ଭୁବନେଶ୍ବର : ମିଛ ପ୍ରମାଣପତ୍ର ଦାଖଲ ଅଭିଯୋଗ ଆଣି ଏମ୍ସ ଫାକଲ୍ଟି ସଂଘ ସଭାପତି ଡ.ସୁନୀଲ ରାଉତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେବେ ୧୧ ଜଣ ଫାକଲ୍ଟି ପଦୋନ୍ନତିରୁ ବଞ୍ଚିତ ପ୍ରସଙ୍ଗରେ ଆସୋସିଏସନ ସେମାନଙ୍କ ସହିତ ରହିବାରୁ ଏମ୍ସ କର୍ତ୍ତୃପକ୍ଷ ଜାଣିଶୁଣି ଏହି କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଅଭିଯୋଗ କରିଛି ସଂଘ। ସୁନୀଲ ରାଉତଙ୍କ ସମେତ ଆହୁରି କିଛି ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଏମ୍ସ ପ୍ରଶାସକ ଆକ୍ରୋଶମୂଳକ ମନୋଭାବ ରଖିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଆସୋସିଏସନ ପକ୍ଷରୁ ଏକ ପତ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଏବଂ ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ପତ୍ରରେ କୁହାଯାଇଛି, ନିଯୁକ୍ତିର ୫ ବର୍ଷ ପରେ ତାଙ୍କ ଅଭିଜ୍ଞତାକୁ ନେଇ ଏମ୍ସ କର୍ତ୍ତପକ୍ଷ ପ୍ରଶ୍ନ ଉଠାଇବା ଗ୍ରହଣ କରାଯାଇ ପାରୁନାହିଁ। ଆସୋସିଏସନ୍ର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ଏମ୍ସ ଭୁବନେଶ୍ବର ସହିତ ଆଉ ଦୁଇଟି ଏମ୍ସରେ ତାଙ୍କର ଚାକିରିର ପ୍ରସ୍ତାବ ରହିଥିଲା। ନିଜ ଚାକିରି କାଳ ମଧ୍ୟରେ ତାଙ୍କର ହାଇଟେକ୍ ସମେତ ଅନେକ ଘରୋଇ କଲେଜରେ ପାଠ ପଢ଼ାଇବାର ଅନୁଭବ ରହିଥିଲା। ଏହା ସତ୍ତ୍ବେ ତାଙ୍କ ବିରୋଧରେ ମିଛ ପ୍ରମାଣପତ୍ର ଦାଖଲର ଅଭିଯୋଗ ହୋଇଛି। ପ୍ରାୟ ୫ଟି ପର୍ଯ୍ୟାୟରେ ଡାକ୍ତରଙ୍କ ନିଯୁକ୍ତି କରାଯାଏ। ଯଦି ଡା.ରାଉତ ମିଛ ଅନୁଭବ ପ୍ରମାଣପତ୍ର ଦେଇଥିଲେ, କୌଣସି ନା କୌଣସି ସ୍ଥାନରେ ଧରା ପଡ଼ି ଥାଆନ୍ତେ। ଅଜଣା ଚିଠି ଆଧାରରେ ଏହି ନୋଟିସ ଜାରି ହୋଇଛି। ଚିଠିରେ ଆସୋସିଏସନର ସଦସ୍ୟ ଚିନ୍ମୟ ଦାସ, କନିଷ୍କ ଦାସଙ୍କୁ ମଧ୍ୟ ବଦନାମ କରାଯାଇଛି। ଏହା ପଛରେ ଏମ୍ସ କର୍ତ୍ତୃପକ୍ଷଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ଆଣି ଆସୋସିଏସନ ପକ୍ଷରୁ କର୍ତୃପକ୍ଷଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।
ପ୍ରମୁଖ ପଦରେ ନୂତନଙ୍କୁ ନିଯୁକ୍ତି ନାହିଁ, ପୁରୁଣାଙ୍କ ଅବଧି ସମ୍ପ୍ରସାରଣ
ଭୁବନେଶ୍ବର : ଏମ୍ସର ପ୍ରମୁଖ ତିନିଟି ପଦ ନିର୍ଦେଶକ, ଅଧୀକ୍ଷକ ଓ ଉପନିର୍ଦେଶକ ପଦରେ ନୂତନ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଉ ନାହିଁ, କିନ୍ତୁ ପୁରୁଣା ବ୍ୟକ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି। ଏହାକୁ ନେଇ ଏମ୍ସରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏହି ସମ୍ପ୍ରସାରଣ କରୁଛନ୍ତି। ଉପନିର୍ଦେଶକ, ଅଧୀକ୍ଷକଙ୍କ କାର୍ଯ୍ୟକାଳ ୩ ବର୍ଷ। କିନ୍ତୁ ସେମାନେ ଯଥାକ୍ରମେ ୭ ଏବଂ ୫ ବର୍ଷ ହେଲା ରହିଛନ୍ତି। ସର୍ବାଧିକ ଅସନ୍ତୋଷ ଉପନିର୍ଦେଶକ ପଦର କାର୍ଯ୍ୟକାଳ ସମ୍ପ୍ରସାରଣ ବୃଦ୍ଧିକୁ ନେଇ ରହିଛି। ୨୦୧୫ ମସିହାରେ ଏମ୍ସ ଉପନିର୍ଦେଶକ ଭାବରେ ପିକେ ରାୟ ଅବସ୍ଥାପିତ ହୋଇଥିଲେ। ନିର୍ଧାରିତ ଅବଧି ପୂରଣ ପରେ ତିନି ବର୍ଷ ଏବଂ ବର୍ତ୍ତମାନ ଆଉ ଏକ ବର୍ଷର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଅଧୀକ୍ଷକଙ୍କ କାର୍ଯ୍ୟକାଳ ଅବଧି ମଧ୍ୟ ପୂରଣ ପରେ ଆଉ ୨ ବର୍ଷ ବଢ଼ାଇ ଦିଆଯାଇଛି। ନିର୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ପୂରଣ ପରେ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଉପନିର୍ଦେଶକ ପଦର କାର୍ଯ୍ୟକାଳ ୩ ବର୍ଷ। କିନ୍ତୁ ଜଣେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରିବ। ତେଣୁ ଏସବୁ ଆଳରେ କାର୍ଯ୍ୟକାଳ ବୃଦ୍ଧି କରାଯାଉଥିବା କୁହାଯାଉଛି।