ଘରେ ନିର୍ମାଣ ଚାଲିଛି କ୍ଷୁଦ୍ର ଚଳଚ୍ଚିତ୍ର

ଆସିଲା କ୍ଷୁଦ୍ର କମେଡ଼ି ଚଳଚ୍ଚିତ୍ର ‘ଲକଡାଉନ ‌ରୁଟିନ୍‌’

ଭୁବନେଶ୍ବର : ସାରା ଦେଶ ଲକ୍‌ଡାଉନ ପାଇଁ ଗୃହରେ ବନ୍ଦୀ। ଚଳଚ୍ଚିତ୍ର, ଧାରାବାହିକ, ୱେବସିରିଜ ନିର୍ମାଣରେ ବ୍ରେକ୍‌ ଲାଗିଛି। ମାତ୍ର ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ନିର୍ମିତ ହେଉଛି କ୍ଷୁଦ୍ର ଚଳଚ୍ଚିତ୍ର। ଲୋକଙ୍କୁ ସଚେତନ କରିବା ପାଇଁ ଚଳଚ୍ଚିତ୍ର ମାଧ୍ୟମରେ ଦିଆଯାଉଛି ବଳିଷ୍ଠ ବାର୍ତା।

ବିଶେଷକରି ଲୋକଙ୍କୁ ଘରେ ରହିବା ପାଇଁ ପ୍ରେରିତ କରୁଛି ଲୋପାମୁଦ୍ରା ବାରିକଙ୍କ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ। ସରକାର ଆମମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ନିୟମ ମାନିବାକୁ ନିର୍ଦେଶ ଦେଇଥିବାରୁ ଏହାକୁ ପାଳନ କରି ଆମେ ମାନେ ବି ଏ ଜାତି ପାଇଁ ଜଣେ ଜଣେ ହିରୋ ବନିପାରିବା ବୋଲି କହିଛି ଏହି କ୍ଷୁଦ୍ର ଚଳଚ୍ଚିତ୍ର। କାହାଣୀ ଓ ଚିତ୍ରନାଟ୍ୟ ଲୋପାମୁଦ୍ରା କରିଥିବା ବେଳେ ଅଭିନୟ କରିଛନ୍ତି, ଭାସ୍ବତୀ ବସୁ, ଦେବଦତ୍ତ ପତି, ସୌମ୍ୟରଂଜନ ବେହେରା, ଲୋପାମୁଦ୍ରା, ସୂର୍ଯ୍ୟକାନ୍ତ ଛୋଟରାୟ, କ୍ରିଷ୍ଣା ସିଂ, ଅନ୍ତର୍ଯ୍ୟାମୀ ମିଶ୍ର, ଶିବାନୀ ପଣ୍ଡା।

ସେହିପରି ଗୌରୀଶଙ୍କର ଦାସଙ୍କ ନିର୍ଦେଶନାରେ ‘ଗୃହବନ୍ଦୀ’ ପରେ ନିର୍ମିତ ହୋଇଛି ଆଉ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘କରୋନାର କୁନି ଯୋଦ୍ଧା’। କୁନି ଝିଅଟିଏ ନିଜର ଡାକ୍ତରାଣୀ ମା’କୁ ପାଖରୁ ଛାଡ଼ିବା ପାଇଁ ଚାହୁଁନଥିଲେ ହେଁ ଏ ବିପତ୍ତି ସମୟରେ ମା’ଟିଏ କିଭଳି ନିଜ ପିଲାକୁ ଛାଡ଼ି କରୋନା ମୁକାବିଲା ଯୁଦ୍ଧରେ ନିଜକୁ ସାମିଲ୍‌ କରିଛି ତାହା ଦେଖିବାକୁ ମିଳିଛି। ବାପା ଜଣେ ଚିତ୍ରଶିଳ୍ପୀ ଭାବେ ଲକଡାଉନ ପରିସ୍ଥିତିକୁ ନେଇ ଚିତ୍ର ଆଙ୍କୁଥିବା ବେଳେ ମା’ ବିନା କାନ୍ଦୁଥିବା ଝିଅର ଲୁହ ଝରା ଚିତ୍ରଟି ମଧ୍ୟ ତାଙ୍କ କାନଭାସରେ ଫୁଟି ଉଠିଛି। ତେବେ କୁନି ଝିଅଟି ମଧ୍ୟ କରୋନା ମୁକାବିଲା ପାଇଁ ତା’ ମା’ର ଆବଶ୍ୟକତାକୁ ବୁଝିଛି। କାନ୍ଦିବା ବଦଳରେ ସେ ନିଜକୁ ବୁଝାଇ ହସୁଛି। ଏହିଭଳି ଏକ ହୃଦୟସ୍ପର୍ଶୀ କାହାଣୀର କନ୍‌ସେପ୍ଟ ରାଜେଶ କୁମାର ନାୟକ ଲେଖିଥିବା ବେଳେ ନିର୍ଦେଶନା ଦେଇଛନ୍ତି ଗୌରୀଶଙ୍କର ଦାସ। ଚିନ୍ତାମଣି ବିଶ୍ବାଳ, କଳ୍ପଶ୍ରୀ ଜଗଦେବ ଓ ତାନ୍ୟା ବିଶ୍ବାଳ (ଗୁଗଲି) ଅଭିନୟ କରିଛନ୍ତି। ଦେବୀଲାଲ ରଥ ସମ୍ପାଦନା କରିଥିବା ବେଳେ ଗ୍ରାଫିକ୍ସ ଦେଇଛନ୍ତି ମଳୟ ନାୟକ। ସମସ୍ତ ଚଳଚ୍ଚିତ୍ର ଘରେ ହିଁ ନିର୍ମାଣ ହେଉଛି।

ଆସିଲା କ୍ଷୁଦ୍ର କମେଡ଼ି ଚଳଚ୍ଚିତ୍ର ‘ଲକଡାଉନ ‌ରୁଟିନ୍‌’
ଭୁବନେଶ୍ବର : ଟେକ୍ନୋଆର୍ଟ ପ୍ରଡକ୍ସନ ଭେଟି ଦେଇଛି ନୂଆ କ୍ଷୁଦ୍ର କମେଡି ଭିଡିଓ ‘ଲକଡାଉନ ରୁଟିନ୍‌’। କରୋନା ମହାମାରୀ ପାଇଁ ଲକ୍‌ଡାଉନକୁ ଆଧାର କରି ଏହି ଭିଡିଓଟି ପ୍ରସ୍ତୁତ ହୋଇଥିବା ବେଳେ ଦର୍ଶକଙ୍କୁ ଏହା ଖୁବ୍‌ ହସାଉଛି। ବର୍ଷା ନାୟକ ଏଥିରେ ଅଭିନୟ କରିଥିବା ବେଳେ ଅନୁପମ ପଟ୍ଟନାୟକ ଏହାର ନିର୍ଦେଶନା ସହ ସମ୍ପାଦନା କରିଛନ୍ତି। ରୋଶନ ବିଷୋଇ ଓ ଅନୁପମ ପଟ୍ଟନାୟକ ଏହାର କାହାଣୀ ଲେଖିଛନ୍ତି। ସଂପ୍ରତି ଲୋକଙ୍କ ଭିତରେ ଅଜଣା ଭୟ ଓ ଚିନ୍ତା ସବାର ହୋଇଥିବା ବେଳେ ଏହା ଲୋକଙ୍କୁ କିଛିଟା ଆଶ୍ବସ୍ତ କରିବ। ସମ୍ପୂର୍ଣ୍ଣ ଭିଡିଓଟି ଘର ମଧ୍ୟରେ ହିଁ ପ୍ରସ୍ତୁତ ହୋଇଛି। ବିଶିଷ୍ଟ ପ୍ରଯୋଜକ ଅମିୟ ପଟ୍ଟନାୟକ ପ୍ରଡକ୍ସନସର ଏକ ଡିଜିଟାଲ୍‌ ଶାଖା ‘ଟେକ୍ନୋଆର୍ଟ ପ୍ରଡକ୍ସନ୍‌ସ’। ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ୱେବସିରିଜ ପାନିକ ସର୍ଟସ, ସାବେ ବିବି ସାଲା, ୱେଲକମ ଟୁ ଦି ଫ୍ୟାମିଲି, ଗୁଗୁଲ୍‌ କହୁଛି ଆଦି ପ୍ରସ୍ତୁତ ହୋଇ ୟୁ-ଟ୍ୟୁବରେ ପ୍ରସାରିତ ହୋଇସାରିଥିବା ବେଳେ ମଞ୍ଜରୀ ଟିଭି ପକ୍ଷରୁ ‘କିଡନାପ କମ୍ପାନି’ ମଧ୍ୟ ପ୍ରସ୍ତୁତି ହେଉଛି।

ସମ୍ବନ୍ଧିତ ଖବର