋକାନ ଉଚ୍ଛେଦ କଲା। କରୋନା ସିନା ଅଣ୍ଟା ଭାଙ୍ଗି ଦେଇଥିଲା, ବିଡିଏ ପୂରା ଉପାଡ଼ି ଦେଲା। ରୋଜଗାର ବାଟ ବନ୍ଦ କରି ସେମାନଙ୍କୁ ବିଡିଏ ବଡ଼ଦାଣ୍ଡରେ ବସେଇଦେଲା। ଏ ହେଉଛି ନନ୍ଦନକାନନ ସମ୍ମୁଖ ଛକରୁ ବିଡିଏ ଦ୍ବାରା ଉଚ୍ଛେଦ ହୋଇଥିବା ଶହେ ଦୋକାନୀଙ୍କ ଦୁଃଖର କାହାଣୀ।

ଆଜି ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ରଙ୍କ ଟିମ୍‌ ନନ୍ଦନକାନନ ଥାନା ପୁଲିସ ସହଯୋଗରେ ଏକ ପ୍ଲାଟୁନ୍‌ ପୁରୁଷ ଫୋର୍ସ ଓ ଏକ ପ୍ଲାଟୁନ ମହିଳା ଫୋର୍ସ ସହ ଜେସିବି ମେସିନ ନେଇ ଉକ୍ତ ଦୋକାନ ସବୁକୁ ଉଚ୍ଛେଦ କରିବାକୁ ପହଞ୍ଚିଥିଲେ। ଦୋକାନୀମାନେ ପ୍ରଥମେ ବିରୋଧ କରିଥିଲେ ବି ପୁଲିସ ବଳ ସମ୍ମୁଖରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ତେଣୁ ଦୋକାନରୁ ବିଭିନ୍ନ ସାମଗ୍ରୀ ଓ ଉପକରଣ ଖାଲି କରିନେବା ପାଇଁ କିଛି ସମୟ ମାଗିଥିଲେ। ଅଧିକାରୀମାନେ ଉକ୍ତ ପ୍ରସ୍ତାବରେ ରାଜି ହୋଇଥିଲେ। ଦୋକାନୀମାନେ ନିଜ ନିଜ ଦୋକାନ ଖାଲି କରିବା ସହ ଟିଣ ଆଜବେଷ୍ଟସ ବାହାର କରି ନେଇଥିଲେ। ପରେ ଜେସିବି ମେସିନ ଦୋକାନଗୁଡ଼ିକ କାନ୍ଥ ଭାଙ୍ଗି ମାଟିରେ ମିଶାଇ ଦେଇଥିଲା। ବିଚରା ଦୋକାନୀମାନେ କେବଳ ଅସହାୟ ହୋଇ ସେମାନଙ୍କ ରୋଜଗାରର ମାଧ୍ୟମ ଭାଙ୍ଗି ପଡ଼ୁଥିବାରୁ ଦୃଶ୍ୟ ଦେଖୁଥିଲେ ଓ ଭାଗ୍ୟକୁ ନିନ୍ଦି ଚୁପ୍ ରହିଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ଯୋଜନା କରିଛନ୍ତି। ଯୋଜନା ମୁତାବକ, ନନ୍ଦନକାନନ ଆଖପାଖ ଅଞ୍ଚଳରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିସରକୁ ଜବରଦଖଲମୁକ୍ତ କରିବାକୁ ଯୋଜନା କରିଛନ୍ତି। ଆଜି ସେ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ତେବେ ଏହା ଦ୍ବାରା ଶହେ ପରିବାର ନିଜ ରୋଜଗାର ହରାଇଛନ୍ତି। ସେମାନଙ୍କ ଦୀର୍ଘ ବର୍ଷ ପେଟପା‌ଟଣାର ଉତ୍ସ ଉଜୁଡ଼ି ଯାଇଛି। ଦୋକାନୀମାନଙ୍କ କହିବା କଥା, ଏବେ ନନ୍ଦନକାନନର ନବୀକରଣ କାମ ହୋଇନାହିଁ। ତେଣୁ ସେମାନଙ୍କୁ ଆଉ କିଛି ଦିନ ବେପାର କରିବାକୁ ଦିଆଯାଇଥିଲେ କିଛି ଅସୁବିଧା ହୋଇନଥା’ନ୍ତା। ସେହିଭଳି ସେମାନଙ୍କୁ ଥଇଥାନ କରିବା ଦାୟିତ୍ବ ମଧ୍ୟ ସରକାର ଭୁଲିଗଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର