ଜଟଣୀ: ରାଜ୍ୟ ରାଜଧାନୀ ଉପକଣ୍ଠ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଦୀପ ତଳ ଅନ୍ଧାର ଭଳି। ଏଠାରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଭଳି ଅନେକ ପଦବି ଫାଙ୍କା ପଡ଼ିଛି। ଏହା ଅଧୀନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ସ୍ଥିତି। ଜଟଣୀ ନିର୍ବାଚନ ମଣ୍ଡଳୀର ୩୧ଟି ପଞ୍ଚାୟତରୁ ମୁଖ୍ୟତଃ ୧୫ଟି ପଞ୍ଚାୟତର ଲୋକେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ପ୍ରତିଦିନ ଏଠାକୁ ୩୦୦ରୁ ୪୦୦ ରୋଗୀ ଆସିଥାନ୍ତି। ଅନେକ ରୋଗୀ ଆବଶ୍ୟକ ଭିତ୍ତିଭୂମି, ଯନ୍ତ୍ରପାତି ଓ ମାନବ ସମ୍ବଳ ଅଭାବ ଯୋଗୁଁ ନିରାଶ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ଅଧୀନରେ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର -ବେଣାପଞ୍ଜରୀ, ତରାବୋଇ, ରେତଙ୍ଗ ଓ ଯାଆଁଳାରେ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି।  

Advertisment

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟତଃ ଏମବିବିଏସ୍ ଡାକ୍ତରଙ୍କ ସମେତ ୨୧ଟି ପଦବି ରହିଛି। ସେଥିରୁ୧୧ଟି ପଦବି ପୂରଣ ହୋଇଥିବା ବେଳେ ଆଉ ୧୦ଟି ପଦବି ଫାଙ୍କା ପଡିଛି। ୧୫ଟି ଏମ୍‌ବିବିଏସ୍ (ଏଲଟିଆରଏମ୍) ପଦବିରେ ୭ଜଣ ଡାକ୍ତର ଥିବା ବେଳେ ୪ଟି ସ୍ପେସାଲିଷ୍ଟ ପଦବିରେ ଦୁଇ ଜଣ ଅଛନ୍ତି, ସେଥିରୁ ପୁଣି ଜଣେ ଠିକାରେ ଅଛନ୍ତି। ତେବେ ସର୍ଜରି ସ୍ପେସାଲିଷ୍ଟ ବିଭାଗରେ ଗୋଟେ ପଦବିରେ ଜଣେ ଠିକାରେ ଅଛନ୍ତି। ସେହିପରି ଶିଶୁ ବିଭାଗରେ ସ୍ପେସାଲିଷ୍ଟ ପଦବି ଫାଙ୍କା ରହିଛି। ଭେଷଜ (ମେଡିସିନ) ବିଭାଗରେ ଗୋଟେ ପଦବି ରହିଛି, ଠିକାରେ ଜଣେ ଏମବିବିଏସ୍ ଡାକ୍ତର କାର୍ଯ୍ୟ କରୁଥିଲେ କିନ୍ତୁ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତର ଅଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାପ୍ ନର୍ସ ପଦବି ୧୧ଟି ରହିଥିବା ବେଳେ ୭ଜଣ ଏଠାରେ କାମ କରୁଛନ୍ତି। ଅନ୍ୟମାନେ ବିଏମସିରେ ଡେପୁଟେସନ୍‌ରେ ଅଛନ୍ତି।  ଫାର୍ମାସିଷ୍ଟ ୩ଟି ପଦବିରୁ ଦୁଇ ଜଣ ଅଛନ୍ତି। ସେହିପରି ଲାବ୍ରୋଟୋରି ଟେକନିସିଆନ୍ ୩ଟି ପଦବିରୁ ୩ଜଣ ଥିବା ବେଳେ ଜଣେ ବିଏମସିରେ ଡେପୁଟେସନ୍‌ରେ ନିୟୋଜିତ ଅଛନ୍ତି। ଆଟେଣ୍ଡାଣ୍ଟ ୪ଟି ପଦବିରୁ ଜଣେ ରେଗୁଲାର ଭାବେ ନିୟୋଜିତ ଥିବା ବେଳେ ଆଉ ୩ଜଣ ଠିକାରେ କାର୍ଯ୍ୟ କରୁଛନ୍ତି। ଏ ନେଇ ଡା ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ, ବ୍ଲକୱାରି ଯାହା ସୁବିଧା ମିଳିବା କଥା ଏଠାରେ ମିଳୁଛି। ହସ୍ପିଟାଲ୍ ରେ ଯାହା ସମସ୍ୟା ହେଉଛି ସବୁ ମାସରେ ରିପୋର୍ଟ ଯାଉଛି। ଏଥିସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେସିନ୍ ର ଆବଶ୍ୟକତା ରହିଥିବା ବେଳେ ଗାଇନିଂ ଓ ମେଡିସିନ୍ ସ୍ପେଶାଲିଷ୍ଟର ଆବଶ୍ୟକତା ରହିଛି।