ଭୁବନେଶ୍ୱର: ପାର୍ବଣରେ ଦେଖିବାକୁ ମିଳିଛି ଅସହ୍ୟ ଟ୍ରାଫିକ୍ ଯନ୍ତ୍ରଣା। ଭିଡ଼ରେ ଫସିଛି ସମ୍ପୂର୍ଣ୍ଣ ରାଜଧାନୀ। ହଜାର ହଜାର ଗାଡ଼ି ଟ୍ରାଫିକ୍ ଭିଡ଼ର ମାୟାଜାଲ ଭିତରେ ଫସିଛି। ୧୦୦ ମିଟର ରାସ୍ତା ପାର ହେବାକୁ ୧ ଘଣ୍ଟା ଲାଗିଯାଉଛି। ପଳାଶୁଣି ଛକ, ରସୁଲଗଡ଼ ଛକ, ବମିଖାଲ ଛକ, ନୟାପଲ୍ଲୀ ଛକ, ସହିଦ୍ନଗର ଛକ, ମାଷ୍ଟରକ୍ୟାଣ୍ଟିନ୍ ଛକ, ସବୁଠି ସ୍ଥିତି ସମାନ। ଏଭଳି ସ୍ଥିତିରେ ଆଜି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କେବଳ ରାଜଧାନୀବାସୀ ନୁହନ୍ତି, ରାଜ୍ୟ ଓ ରାଜ୍ୟ ବାହାର ଆଗନ୍ତୁକମାନେ ଦହଗଞ୍ଜ ହୋଇଛନ୍ତି। ଅସହ୍ୟ ଯନ୍ତ୍ରଣା ପାଇ ଫେରିଛନ୍ତି। ଅପରପକ୍ଷେ ଏହା ପଛରେ ପୂଜା ମଣ୍ଡପଙ୍କୁ ଦୋଷ ଦେଇଛନ୍ତି ଲୋକେ। ରାଜ୍ୟ ସରକାର, ପୁଲିସ ପ୍ରଶାସନ, ଭୁବନେଶ୍ୱର ମହାନଗର ନିଗମ ସବୁ ପୂଜା ମଣ୍ଡପରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରସୁଲଗଡ଼, ବମିଖାଲ, ନୟାପଲ୍ଲୀ ଆଦି ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। କେହି ପର୍ଯ୍ୟାପ୍ତ ପାର୍କିଂ କରିନଥିବାରୁ ଲୋକେ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ଦର୍ଶନ କରିଛନ୍ତି। ପରିଣାମ ସ୍ୱରୂପ ରାସ୍ତା ଜାମ ହେବା ସହ ଜଟିଳ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ଗତକାଲି ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଲୋକେ କଲବଲ ହୋଇ ଘରକୁ ଫେରିଥିଲେ।
ଗତକାଲି ମା’ଙ୍କ ପୀଠରେ ମହାଷ୍ଟମୀ ଓ ମୃଣ୍ମୟ ମୂର୍ତ୍ତିଙ୍କ ନିକଟରେ ମହାସପ୍ତମୀ ନୀତି ଓ ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ପୀଠରେ ମହାନବମୀ ଓ ମୃଣ୍ମୟ ମୂର୍ତ୍ତିଙ୍କ ନିକଟରେ ମହାଷ୍ଟମୀ ପାଳିତ ହୋଇଛି। ସେହି ଅନୁସାରେ ପୂଜା ନୀତି ଅନୁଷ୍ଠିତ ହେଉଛି। ଏଣୁ ମା’ଙ୍କ ଦର୍ଶନ ପାଇଁ ପୂଜାମଣ୍ଡପମାନଙ୍କରେ ଓ ସଂଲଗ୍ନ ରାସ୍ତାରେ ଅସମ୍ଭାଳ ଭିଡ଼ ଦେଖାଦେଇଛି। ଦଶହରା ପର୍ଯ୍ୟନ୍ତ ବି ପୂଜା ପାଇଁ ପୂଜାମଣ୍ଡପ ଓ ସଂଲଗ୍ନ ରାସ୍ତାରେ ଏଭଳି ଭିଡ଼ ରହିବ। ଏଣୁ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ନିୟମିତ ପୂଜାମଣ୍ଡପ ପରିଦର୍ଶନ କରି ପାର୍କିଂ ସ୍ଥିତି ପରଖିବାକୁ ଦାବି ହୋଇଛି।
ନାଚାର ଟ୍ରାଫିକ୍ ପୁଲିସ
ଚଳିତବର୍ଷ ଦୁର୍ଗାପୂଜାରେ ଅସମ୍ଭାଳ ଭିଡ଼ ପୁଲିସର ପୂଜା ପ୍ରସ୍ତୁତି ବିଫଳତାକୁ ବଖାଣୁଛି। ଯୁଆଡ଼େ ଦେଖିଲେ, ଭିଡ଼ ଓ ଟ୍ରାଫିକ୍ ଯନ୍ତ୍ରଣା। ଗତକାଲି ଭିଡ଼ ବେକାବୁ ହେବା ପରେ ଆଜି ପ୍ରମୁଖ ଛକମାନଙ୍କରେ ଟ୍ରାଫିକ୍ ପୁଲିସଙ୍କ ସହ ହୋମଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଟ୍ରାଫିକ୍ ପୁଲିସ ଓ ହୋମଗାର୍ଡମାନେ ବି ନାଚାର। ଯେତେ ହୁଇସିଲ୍ ମାରିଲେ ବି କେହି ଶୁଣୁନାହାନ୍ତି। ଏଣୁ ନାଚାର ପୁଲିସ କେବଳ ଛକ ଜଗି ବସିଛନ୍ତି। କିନ୍ତୁ ଭିଡ଼ ଓ ଜଟିଳ ଟ୍ରାଫିକ୍ ସମସ୍ୟା ପୂର୍ବଭଳି ପ୍ରମୁଖ ଛକ ଓ ରାସ୍ତାଘାଟରେ ଲାଗି ରହିଛି। ପଳାଶୁଣୀଠାରୁ ଲିଙ୍ଗିପୁର, ବାଣୀବିହାରରୁ ରାଜମହଲ, ରସୁଲଗଡ଼ରୁ ଖଣ୍ଡଗିରି ଓ ଜୟଦେବବିହାରଠାରୁ ପଟିଆ, ସବୁଠି ସମାନ ସ୍ଥିତି। ସବୁଠି ଭିଡ଼ରେ ଦହଗଞ୍ଜ ହେଉଛନ୍ତି ଯାତ୍ରୀ। ଏହାର ଏକମାତ୍ର ବିକଳ୍ପ ୱାନ୍ ୱେ ହୋଇଥିଲେ ହେଁ ପୁଲିସ ଏହି ବ୍ୟବସ୍ଥା ଆପଣାଉନାହିଁ।
ଅପରପକ୍ଷେ ଭିଡ଼କୁ ଦେଖି ନିୟମିତ ଯାତାୟାତ କରୁଥିବା ବସ୍ଗୁଡ଼ିକର ରୁଟ୍ ପରିବର୍ତ୍ତନ କରି ଦିଆଯାଇଛି। କଟକ, ପୁରୀ ଅବା ଖୋର୍ଦ୍ଧା ପାର୍ଶ୍ବରୁ ଆସୁଥିବା ବସ୍ସବୁକୁ ଫ୍ଲାଏଓଭର ବ୍ୟବହାର କରିବାକୁ କୁହାଯାଇଛି। ପୁରୀ ପାର୍ଶ୍ବରୁ ଆସୁଥିବା ବସ୍ ଲିଙ୍ଗିପୁରଠାରୁ ଟଙ୍କପାଣି ରୋଡ୍, କେଶୁରା, ପଳାଶୁଣୀ ଛକ ହୋଇ ରସୁଲଗଡ଼ ଫ୍ଲାଏଓଭର ଦେଇ ଯା’ଆସ କରୁଛି। ପୁଲିସ ରହି ବସ୍ଗୁଡ଼ିକୁ ଫ୍ଲାଏଓଭର ଦେଇ ଡାଇଭର୍ଟ କରୁଛି। ସେହିଭଳି କଟକ ପାର୍ଶ୍ବରୁ ଆସୁଥିବା ବସ୍ ପଳାଶୁଣୀ ଛକରୁ ଫ୍ଲାଏଓଭର ଦେଇ ଯା’ଆସ କରୁଛନ୍ତି। ଖୋର୍ଦ୍ଧା ପାର୍ଶ୍ବରୁ ଆସୁଥିବା ବସ୍ ପାଇଁ ସମାନ ବ୍ୟବସ୍ଥା ଆପଣାଯାଇଛି।
/filters:format(webp)/sambad/media/media_files/2025/10/01/untitled-3-2025-10-01-06-18-37.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/01/untitled-2-2025-10-01-06-17-46.jpg)