ଭୁବନେଶ୍ୱର: ଭୁବନେଶ୍ବର ବିଜେଡି ସଂଗଠନ‌ରେ ଆଭ୍ୟନ୍ତରୀଣ ବିବାଦ ତେଜିବାରେ ଲାଗିଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଦୁଇ କର୍ପୋରେଟର ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୂପକାର(ଲିଟୁ)ଙ୍କ ସମେତ ଚାରି ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ୧୫ ଦିନ ଭିତରେ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଆଜି ପୁରୀରେ ଭୁବନେଶ୍ବର ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର କର୍ପୋରେଟରମାନଙ୍କ ମେଳି ଖବର ଆସିଲା ପରେ ଦଳର ଏହି ନୋଟିସ୍‌ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। 

Advertisment

ବାଇଁଆ ଓ ଲିଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ଓ ଏକାମ୍ରର କର୍ପୋରେଟରମାନେ ଲଗାତାର ଦାବି କରି ଆସୁଥିଲେ। ଏ‌ପରିକି ସେମାନେ ଏ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ସେହିପରି ବାଇଁଆ ଓ ଲିଟୁ ପାଲଟା ଅଭିଯୋଗ କରିଥିଲେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ। ଏମାନେ କର୍ପୋରେଟରମାନଙ୍କୁ ଉସ୍‌କାଉଥିବା ସେମାନେ ଆରୋପ ଲଗାଇଥିଲେ। ଆଜି ଏକାମ୍ର ଓ ମଧ୍ୟର ୨୦ରୁ ଅଧିକ କର୍ପୋରେଟର ଏକାଠି ହୋଇ ପୁରୀ ଲୋକନାଥ ମନ୍ଦିର ଯାଇଥିଲେ। ବାଇଁଆ‌ ଓ ଲିଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସେମାନେ ଦଳର ପଦଯାତ୍ରାରେ ସହଯୋଗ କରିବେନି ଓ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ।

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ବିଜେଡିର ତତ୍ପରତା ପ୍ରକାଶ ପାଇଥିଲା। ଖୋଦ୍ ରାଜଧାନୀରେ ଦଳ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାର ଆଶଙ୍କା ଦେଖାଦେଇଥିଲା। ତେଣୁ ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ବାଇଁଆ ଓ ଲିଟୁଙ୍କ ସମେତ ଏକାମ୍ର ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ବିବେକ ସ୍ବାଇଁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ତେବେ ପୂର୍ବରୁ ବିଜେଡି ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେଉଥିଲା ବେଳେ ଏବେ ୧୫ ଦିନିଆ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ ଅସନ୍ତୁଷ୍ଟ କର୍ପୋରେଟରମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କେବଳ ପଦଯାତ୍ରାରେ କର୍ପୋରେଟରଙ୍କ ଅସହଯୋଗ ଏଡ଼ାଇବାକୁ ଏହା ଏକ ଚାଲ୍‌ ବୋଲି ଆଲୋଚନା ଚାଲିଛି। ତେବେ ପୂର୍ବତନ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ବିଧାୟକ ଶ୍ରୀ ‌ଜେନା କର୍ପୋରେଟର୍‌ମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ପଦଯାତ୍ରାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।  

ଗତ ୨୫ ତାରିଖ ଦିନ ଶଙ୍ଖ ଭବନରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଅଶୋକ ପଣ୍ଡା ଓ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ବାଇଁଆ ଓ ଲିଟୁଙ୍କୁ ବରିଷ୍ଠ ନେତାଙ୍କ ସମେତ ଉଭୟ ନିର୍ବାଚନମଣ୍ଡଳୀର କର୍ପୋରେଟରମାନେ ବିରୋଧ କରିଥିଲେ। ସେଠାରେ ପ୍ରବଳ ହୋ ହଲ୍ଲା ହେବା ସହ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ବୈଠକ ପରଦିନ  ବାଇଁଆ-ଲିଟୁ ଗଣମାଧ୍ୟମରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ୬୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ର ବିଜେପିର ସଦସ୍ୟ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗକୁ ବିରୋଧ କରି ରାଜେଶ ପାତ୍ର ବାଇଁଆ-ଲିଟୁଙ୍କ ନାମରେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ବାଇଁଆ-ଲିଟୁଙ୍କ ସହଯୋଗୀ ତଥା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିବେକ କୁମାର ସ୍ବାଇଁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ବାଇଁଆ-ଲିଟୁଙ୍କ ସହଯୋଗୀ କୁହାଯାଉଥିବା ଅବିନାଶ କୁମାର ପାତ୍ର ନାମକ ଜଣେ ଯୁବକ ଏୟାରଫିଲ୍ଡ ଥାନାରେ ଆଜି ରାଜେଶ ପାତ୍ରଙ୍କ ନାମରେ ଏତଲା ଦେଇଥିଲେ। ଶଙ୍ଖ ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକର ତିନିଦିନ ଭିତରେ ଦୁଇଟି ଥାନାରେ ଏଭଳି ତିନିଟି ଏତଲା ହେଲା। 

ଏଣେ ବିଏମ୍‌ସିର ମାସିକ ସମୀକ୍ଷା ବୈଠକରେ ମଧ୍ୟ ଲିଟୁ ଓ ବାଇଁଆଙ୍କ ବିରୋଧୀ କର୍ପୋରେଟର ଯୋଗ ଦେଲେ ନାହିଁ। ସମାନ୍ତରାଳ ଭାବରେ ସେମାନେ ଲକ୍ଷ୍ମୀସାଗରରେ ମେଳି କରିଥିଲେ। ପୂର୍ବରୁ ଜଲ୍ଲା ସଭାପତି ସୁଶାନ୍ତ ରାଉତ ଗଣମାଧ୍ୟମରେ କେହି ମୁହଁ ନ ଖୋଲିବା ପାଇଁ ଫତୱା ଜାରି କରିଥିଲେ। ହେଲେ ବାଇଁଆ-ଲିଟୁ ଶୁଣିନଥିଲେ, ବିଭିନ୍ନ ସମୟରେ ସେମାନେ ଗଣମାଧ୍ୟମରେ ବିବୃତ୍ତି ରଖୁଥିଲେ। ଏବେ ନୋଟିସ୍‌ ଜାରି ହେଲା ପରେ ଦଳୀୟ ବିବାଦ କେଉଁ ମୋଡ଼ ନେଉଛି, ତାହା କିଛି ଦିନ ଭିତରେ ସ୍ପଷ୍ଟ ହେବ। 
ନୋଟିସ୍‌ ସମ୍ପର୍କରେ କର୍ପୋରେଟର ଅମରେଶ ଜେନା କହିଛନ୍ତି, ଆମେ ଦଳୀୟ ସଭାପତିଙ୍କୁ ଉତ୍ତର ରଖିବୁ। ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ତୃଣମୂଳ ସ୍ତରରେ ସଂଗଠନକୁ ଦୃଢ଼ କରିବାକୁ କାମ କରୁଛୁ।