ଖଣ୍ଡଗିରି: ବାଜା, ବାଣ, ରୋଶଣିରେ କମ୍ପେ ଗାଁ। ଶୋଭାଯାତ୍ରାରେ କଣ୍ଢେଇ ନାଚ, ଘୋଡ଼ା ନାଚ, ବାଘ, ଭାଲୁ, ହରିଣ, ବଣମଣିଷ, ବୁଢ଼ାବୁଢ଼ୀ ନାଚ, ଟାକୁଟାକୁଆ ଚଢ଼େଇ ନାଚ ଓ ଷଣ୍ଢ ନାଚ ସାଙ୍ଗକୁ ସଂକୀର୍ତ୍ତନ ଓ ଘଣ୍ଟନାଦରେ କାନ ଫାଟିପଡ଼େ। ଶହ ଶହ ଦେଖଣାହାରୀଙ୍କ ମେଳରେ ବିମାନକୁ କାନ୍ଧରେ ବୋହି ମେଳଣ ପଡ଼ିଆକୁ ଆଣନ୍ତି ଆପଟିଆ। ପ୍ରସ୍ତୁତି ଏମିତି ଯେ ଲାଗିବ ଗ୍ରାମ ଦୋଳଗୋବିନ୍ଦଙ୍କ ଚାଚେରି ଭୋଗଖିଆ ଚାଲିଛି! ହେଲେ ବିମାନରେ ଠାକୁର ନଥା’ନ୍ତି କି ବିମାନ ବୋହୁଥିବା ଆପଟିଆମାନେ ଯୁବକ ବା ବୟସ୍କ ଲୋକ ନଥା’ନ୍ତି। ବିମାନ ଧରି ଘର ଘର ବୁଲି ଭୋଗ ଖୁଆଉଥିବା ବିମାନବାହକମାନେ ଥାଆନ୍ତି କିଶୋର, ଯାହାଙ୍କ ବୟସ ୮ରୁ ୧୨ ବର୍ଷ ଭିତରେ। ଆଉ ଠାକୁରଙ୍କ ମୂର୍ତ୍ତି ବଦଳରେ ବିମାନରେ ଶୋଭା ପାଉଥାଆନ୍ତି ବିଭିନ୍ନ ପ୍ରକାର କଣ୍ଢେଇ। ଏପରିକି କେଉଁଥିରେ ଥାଏ ବାର୍ବିଡଲ୍ ତ ପୁଣି କେଉଁଠି ଛୋଟାଭୀମ୍! ସୁସଜ୍ଜିତ ବିମାନରେ ଟିକିଟିକି କଣ୍ଢେଇଙ୍କୁ ଧରି ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାନ୍ତି କୁନି ପିଲାମାନେ। ଏହି ନିଆରା ମେଳଣଟି ପ୍ରତିବର୍ଷ ୱାର୍ଡ ୬୫ ପାତ୍ରପଡ଼ା ଭଗବାନପୁର ଗାଁରେ ଅନୁଷ୍ଠିତ ହୁଏ। ଆଖପାଖର ଗାଁଗୁଡ଼ିକରେ ଦୋଳମେଳଣ, ପଞ୍ଚୁଦୋଳ, ସାତଦୋଳ ଓ ଦଶଦୋଳ ମେଳଣ ସରିଯିବା ପରେ ଆରମ୍ଭ ହୁଏ ଭଗବାନପୁରର ଏହି ପ୍ରସିଦ୍ଧ କଣ୍ଢେଇ ମେଳଣ। ଗ୍ରାମବାସୀଙ୍କ କହିବାକଥା, ବର୍ଷେ ଗ୍ରାମର ଆରାଧ୍ୟଦେବୀ ଛୋଟିଭୁଆସୁଣୀଙ୍କ ପାଖରେ ଦୋଳ ମେଳଣ ସହିତ ସଂକୀର୍ତ୍ତନ ହେବାର ଥିଲା। ହେଲେ କିଛି କାରଣରୁ ମେଳଣ ହେଲାନାହିଁ। ସେହି ସମୟରେ ଗାଁର କୁନିପିଲାମାନେ ଛୋଟ ବିମାନ କରି ସେଥିରେ କଣ୍ଢେଇଙ୍କୁ ରଖି ବୁଲୁଥିଲେ।
ଏହାକୁ ଆଖି ଆଗରେ ରଖି ଗାଁର ପୁରୁଖା ଲୋକ ନିଷ୍ପତ୍ତି ନେଲେ- ପିଲାଙ୍କ ପାଇଁ ଏବେ କଣ୍ଢେଇ ମେଳଣ ହେବ। ମେଳଣରେ ପିଲା ନିଜେ ତିଆରି କରିବେ ବିମାନ। ବିମାନରେ ତାଙ୍କ ପ୍ରିୟ କଣ୍ଢେଇଙ୍କୁ ରଖିବେ ଓ ସେମାନେ ନିଜେ ଆପଟିଆ ହେବେ। ଏହିଭଳି ଗାଁର ଛୋଟପିଲାଙ୍କ ଦ୍ୱାରା ମାତ୍ର ୫-୬ଟି ବିମାନରେ ଆସୁଥିବା କଣ୍ଢେଇମାନଙ୍କୁ ନେଇ ଖେଳ ଭଳି ଚାଲିଥିବା ଏହି ମେଳଣରେ ତା’ପରେ ଗ୍ରାମବାସୀ ସାମିଲ ହୋଇଗଲେ। କ୍ରମେ ଏହା ଏକ ସ୍ଥାନୀୟ ଗଣପର୍ବ ଭାବେ ଗାଁରେ ପାଳିତ ହେଲା। ପରସ୍ପର ଭିତରେ ପ୍ରତିଯୋଗିତା କରି ଦଳଗୁଡ଼ିକ ନିଜ ବିମାନ ଓ କଣ୍ଢେଇଗୁଡ଼ିକୁ ଅଧିକ ଆକର୍ଷଣୀୟ କଲେ। ମେଳଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ଗୋଟିଏ ପରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡ଼ି ଦିଆଗଲା।
ଏ ନେଇ ଛୋଟିଭୁଆସୁଣୀ କଣ୍ଢେଇ ମେଳଣ କମିଟିର ସଭାପତି ରବୀନ୍ଦ୍ର ନାଥ ସାହୁ କହନ୍ତି, ୬୩ ବର୍ଷହେଲା ଗାଁରେ ଏଭଳି ମେଳଣ ହେଉଛି। ମେଳଣକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି। ଚଳିତବର୍ଷ ଦେଉଳିଆପାଟଣା, କାଶୀପୁର, ସିଜୁଆ, ବାଲିଆପଡ଼ା ଗ୍ରାମବାସୀଙ୍କୁ ମେଳଣରେ ସାମିଲ କରାଯିବ। ୮ ତାରିଖ ପୂର୍ବାହ ୯ଟାରେ କଣ୍ଢେଇ ମେଳଣର କମାଣ ଉତ୍ସବ, ସନ୍ଧ୍ୟା ୭ଟାରେ ଗ୍ରାମବାସୀଙ୍କ ଦ୍ବାରା ନାମ ସଂକୀର୍ତ୍ତନ, ୯ ଓ ୧୦ ତାରିଖରେ ଗଞ୍ଜାମ ଜିଲ୍ଲାର କଣ୍ଢେଇ ଅପେରା ଦ୍ବାରା ଯାତ୍ରା ପରିବେଷଣ କରାଯିବ। ୧୧ ତାରିଖ ୭ଟାରେ ଭଜନ ଓ ବାଲ୍ୟଭୋଜନ ହେବାକୁ ଥିବାବେଳେ ୧୨ ତାରିଖରେ କଣ୍ଢେଇ ଦିଅଁ ମେଳଣ, ପିଲାଙ୍କ ଦ୍ବାରା ହରିହର ଭେଟ ହେବ।