ଭୁବନେଶ୍ବର: ସେୟାଁ ଦିଲ୍ ମେଁ ଆନା ରେ..., ମେରା ଦିଲ୍ ୟେ ପୁକାରେ ଆଜା..., କାମ୍ ଡାଉନ୍.., ପତ୍ଲି କମର୍ୟା ମେରେ ହାଏ ହାଏ... ଭଳି ଗୀତ ଏବେ ସମସ୍ତଙ୍କ ମୋବାଇଲ୍ରୁ ଶୁଣିବାକୁ ମିଳୁଛି। ଏସବୁ ଗୀତର ତାଳେ ତାଳେ ପ୍ରସ୍ତୁତ ରିଲ୍ସ ଏବେ ଇନ୍ଷ୍ଟାଗ୍ରାମ, ଫେସ୍ବୁକ୍ ଓ ୟୁଟ୍ୟୁବ୍ ଆଦି ସାମାଜିକ ଗଣମାଧ୍ୟମରେ ଛାଇଯାଇଛି। କଲେଜ ଛୁଟି ହେଲେ, ଅଫିସ୍ କାମରୁ ବିରତି ମିଳିଲେ ବା ଶୋଇବା ପୂର୍ବରୁ ଏବେ ସମସ୍ତଙ୍କ ଟାଇମ୍ପାସ୍ର ମାଧ୍ୟମ ପାଲଟିଛି ଏହି ‘ରିଲ୍ସ’। ଖାଲି ଯୁବପିଢ଼ି ନୁହନ୍ତି, ଆବାଳବୃଦ୍ଧବନିତା ଏବେ ଏହି ରିଲ୍ସ ମାୟାରେ ବାୟା। ଇଣ୍ଟରନେଟ୍ର ଏହି ରିଲ୍ସ୍ ଯୁଗରେ ହାସ୍ୟରସାତ୍ମକ କଣ୍ଟେଣ୍ଟ୍ ସମସ୍ତଙ୍କ ପସନ୍ଦର ସର୍ବାଗ୍ରେ ରହିଥିବା ବେଳେ ପ୍ରେରଣାଦାୟୀ ଭିଡିଓ, ଶାଶୁ ବୋହୂଙ୍କ ତୁ ତୁ ମେଁ ମେଁ..., ପତି-ପତ୍ନୀଙ୍କ କଥା କଟାକଟି, ଘର ମାଲିକମାନଙ୍କ ଉପରେ ଘରୋଇ ସହାୟିକାଙ୍କ ସୁଖଦ ପ୍ରାଦୁର୍ଭାବ, ପ୍ରେମୀଯୁଗଳଙ୍କ ପ୍ରେମ, ମହିଳା ଓ ପୁରୁଷମାନଙ୍କ ଭିନ୍ନ ଭିନ୍ନ ପ୍ରବୃତ୍ତି ଓ କିଛି ସାମାଜିକ ବାର୍ତ୍ତାବହନ କରୁଥିବା କାହାଣୀ ବା କଣ୍ଟେଣ୍ଟ ଏବେ ରିଲ୍ସ ଦୁନିଆକୁ ଆହୁରି ସକ୍ରିୟ କରିଛି। ଏହି କିଛି ସେକେଣ୍ଡର ଭିଡିଓକୁ ଦେଖିବା ପଛରେ ଯୁବପିଢ଼ି ଦିନକୁ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି।
ଟିକ୍ଟକ୍କୁ ଭୁଲାଇଦେଲା
୨୦୨୦ ଜୁନ୍ରେ ଭାରତ ସରକାର ଟିକ୍ଟକ୍ ସମେତ ୫୯ ଚାଇନା ଆପ୍କୁ ନିଷିଦ୍ଧ କରିଥିଲେ। ଟିକ୍ଟକ୍କୁ ବାଏ ବାଏ କହିବା ଭାରତୀୟଙ୍କ ପାଇଁ ଏତେ ସହଜ ନଥିବା ବେଳେ ଟିକ୍ଟକ୍ର ନିଷେଧ ଭାରତର ମନୋରଞ୍ଜନ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା। କିନ୍ତୁ ଖୁବ୍ ଶୀଘ୍ର ରିଲ୍ସ୍ ଭିଡିଓ ଏହି ଶୂନ୍ୟସ୍ଥାନକୁ ପୂରଣ କରି ଦେଇଥିଲା। ଟିକ୍ଟକ୍ ଭଳି ଇନ୍ଷ୍ଟାଗ୍ରାମ୍ ରିଲ୍ସ ବ୍ୟବହାରକାରୀଙ୍କୁ ୧୫ ସେକେଣ୍ଡର ଭିଡିଓ କରିବାର ସୁଯୋଗ ଦେଇଥାଏ। ବ୍ୟବହାରକାରୀମାନେ ଏଥିରେ ନିଜର ମୌଳିକ ଭିଡିଓ କରିପାରୁଛନ୍ତି କିମ୍ବା ଜଣକ ଭିଡିଓ ଆଣି ତାହାକୁ ସମାନ ଶୈଳୀ ଓ ଶବ୍ଦ ସଂଯୋଜନାରେ ପୁଣି ଥରେ ପ୍ରସ୍ତୁତ ବି କରିହେଉଛି। ରିଲ୍ସ ପ୍ରସ୍ତୁତି ପାଇଁ ଏବେ ବିଭିନ୍ନ ପ୍ରକାର ଆପ୍ ରହିଥିବା ବେଳେ ସେଥିଲେ ମ୍ୟୁଜିକ୍ ଲାଇବ୍ରେରି ସହ ସ୍ପେସାଲ୍ ସାଉଣ୍ଡ ଇଫେକ୍ଟ୍ ଆଦି ରହିଥାଏ। ସେହିଭଳି ସାରା ବିଶ୍ବର ଲୋକପ୍ରିୟ ରିଲ୍ସଗୁଡ଼ିକୁ ଏକାଠି କରି ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କୁ ସେଥିରେ ଭିଡିଓ ପ୍ରସ୍ତୁତ କରିବା ଓ ଦେଖିବାର ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ। ଫଳରେ ଏବେ ଲୋକ ଟିକ୍ଟକ୍କୁ ଭୁଲି ରିଲ୍ସ୍ ମାୟାରେ ବାୟା ହୋଇଛନ୍ତି।
ତାରକା ଗଢ଼ୁଛି ରିଲ୍ସ
ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ରହିଥିବା ବେଳେ ପ୍ରତିଟି ସାମାଜିକ ଗଣମାଧ୍ୟମ ଖୋଲୁ ଖୋଲୁ ଗଦା ଗଦା ରିଲ୍ସ୍ ଚାରିଆଡ଼େ ଘୂରି ବୁଲୁଛି। ଏହା ପୁଣି ଏତେ ଆକର୍ଷଣୀୟ ହେଉଛି ଯେ ଲୋକ ଆପେ ଆପେ ଏହା ଆଡ଼କୁ ଆକର୍ଷିତ ହେଉଛନ୍ତି। ଏଣୁ ରିଲ୍ସ୍ ଏବେ ତାରକା ବନାଇବାର ପ୍ରମୁଖ କାରଖାନା ପାଲଟିଛି। କିଏ ଭଲ ଅଭିନୟ କରୁଛି ତ’ କିଏ ପୁଣି ଭଲ ନାଚୁଛି, କିଏ ଭଲ ଗୀତ ଗାଉଛି ତ’ ପୁଣି କିଏ ନିଜ ବାକ୍ ଚାତୁରୀ ବ୍ୟବହାର କରି ପ୍ରେରଣାଦାୟୀ ଭାଷଣ ଦେଇ ମନ ଜିଣୁଛି। ଏପରିକି ଉପସ୍ଥିତ ବୁଦ୍ଧି ଖଟାଇ ରିଲ୍ସ୍ କଣ୍ଟେଣ୍ଟ୍କୁ ଦମ୍ଦାର୍ କରୁଛି। ଏମିତି ଏବେ ସାମାଜିକ ଗଣମାଧ୍ୟମର ତାରକା ପାଲଟି ଯାଇଛନ୍ତି, ଅର୍ମାନ୍ ମଲ୍ଲିକ ଓ ତାଙ୍କର ଦୁଇ ପତ୍ନୀ ପାୟଲ୍ ଓ କୀର୍ତ୍ତିକା। ଅର୍ମାନ୍ ୨ଟି ବିବାହ କରିଥିଲେ ବି ତାଙ୍କ ସମାଲୋଚକଙ୍କ ତୁଳନାରେ ପ୍ରଶଂସକଙ୍କ ସଂଖ୍ୟା ଖୁବ୍ ଅଧିକ। ସେମାନେ ସେମାନଙ୍କ ନିତିଦିନିଆ ଜୀବନୀ ଓ ଫ୍ୟାସନ୍, ଖାଦ୍ୟ, ସେମାନଙ୍କର ଗର୍ଭାବସ୍ଥା, ଗର୍ଭାବସ୍ଥାରେ ସେମାନଙ୍କୁ ହେଉଥିବା ଅସୁବିଧା ଆଦି ସାଧାରଣ କଥାକୁ ନେଇ ଭିଡିଓ କରୁଥିଲେ ବି ଏବେ ସେମାନେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ସେହିଭଳି ରଶ୍ମି ଜୈସୱାଲ, ଭୀର୍ପାରୁଲ୍, ସନ୍ଦୀପ୍ ଭଟ୍ଟ୍, ସଲୋନି ରାଜପୁତ, ମୁକେଶ ଜୈସୱାଲ, ଭିନ୍ନି ସତଙ୍କର ଓ ଜୈସଲିନ୍ ଆରୋରା ପ୍ରମୁଖ ଏବେ ରିଲ୍ସ୍ ଜଗତରେ ଛାଇଯାଇଛନ୍ତି।
ପଛରେ ପଡ଼ିନାହାନ୍ତି ଓଡ଼ିଆ
ରିଲ୍ସ ଦୁନିଆରେ ଖାଲି ଅଣଓଡ଼ିଆ ନୁହେଁ, ଓଡ଼ିଆମାନେ ବି ଛାଇ ଯାଇଛନ୍ତି। ସରୋଜିନୀ ରଥଙ୍କ ପ୍ରେରଣାଦାୟୀ ଭିଡିଓ, ଡାଇମଣ୍ଡ୍ ଓଡ଼ିଶା ପ୍ରେଜେଣ୍ଟ୍ସ୍ ଅଫିସିଆଲ୍ ଆଇଡିର ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଘରୋଇ କଳି ଭିଡିଓ, ଭରତ ସାହୁଙ୍କ କମେଡି ତଡ୍କା, ଏଣ୍ଟର୍ଟେନ୍ମେଣ୍ଟ୍ ଜୋନ୍ ଅଫିସିଆଲ୍ ଆଇଡିରେ ୩ ଭାଇ ଭଉଣୀଙ୍କ କମେଡି ଭିଡିଓ ଓ କିଛି ଜ୍ୟୋତିଷଙ୍କର ନିତିଦିନିଆ ଜୀବନରେ ଆସୁଥିବା ସମସ୍ୟାକୁ ନେଇ ପ୍ରତିକାର ଭିଡିଓ ଆଦିକୁ ନେଇ ଓଡ଼ିଶାର ରିଲ୍ସ୍ ଜଗତ ଏବେ ଚଳଚଞ୍ଚଳ ଅଛି।
ଟ୍ରେଣ୍ଡ୍ରେ ରୋଷ୍ଟ୍ ଭିଡିଓ
ସମାଜିକ ଗଣମାଧ୍ୟମରେ ସମାଲୋଚନା ଏବେ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ବେଳେ କିଛି ଯୁବପିଢ଼ି ସମାଲୋଚନା କରି ଭିଡିଓ କରିବାକୁ ବି ପଛାଉନାହାନ୍ତି। ଅନ୍ୟମାନଙ୍କ ରିଲ୍ସ୍କୁ ଦେଖି ସମାଲୋଚନା କରିବା, ପରାମର୍ଶ ଦେବା ଛଳରେ ସେମାନଙ୍କୁ ଅପମାନିତ କରିବା ପାଇଁ କିଛି ଜଣ ଏବେ ରୋଷ୍ଟ ଭିଡିଓ ପ୍ରସ୍ତୁତ କରୁଛନ୍ତି। ସାଧାରଣତଃ ଉର୍ଫି ଜାଭେଦଙ୍କ ଫ୍ୟାସନ, ବିଭିନ୍ନ ହିନ୍ଦୀ ସିନେମାର କାହାଣୀ ଓ ସିନ୍, ମଲାଇକା ଅରୋରାଙ୍କ ଚାଲି ଓ ଶରୀରିକ ଗଠନ ଆଦିକୁ ନେଇ ପ୍ରସ୍ତୁତ ହେଉଛି ରୋଷ୍ଟ୍ ଭିଡିଓ। ଚୁଗୁଲି କରିବା ମଣିଷର ଏକ ସହଜାତ ପ୍ରବୃତ୍ତି ହୋଇଥିବା ବେଳେ ଏହି ରୋଷ୍ଟ୍ ଭିଡିଓଗୁଡ଼ିକ ଏବ ଲୋକପ୍ରିୟତାର ଶୀର୍ଷରେ ରହିବା ସହ ଅଧିକ ଦର୍ଶକ ବି ଟାଣିପାରୁଛି।